ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗ : ଏକାଠି ଲଢ଼ିବେ ବିଜେଡି, ୱାଇଏସଆର କଂଗ୍ରେସ, ଜେଡିୟୁ

ନୂଆଦିଲ୍ଲୀ : ସପ୍ତଦଶ ଲୋକସଭା କାଳରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ଜୋରଦାର କରିବାକୁ ବିଜେଡି ରଣକୌଣଳ ପ୍ରସ୍ତୁତ କରିଛି। ଏଣିକି ଏକୁଟିଆ ଲଢ଼େଇ କରିବା ବଦଳରେ ଆନ୍ଧ୍ର ପ୍ରଦେଶର ଶାସକ ୱାଇଏସଆର କଂଗ୍ରେସ ଓ ବିହାରର ଶାସକ ଜେଡିୟୁକୁ ସାଥୀରେ ନେଇ ଏକାଠି ଲଢ଼େଇ କରିବାକୁ ଦଳ ନିଷ୍ପତ୍ତି ନେଇଛି। ବିଜେଡିର ୧୨, ୱାଇଏସଆର କଂଗ୍ରେସର ୨୨ ଓ ଜେଡିୟୁର ୧୬ଜଣ ମିଶି ସମୁଦାୟ ୫୦ ସାଂସଦ ପ୍ରଭାବଶାଳୀ ଢଙ୍ଗରେ ଲୋକସଭାରେ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି ଉପସ୍ଥାପନ କରିପାରିବେ ବୋଲି ଦଳୀୟ ନେତୃତ୍ୱ ଆଶା କରିଛନ୍ତି। ଷୋଡ଼ଶ ଲୋକସଭା ତୁଳନାରେ ସପ୍ତଦଶ ଲୋକସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ଏକ ତୃତୀୟାଂଶ କମ୍‍ ରହିଥିଲେ ମଧ୍ୟ ନୂତନ ରଣନୀତି ଅନୁଯାୟୀ ରାଜ୍ୟସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକୁ ସଂସଦରେ ଜୋରଦାର ଉତ୍ଥାପନ କରାଯିବ। ଏକାଠି ଲଢ଼େଇ ଜାତୀୟ ରାଜନୀତିରେ ବିଜେଡିର ଗୁରୁତ୍ୱକୁ ବୃଦ୍ଧି କରିବ ଏବଂ ୱାଇଏସଆର କଂଗ୍ରେସ ଓ ଜେଡିୟୁ ଭଳି ରାଜନୈତିକ ଦଳର ସମର୍ଥନ ଓଡ଼ିଶାର ସ୍ୱାର୍ଥ ହାସଲରେ ବିଜେଡି ଲଢ଼େଇକୁ ଅଧିକ ମଜଭୁତ କରିବ ବୋଲି ବିଜେଡି ସଂସଦୀୟ ଦଳ ନେତା ତଥା ପୁରୀ ସାଂସଦ ପିନାକୀ ମିଶ୍ର ‘ସମାଜ’କୁ କହିଛନ୍ତି।
ଓଡ଼ିଶାର ଏହି ପୁରୁଣା ଦାବି ପ୍ରସଙ୍ଗରେ ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ ପଶ୍ଚିମ ଭାରତ ତୁଳନାରେ ପୂର୍ବ ଭାରତ ବହୁ ପଛରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଥର ସ୍ୱୀକାର କରିଛନ୍ତି। ଏବେ ପୂର୍ବ ଭାରତର ୩ଟି ପଛୁଆ ରାଜ୍ୟ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ବିହାର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ସହ ସମକକ୍ଷ ହେବାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରୁଛନ୍ତି। ଦେଖିବାକୁ ଗଲେ ଏଭଳି ଦାବି କରୁଥିବା ପୂର୍ବ ଭାରତର ରାଜ୍ୟଗୁଡ଼ିକ ଲଗାତାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଓଡ଼ିଶା ଗତ ୬ ବର୍ଷରେ ୪ଟି ବଡ଼ ସାମୁଦ୍ରିକ ବାତ୍ୟା ଦ୍ୱାରା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି; ଉପକୂଳ ରାଜ୍ୟ ଆନ୍ଧ୍ର