ତିନୋଟି ଐତିହାସିକ ପଦକ୍ଷେପ

ଭାରତର ଆତ୍ମା ହେଉଛି ଗାଁ। ଗାଁକୁ ଛାଡ଼ି ଏକ ସମୃଦ୍ଧ ଭାରତର ପରିକଳ୍ପନା କରାଯାଇ ନ ପାରେ ବୋଲି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦୃଢ଼ ବିଶ୍ୱାସ ରହିଥିଲା। ସେଥିପାଇଁ ସେ ଗ୍ରାମ ସ୍ୱରାଜର ପରିକଳ୍ପନା କରିଥିଲେ ଏବଂ ଏହା ଉପରେ ସର୍ବଦା ଗୁରୁତ୍ୱାରୋପ କରିଆସୁଥିଲେ। ଆଜିର ଆମ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ହେଉଛି ଗାନ୍ଧୀଜୀଙ୍କ ସେହି ଗ୍ରାମ ସ୍ୱରାଜ। ଉତ୍ତମ ଶାସନର ଏକ ବ୍ୟବସ୍ଥା ଓ ପ୍ରକ୍ରିୟା ହେଉଛି ପଞ୍ଚାୟତିରାଜ। ପ୍ରାକ୍‍ସ୍ୱାଧୀନତା ସମୟରୁ ଆମ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ରହିଥିଲା। ତେବେ ତାହା ସୁସଙ୍ଗଠିତ ଓ ସୁବ୍ୟବସ୍ଥିତ ନଥିଲା।
୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ପରିଗଣିତ ହେବା ପରେ ୧୯୪୮ ମସିହାରେ ଓଡ଼ିଶାରେ ଶାସନ ବ୍ୟବସ୍ଥାର ବିକେନ୍ଦ୍ରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେତେବେଳେ ଓଡ଼ିଶା ବିଧାନସଭାରେ ଗ୍ରାମ ପଞ୍ଚାୟତ ଆଇନ୍‍ ଗୃହୀତ ହୋଇଥିଲା। ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଅଞ୍ଚଳ ଶାସନ ପ୍ରତିଷ୍ଠା ଅଞ୍ଚଳ ପାଣ୍ଠି ଗଠନ ମାଧ୍ୟମରେ ଶାସନ ବିକେନ୍ଦ୍ରୀକରଣ କ୍ଷେତ୍ରରେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଥିଲା। ୫୦ ଓ ୬୦ ଦଶକରେ ଓଡ଼ିଶାରେ ଗ୍ରାମ ପଞ୍ଚାୟତର ଭାଗ୍ୟ ବିଭିନ୍ନ ସରକାରୀ ବିଭାଗର ଦୟାରେ ଚାଲୁଥିଲା। ୧୯୫୬ ମସିହା ପର୍ଯ୍ୟନ୍ତ ପଞ୍ଚାୟତଗୁଡ଼ିକ ରାଜସ୍ୱ ବିଭାଗ ଓ ରାଜସ୍ୱ ପରିଷଦ ଅଧୀନରେ ରହିଥିଲା। ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ ଅନୁସାରେ ପ୍ରଥମ ଥର ଲାଗି ଦେଶରେ ରାଜସ୍ଥାନରେ ୧୯୫୯ ମସିହା ଅକ୍ଟୋବର ୨ ତାରିଖରେ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ସୁପାରିସ କରିଥିଲେ। ମେହେଟ୍ଟା କମିଟିର ସୁପାରିଶ ଭାରତର ଗ୍ରାମାଞ୍ଚଳରେ ଏକ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ଆଣିଥିଲା। ୧୯୬୧ ମସିହା ଜାନୁଆରୀ ୨୬ରୁ ଓଡ଼ିଶାରେ ଏହି ସୁପାରିସକୁ କାର୍ଯ୍ୟକାରୀ କରିବା ନେଇ କାମ ଆରମ୍ଭ ହୋଇଥିଲା। ୧୯୬୨ ମସିହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରଥମ ମୁଖ୍ୟମନ୍ତ୍ରିତ୍ୱ ସମୟରେ ଓଡ଼ିଶାରେ ପ୍ରଥମ ଥର ଲାଗି ବିଧିବଦ୍ଧ ଭାବେ ପଞ୍ଚାୟତ ସମିତି ଓ ଜିଲା ପରିଷଦ ଆଇନ କାର୍ଯ୍ୟକାରୀ କରାଯାଇ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଭିତ୍ତି ପକା ଯାଇଥିଲା। ସେ ସମୟରେ ବିଜୁବାବୁ ପ୍ରଥମ କରି ଗୋଷ୍ଠୀ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ସୃଷ୍ଟି କରିଥିଲେ। ସମସ୍ତ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲା ପରିଷଦ ପଞ୍ଚାୟତିରାଜ ବିଭାଗ ଅଧୀନକୁ ଆସିଲା। ବିଜୁବାବୁ ହେଉଛନ୍ତି ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ, କିନ୍ତୁ ୧୯୯୦ ମସିହାରେ ସ୍ୱର୍ଗତ ବିଜୁବାବୁ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ଗତିଶୀଳ ଓ ସୁବ୍ୟବସ୍ଥିତ କରିବା ପାଇଁ ଦୃଢ଼ ସଂକଳ୍ପ ନେଲେ। ସେ ସବୁବେଳେ କହୁଥିଲେ ଯେ ଗାଁର ଲୋକେ ସେମାନଙ୍କ ଶାସନ କଥା ବୁଝନ୍ତୁ। ସେମାନେ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ ଆବଶ୍ୟକ ଯୋଜନା କାର୍ଯ୍ୟକ୍ରମ କରିବା ସହ ତାର ତଦାରଖ ଓ କାର୍ଯ୍ୟକାରୀ କରନ୍ତୁ। ଏହା ହେଉଛି ବିଜୁବାବୁଙ୍କ ପରିକଳ୍ପିତ ପଞ୍ଚାୟତିରାଜ ବ୍ୟବସ୍ଥା।
ପଞ୍ଚାୟତଗୁଡ଼ିକୁ ଆର୍ଥିକ କ୍ଷମତା ନ ଦେବା ଯାଏଁ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ ବୋଲି ବିଜୁବାବୁ ଦୃଢ଼ ଯୁକ୍ତି କରି ଆସୁଥିଲେ। ସେଥିପାଇଁ ସେ ସ୍ୱତନ୍ତ୍ର ଅର୍ଥ କମିସନ ଗଠନ କରିଥିଲେ। ତାଙ୍କରି ସମୟରେ ପଞ୍ଚାୟତଗୁଡ଼ିକୁ ଆର୍ଥିକ କ୍ଷମତା ଭଳି ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା। ସମଗ୍ର ଦେଶରେ ମହିଳାମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ ଲାଗି ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିଜୁ ବାବୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ କରିଥିଲେ। ବିଜୁବାବୁଙ୍କ ଏହି ନୀତି ଓ ନିଷ୍ପତ୍ତିକୁ ଅନେକ ରାଜ୍ୟ ଆପଣାଇଥିଲେ। ଏଥିପାଇଁ ଭାରତୀୟ ସମ୍ବିଧାନରେ ୭୩ ଓ ୭୪ ତମ ସଂଶୋଧନ କରାଯାଇଥିଲା। ମହିଳା ସଶକ୍ତୀକରଣ କ୍ଷେତ୍ରରେ ବିଜୁବାବୁ ନାରୀ ଶିକ୍ଷା, ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ କରିଥିଲେ।
