ଫେରୁଛନ୍ତି ପ୍ରବାସୀ ଓଡିଆ ଶ୍ରମିକ : ଜଗନ୍ନାଥପୁରରେ ପହଞ୍ଚିଲା ୨, ଆସୁଛି ଆଉ ୮ ଟ୍ରେନ

ସମାଜ ପୋର୍ଟାଲ ​ଡେସ୍କ :​ ଚେନ୍ନାଇରୁ ଆସିଥିବା ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‍ ଗଞ୍ଜାମର ବ୍ରହ୍ମପୁର ନିକଟ ଜଗନ୍ନାଥପୁର ଷ୍ଟେସନରେ ସୋମବାର ପହଞ୍ଚିଛି । ଏହି ଟ୍ରେନରେ ପ୍ରାୟ ୨ହଜାର ୩୮୧ଜଣ ପ୍ରବାସୀ ଓଡିଆ ଫେରିଥିବା ଜଣାପଡିଛି । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧ହଜାର ୭୯୭ଜଣ ପ୍ରବାସୀ ରହିଛନ୍ତି । ଅନ୍ୟମାନେ ରାଜ୍ୟର ବିଭିନ୍ନ ଅଞ୍ଚଳର ରହିଥିବା ଜଣାପଡିଛି । ଟ୍ରେନ୍‍ରୁ ଓହ୍ଲାଇବା ପରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବସ୍‍ ଯୋଗେ ନିଜ ନିଜ ଅଂଚଳର କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଯାଇଛି।

ଏହା ବ୍ୟତୀତ ସୁରଟ ଓ ଆନ୍ଧ୍ରପ୍ରଦେଶରୁ ଆଉ ୪ଟି ଟ୍ରେନ ଆଜି ରାତି ସୁଦ୍ଧା ରାଜ୍ୟରେ ପହଞ୍ଚିବ। ସେହିପରି ଗତକାଲି ସୁରତ ଛାଡିଥିବା ତିନୋଟି ଟ୍ରେନ ଜଗନ୍ନାଥପୁର ରେଳଷ୍ଟେସନରେ ଓ ଆନ୍ଧ୍ରପଦେଶରୁ ଆସୁଥିବା ଗୋଟିଏ ଟ୍ରେନ ଟିଟିଲାଗଡରେ ପହଞ୍ଚିବ ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ଗୁଜରାଟର ସାବରମତିରୁ ୧୨ଶହ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ ଗତ ବିଳମ୍ବିତ ରାତିରେ ଖୋର୍ଦ୍ଧା ରୋଡରେ ପହଞ୍ଚିଥିଲା ।
ସେଠାରେ ଯାତ୍ରୀମାନଙ୍କୁ ସ୍ୱାଗତ କରାଯିବା ସହ ଥର୍ମାଲ ସ୍କ୍ରିନିଙ୍ଗ୍‍ କରାଯାଇଥିଲା । ପରେ ସେମାନଙ୍କୁ ଖାଦ୍ୟପେୟ ଦିଆଯିବା ସହ ୫୦ଟି ବସରେ ସେମାନଙ୍କ ଜିଲ୍ଲାକୁ ପଠାଇ ଦିଆଯାଇଛି ।

Comments are closed.