ଜୁଲାଇ ୨୧ରେ ସ୍ବତନ୍ତ୍ର ଓଜେଇଇ

ଭୁବନେଶ୍ବର : ଆଜିଠୁ ଦ୍ବିତୀୟ ଅର୍ଥାତ ସ୍ବତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଅନ୍‌ଲାଇନରେ ଫର୍ମ ଆବେଦନ କରିବାକୁ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଥମ ଓଜେଇଇ କାଉନସେଲିଂ ନାମଲେଖା ପରେ ବି.ଟେକ୍‌, ଲାଟେରାଲ ଏଣ୍ଟ୍ରି ବି.ଟେକ, ଏମ୍‌ବିଏ, ଏମ୍‌ସିଏ ଓ ଲାଟେରାଲ ଏମ୍‌ସିଏ ପାଠ୍ୟକ୍ରମରେ ବଳକା ଥିବା ସିଟ୍‌ରେ ନାମଲେଖାଇବା ପାଇଁ ସ୍ବତନ୍ତ୍ର ଓଜେଇଇ କରାଯାଉଛି। ଏହି ପରୀକ୍ଷା ଜୁଲାଇ ୨୧ରେ ଅନୁଷ୍ଠିତ ହେବ। ଆବେଦନ କରିଥିବା ଛାତ୍ରଛାତ୍ରୀ ୬୦ନମ୍ବର ବିଶିଷ୍ଟ ମଲ୍ଟିପୁଲ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଜେଇଇ ମେନ୍ କିମ୍ବା ଓଜେଇଇ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀ ସ୍ବତନ୍ତ୍ର ଓଜେଇଇ ପାଇଁ ଆବେଦନ କରିବେ।
ଅନ୍‌ଲାଇନ୍ ଫର୍ମ ଆବେଦନ ପ୍ରକ୍ରିୟା ଜୁନ୍‌ ୩୦ରୁ ଆରମ୍ଭ ହୋଇ ଜୁଲାଇ ୧୦ ତାରିଖ ଯାଏଁ ଚାଲିବ। ଏହି ସମୟ ମଧ୍ୟରେ ଆବେଦନକାରୀ ଓଜେଇଇ ୱେବସାଇଟ୍‌ (www.ojee.nic.in)କିମ୍ବା (www.odishajee.com)କୁ ଯାଇ ଫର୍ମ ଆବେଦନ କରିବାକୁ ଓଜେଇଇ ପକ୍ଷରୁ କୁହାଯାଇଛି। ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ଜୁଲାଇ ୧୫ରୁ ଆଡ଼ମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। ୨୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ଟା ଯାଏ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୫ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ରାଙ୍କ ପାଇଥିବା ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ୨୫ରୁ ୨୭ ପର୍ଯ୍ୟନ୍ତ ଅନ୍‌ଲାଇନରେ ନାମ ପଞ୍ଜୀକରଣ କରିବେ।
ଜୁଲାଇ ୩୦ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ପରେ ଅଗଷ୍ଟ ୧ରୁ ଦୁଇଦିନ ଧରି ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଯାଞ୍ଚ କରାଯିବ। ଅଗଷ୍ଟ ୩ରେ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କ ତାଲିକାକୁ ଓଜେଇଇ ପକ୍ଷରୁ କଲେଜଗୁଡିକୁ ଦିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Comments are closed.