ସ୍ୱର୍ଗତ ବିଜୁବାବୁଙ୍କ ସୁଯୋଗ୍ୟ ସନ୍ତାନ ନବୀନ ପଟ୍ଟନାୟକ ଓଡ଼ିଶାର ଶାସନକୁ ଆସିବା ପରେ ବିଜୁ ବାବୁଙ୍କ ସ୍ୱପ୍ନକୁ ଅଧିକ ତ୍ୱରାନ୍ୱିତ କରିଥିଲେ। ସେ ମଧ୍ୟ ପିତାଙ୍କ ପଦାଙ୍କ ଅନୁସରଣ କରି ପଞ୍ଚାୟତଗୁଡ଼ିକ ସ୍ୱାବଲମ୍ବୀ କରିବା ପାଇଁ ସରପଞ୍ଚମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ପଞ୍ଚାୟତସ୍ତରରେ ମୃତପ୍ରାୟ ଗ୍ରାମସଭା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହା ଛଡ଼ା ମହିଳାମାନଙ୍କ ସଶକ୍ତୀକରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଭାରତବର୍ଷ ପାଇଁ ଉଦାହରଣ ପାଲଟିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ସହ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କାର୍ଯ୍ୟ ଆରମ୍ଭ କରିଥିଲେ।
ଆମେ ସମସ୍ତେ ଜାଣିଛେ, ପଞ୍ଚାୟତସ୍ତରରେ ଶାସନ ବ୍ୟବସ୍ଥା ସଶକ୍ତ ହେଲେ ସମଗ୍ର ଦେଶ ସଶକ୍ତ ହୋଇପାରିବ। ପଞ୍ଚାୟତସ୍ତରରେ ସୁଫଳ ମିଳିଲେ ଦେଶକୁ ସଫଳ ମିଳିବ। ଶାସନ ବ୍ୟବସ୍ଥା ଉପରୁ ତଳକୁ ପରିବର୍ତ୍ତେ ତଳୁ ଉପରକୁ ପରିଚାଳିତ ହେବା ଉଚିତ ବୋଲି ମହାତ୍ମା ଗାନ୍ଧୀ ସର୍ବଦା କହି ଆସୁଥିଲେ। ସାଧାରଣ ଲୋକେ ଏହାର ସୁଫଳ ପାଇ ପାରିବେ। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗ୍ରାମପଞ୍ଚାୟତକୁ ଗୁରୁତ୍ୱ ଦେଇ ଆସୁଛନ୍ତି। ଏବେ ଗାଁଆର ସମସ୍ତ ପ୍ରକାର ବିକାଶମୂଳକ ଯୋଜନା ସଂପର୍କରେ ପଞ୍ଚାୟତ ନିଷ୍ପତ୍ତି ନେବା ସହ ଏହାକୁ କାର୍ଯ୍ୟକାରୀ ମଧ୍ୟ କରୁଛି। ଚୀନ୍‍ର ଉହାନ୍‍ ସହରରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କରୋନା ଭୂତାଣୁ ଆଜି ମହାମାରୀର ରୂପ ନେଇ ସମଗ୍ର ବିଶ୍ୱର ୨ଶହରୁ ଊର୍ଦ୍ଧ୍ବ ଦେଶକୁ କବଳିତ କରିସାରିଲାଣି। ଏହି ଭୂତାଣୁ ଏତେ କ୍ଷିପ୍ର ଗତିରେ ବ୍ୟାପୁଛି ଯେ ମାତ୍ର ୯୦ ଦିନ ମଧ୍ୟରେ ବିଶ୍ୱର ୯ ଲକ୍ଷ ଲୋକ ଏହା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୪ହଜାରରୁ ଲୋକ ମୃତ୍ୟୁବରଣ କରିଥିଲେ। ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ଏବେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ଅତିକ୍ରମ କରିସାରିଲାଣି। କରୋନା ଯୋଗୁଁ ଆଜି ବିଶ୍ୱ ଅର୍ଥନୀତି ଦୋହଲି ଯାଇଛି।