ପ୍ରଦେଶର ମଧ୍ୟ ସମାନ ଅବସ୍ଥା। ସେହିପରି ବିହାର ମଧ୍ୟ ପ୍ରତିବର୍ଷ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ବିହାର ଓ ଆନ୍ଧ୍ର ପ୍ରଦେଶର ପୁର୍ନଗଠନ ପରେ ଉଭୟ ରାଜ୍ୟ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପାଇଁ ବିଗତ ଦିନରେ ବାରମ୍ବାର ଦାବି କରୁଛନ୍ତି। ଏଭଳି ସ୍ଥିତିରେ ଲଗାତର ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବିକୁ ସଂସଦର ଆଗାମୀ ଅଧିବେଶନରେ ଜୋରଦାର କରାଯିବ ବୋଲି ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମାନଦଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ସାମିଲ କରିବାକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ଯଥାର୍ଥ ବୋଲି ସାଂସଦ ପିନାକୀ ମିଶ୍ର ଦର୍ଶାଇ କହିଛନ୍ତି ଏ ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ୯୦:୧୦ ହାରରେ ଆର୍ଥିକ ଅନୁଦାନ ପାଇବେ ଏବଂ ଓଡ଼ିଶା ଭଳି ପଛୁଆ ରାଜ୍ୟ ଯଥେଷ୍ଟ ଲାଭବାନ ହୋଇପାରିବ। ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖୀନ ରାଜ୍ୟଗୁଡ଼ିକୁ ଏକ ନିର୍ଦ୍ଧିଷ୍ଟ ଅବଧି ପାଇଁ ‘ସ୍ୱତନ୍ତ୍ର ଧ୍ୟାନ କେନ୍ଦ୍ରିତ ରାଜ୍ୟ’ ଶ୍ରେଣୀରେ ତାଲିକାଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବକୁ ସମର୍ଥନ କରି ସାଂସଦ ଶ୍ରୀ ମିଶ୍ର କହିଛନ୍ତି ଯେ ଏଭଳି ମାନ୍ୟତା ପ୍ରଦାନ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସମୟସୀମା ପର୍ଯ୍ୟନ୍ତ ପଛୁଆ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅନୁଦାନ ମିଳିପାରିବ। ବିଭିନ୍ନ କ୍ଷେତ୍ରରେ ପଛୁଆ ରାଜ୍ୟଗୁଡ଼ିକ ଆଗୁଆ ରାଜ୍ୟଗୁଡ଼ିକ ସହ ସମକକ୍ଷ ହେଲେ ଏଭଳି ମାନ୍ୟତାକୁ କେନ୍ଦ୍ର ସରକାର ଚାହିଁଲେ ପ୍ରତ୍ୟାହାର କରି ନେଇ ପାରିବେ। ଲକ୍ଷ୍ୟ ହାସଲ ପାଇଁ ଖୁବ୍‍ଶୀଘ୍ର ବିଜେଡି, ୱାଇଏସଆର କଂଗ୍ରେସ ଓ ଜେଡିୟୁ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଲୋକସଭାରେ ବିଜେଡି ନେତା ତଥା ପୁରୀ ସାଂସଦ ପିନାକୀ ମିଶ୍ର ‘ସମାଜ’କୁ ଜଣାଇଛନ୍ତି। ଏହା ବ୍ୟତୀତ ସପ୍ତାଦଶ ଲୋକସଭାର ପ୍ରଥମ ଅଧିବେଶନ କାଳରେ ସାମୁଦ୍ରିକ ବାତ୍ୟା ‘ଫଣି’ ପରେ ଥଇଥାନ ଓ ପୁର୍ନନିର୍ମାଣ ପାଇଁ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ଏବଂ କୋଇଲା ରୟାଲଟି ସଂଶୋଧନ ଓ ବୃଦ୍ଧି ପ୍ରସଙ୍ଗକୁ ବିଜେଡି ସଂସଦରେ ଉତ୍ଥାପନ କରିବ।

Comments
Loading...