ଖୁସିର କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ବିଭିନ୍ନ ପ୍ରକାର ନିଷ୍ପତ୍ତି ନେଇଥିବାରୁ ଆଜି ଓଡ଼ିଶା ଜାତୀୟ ଓ ଆନ୍ତର୍ଜାତିକସ୍ତରରେ ସୁନାମ ଅର୍ଜନ କରିପାରିଛି ଏବଂ ଓଡ଼ିଶାର ବହୁ ସଂଖ୍ୟକ ଲୋକ ସଂକ୍ରମଣରୁ ରକ୍ଷା ପାଇପାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନେକ ପ୍ରକାର ନିଷ୍ପତ୍ତି ମଧ୍ୟରୁ ତିନୋଟି ଐତିହାସିକ ନିଷ୍ପତ୍ତି ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି। ଭବିଷ୍ୟତରେ ଏହି ଐତିହାସିକ ନିଷ୍ପତ୍ତି ଓଡ଼ିଆଙ୍କ ମନ ମଧ୍ୟରେ ସ୍ମୃତି ହୋଇ ରହିବ।
ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପାଇଁ ସହାନୁଭୂତି ଓ ସହାୟତା:
ଓଡ଼ିଶାରୁ ବାହାର ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଇଥିବା ଲକ୍ଷାଧିକ ଶ୍ରମିକ ଆଜି ତାଲାବନ୍ଦ ଯୋଗୁଁ ବିଭିନ୍ନ ରାଜ୍ୟରେ ଅଟକି ରହିଛନ୍ତି। ସେମାନଙ୍କ ଦୁଃଖ ଓ ଦୁର୍ଦଶାର ଅନ୍ତ ଘଟାଇବା ପାଇଁ ସେମାନଙ୍କୁ ଓଡ଼ିଶାକୁ ଫେରାଇ ଆଣିବା ପାଇଁ ଶ୍ରୀ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଫଳରେ ବାହାର ରାଜ୍ୟରେ ଦୁଃଖ କଷ୍ଟରେ ଫସି ରହିଥିବା ଲକ୍ଷଲକ୍ଷ ଓଡ଼ିଆ ନିଜ ରାଜ୍ୟକୁ ଫେରିବାର ସ୍ୱପ୍ନ ସାକାର ହେବା ସହ ସେମାନଙ୍କ ପରିବାର ଲୋକଙ୍କ ସ୍ୱପ୍ନ ମଧ୍ୟ ସାକାର ହୋଇପାରିବ। ଯେଉଁ ଶ୍ରମିକମାନେ ତାଲାବନ୍ଦ ଶେଷ ହେବା ପରେ ଓଡ଼ିଶା ଫେରିବାକୁ ଇଚ୍ଛୁକ ଅଛନ୍ତି ଓଡ଼ିଶା ସରକାର ସେମାନଙ୍କ ପାଇଁ ସୁବିଧାଜନକ ବ୍ୟବସ୍ଥା ଘୋଷଣା କରିଛନ୍ତି। କେବଳ ଘୋଷଣା କରିନାହାନ୍ତି ସେମାନେ କିଭଳି ଆସି ସୁଖ ଓ ସୁବିଧାରେ ରହିବେ, ସେମାନଙ୍କ କରୋନା ପରୀକ୍ଷା କରାଯିବ, ସେମାନଙ୍କୁ ରାସନ ସାମଗ୍ରୀ ସହ ୨ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ। ସେମାନଙ୍କ ଆସିବାଠାରୁ ରହିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାର ପରିଚାଳନା ଓ ତଦାରଖ ପାଇଁ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ମଧ୍ୟ ଦେଇଛନ୍ତି। ଦୀର୍ଘ ଦିନ ଧରି ରାଜ୍ୟ ବାହାରେ ରହୁଥିବା ଲକ୍ଷାଧିକ ଲୋକଙ୍କୁ ରାଜ୍ୟକୁ ଫେରାଇ ଆଣିବା ପାଇଁ ଉପଯୁକ୍ତ ଦୂରଦୃଷ୍ଟି, କଠିନ ପରିଶ୍ରମ ଓ ଆନ୍ତରିକତାର ଆବଶ୍ୟକତା ରହିଛି। ଶ୍ରୀ ପଟ୍ଟନାୟକ ବୁଝିଛନ୍ତି ଯେ, ରାଜ୍ୟ ବାହାରେ ଲକ୍ଷଲକ୍ଷ ଓଡ଼ିଆ କାମ କରୁଥିଲେ ମଧ୍ୟ ଅନ୍ୟ ଶିକ୍ଷିତ ଓ ସହରୀ ଲୋକଙ୍କ ଭଳି ଓଡ଼ିଶାର ମାଟି, ପାଣି ଓ ପବନରେ ସେମାନଙ୍କର ସମାନ ଅଧିକାର ରହିଛି। ଲୋକମାନଙ୍କୁ ଫେରାଇ ଆଣିବା ତ ଗୋଟିଏ କଥା, କିନ୍ତୁ ରାଜ୍ୟ ସରକାର ସେହି ଶ୍ରମିକମାନଙ୍କ ଆସିବା ପୂର୍ବରୁ ସେମାନଙ୍କ ପଞ୍ଜୀକରଣକୁ ବାଧ୍ୟତାମୂଳକ କରିବା ନେଇ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏଥି ପାଇଁ ରାଜ୍ୟ ସରକାର ଏକ ପୋର୍ଟାଲ ଖୋଲିଛନ୍ତି। ଲୋକମାନେ ବାହାର ରାଜ୍ୟରୁ ଆସିବା ପରେ ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ସଂଗରୋଧରେ ରହିବାକୁ ପଡ଼ିବ। ରାଜ୍ୟର ପ୍ରାୟ ୭ହଜାର ପଞ୍ଚାୟତରେ ରାଜ୍ୟ ସରକାର ବ୍ୟାପକ ସଂଖ୍ୟାରେ ସଂଗରୋଧ କେନ୍ଦ୍ର ସ୍ଥାପନା କରିଛନ୍ତି। ଏହି କେନ୍ଦ୍ରଗୁଡ଼ିକରେ ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୨ଲକ୍ଷ ଶଯ୍ୟା ପ୍ରସ୍ତୁତ ରହିଥିବା ବେଳେ ଲୋକଙ୍କ ସଂଖ୍ୟା ବୃଦ୍ଧି ହେଲେ ସେହି ଅନୁସାରେ ବିଭିନ୍ନ ସଂଗରୋଧ କେନ୍ଦ୍ରଗୁଡ଼ିକରେ ୫ଲକ୍ଷରୁ ଅଧିକ ସଂଖ୍ୟକ ଶଯ୍ୟା ବ୍ୟବସ୍ଥା କରାଯିବ।
ତୃଣମୂଳସ୍ତରରୁ ସଶକ୍ତୀକରଣ:
ମୁଖ୍ୟମନ୍ତ୍ରୀଙ୍କ ଏହି ମହତ ଉଦ୍ଦେଶ୍ୟ ଲୋକଙ୍କ ଦ୍ୱାରା ଓ ଲୋକଙ୍କ ମାଧ୍ୟମରେ ସଫଳ ହେବାକୁ ଯାଉଛି। ସେଥିପାଇଁ ସେ ପଞ୍ଚାୟତସ୍ତରରେ କାମ କରାଇବା ପାଇଁ ସିଦ୍ଧାନ୍ତ ନେଇଛନ୍ତି। ପଞ୍ଚାୟତସ୍ତରରେ ଥିବା ସମସ୍ତ ସୁବିଧା ଓ ସୁଯୋଗକୁ ବ୍ୟବହାର କରି ସରପଞ୍ଚମାନେ ଏହା କରିବେ ବୋଲି ତାଙ୍କର ଦୃଢ଼ ଆଶା ରହିଛି। ସେଥିପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିବା ପାଇଁ ସେ ପଛାଇ ନାହାନ୍ତି। ଏହା ଏକ ଐତିହାସିକ ନିଷ୍ପତ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ବିଜୁ ପଟ୍ଟନାୟକଙ୍କ ବିଶ୍ୱାସ ଥିଲା ଯେ ସମାଜର ତୃଣମୂଳସ୍ତରର ଲୋକଙ୍କୁ ସମ୍ମାନର ସହ ବଞ୍ଚିବାରେ ସାଧାରଣ ଲୋକ ପ୍ରତିନିଧିଙ୍କୁ ନେଇ ଗଠିତ ଏହି ସମାନ୍ତରାଳ ପ୍ରଶାସନିକ ଉପକରଣ ଅଧିକ ଭଲ ପ୍ରଦର୍ଶନ କରିପାରିବ। ପଞ୍ଚାୟତିରାଜ ବ୍ୟବସ୍ଥାର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପାଇଁ ବିଜୁ ବାବୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଥିଲେ। ତୃଣମୂଳସ୍ତରରେ ସରକାରଙ୍କ ପ୍ରତିନିଧି ଭାବେ ହଜାରହଜାର ଲୋକ କାର୍ଯ୍ୟ କରିବା ଦ୍ୱାରା ପଞ୍ଚାୟତିରାଜ ବ୍ୟବସ୍ଥାରେ ଗଣତନ୍ତ୍ରର ପ୍ରକୃତ ଲକ୍ଷ୍ୟ ପୂରଣ ହୋଇଥାଏ ବୋଲି ବିଜୁବାବୁ ବିଶ୍ୱାସ କରୁଥିଲେ। ବିଜୁ ବାବୁଙ୍କ ପଦାଙ୍କ ଅନୁସରଣ କରି ତାଙ୍କ ନବୀନ ପଟ୍ଟନାୟକ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରି ଐତିହାସିକ ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହା ଦ୍ୱାରା ସରପଞ୍ଚମାନେ ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କ ଗତିବିଧି ଉପରେ ନଜର ରଖିବା ସହ ପରିସ୍ଥିତିର ସଫଳ ପରିଚାଳନା କରି ଓଡ଼ିଶାର କୋଭିଡ୍‍ ୧୯ ମୁକାବିଲାକୁ ଆହୁରି ସଶକ୍ତ କରିପାରିବେ।
ପଞ୍ଚାୟତ ଓ ସରପଞ୍ଚମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ସରପଞ୍ଚମାନଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ପାରଦର୍ଶିତା ପ୍ରଦର୍ଶନ କରିବାର ଏହା ହେଉଛି ଏକ ସୁବର୍ଣ୍ଣ ସୁଯୋଗ। ଏହି ସମୟରେ ସରପଞ୍ଚମାନେ ଯଦି ସେମାନଙ୍କୁ ଦିଆଯାଇଥିବା ଗୁରୁ ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରନ୍ତି, ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହେବା ସହ ସବୁଦିନ ପାଇଁ ଦେଶରେ ଏହା ଏକ ଉଦାହରଣ ହୋଇ ରହିବ। ଭବିଷ୍ୟତରେ ସରପଞ୍ଚମାନେ ମଧ୍ୟ ସାଧାରଣ ଲୋକଙ୍କ ଶତ ପ୍ରତିଶତ ବିଶ୍ୱାସଭାଜନ ହୋଇପାରିବେ।
କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ:
କେବଳ ବିକେନ୍ଦ୍ରୀକରଣ ଓ ମାନବିକ ଦୃଷ୍ଟିକୋଣ ଏହି ଅସାଧାରଣ ପରିସ୍ଥିତିର ସମାଧାନ କରିପାରିବ। ପ୍ରତ୍ୟେକ ଅସାଧାରଣ ପରିସ୍ଥିତି ପାଇଁ ଅସାଧାରଣ ସମାଧାନର ଆବଶ୍ୟକତା ରହିଛି। ଶ୍ରମିକ ଓ ତୃଣମୂଳସ୍ତରରେ ଥିବା ସାଧାରଣ ଲୋକଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ କାର୍ଯ୍ୟ କରିବା ବର୍ତ୍ତମାନ ସମୟରେ ଆବଶ୍ୟକତା ରହିଛି, କିନ୍ତୁ ତଳସ୍ତରରେ ଥିବା ଲୋକଙ୍କ ପାଇଁ କୋଭିଡ୍‍ ୧୯ ସଙ୍କଟ ଦୂର କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏବେ ସେମାନଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସରକାର ଚାହୁଁଛନ୍ତି।
ଖୁବ୍‍ ଅଳ୍ପ ସମୟ ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍‍ପିଟାଲ୍‍ ପ୍ରତିଷ୍ଠା ନିଷ୍ପତ୍ତି ଐତିହାସିକ ଓ ଆଶ୍ଚର୍ଯ୍ୟଜନକ। ଯଦି ପ୍ରାଥମିକସ୍ତରରେ କରୋନାଭୂତାଣୁର ଚିହ୍ନଟ କରି ତୁରନ୍ତ ଏହାର ଚିକିତ୍ସା ଓ ମୁକାବିଲା କରା ନ ଯାଏ ତେବେ ଏହା ଅନେକ ଲୋକଙ୍କ ପାଇଁ ପ୍ରାଣଘାତୀ ହୋଇପାରେ ବୋଲି ନବୀନ ପଟ୍ଟନାୟକ ଅନୁଭବ କରିବା ପରେ ବିଭିନ୍ନ ଜିଲ୍ଲାରେ ଆଗୁଆ କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲେ। କିମ୍‍ସ ହସ୍‍ପିଟାଲ୍‍ ମାଧ୍ୟମରେ ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ କାର୍ଯ୍ୟକାରୀ କରି ଭାରତର କୋଭିଡ୍‍ ମୁକାବିଲାରେ କିଛିଟା ସହାୟକ ହୋଇପାରିଥିବାରୁ ମୁଁ ଆନନ୍ଦିତ। ପ୍ରତ୍ୟେକ ଜିଲ୍ଲାରେ କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପ୍ରିଲ୍‍ ୧୫ରେ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟରେ ୬ହଜାର ଶଯ୍ୟା ବିଶିଷ୍ଟ ୩୬ଟି କୋଭିଡ୍‍ ହସ୍‍ପିଟାଲ୍‍ ପ୍ରସ୍ତୁତ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହିସବୁ କୋଭିଡ୍‍ ହସ୍‍ପିଟାଲ୍‍ରେ କରୋନା ସଂକ୍ରମିତ ମାଗଣାରେ ଚିକିତ୍ସିତ ହୋଇପାରିବ। ମୁଖ୍ୟମନ୍ତ୍ରୀ ଯଥାର୍ଥରେ କହିଛନ୍ତି ମଣିଷ ଜୀବନ ଆଗ, ଅର୍ଥ ହେଉଛି ପଛ। ତାହା ହିଁ ସେ ପ୍ରତିପାଦିତ କରିଛନ୍ତି। ଏହା ଓଡ଼ିଶା, ଓଡ଼ିଆ ଏବଂ ନବୀନ ପଟ୍ଟନାୟକଙ୍କ ସଦ୍‍ଗୁଣ, ବିଚାରଧାରା ଓ କ୍ଷମତାର ସଂଜ୍ଞା ନିରୂପଣ କରୁଛି।
ଦ୍ୱିତୀୟରେ କରୋନାର ବ୍ୟାପକତା, ସଂକ୍ରମଣ ଓ ଏଥିରୁ କେବେ ସଂପୂର୍ଣ୍ଣ ନିସ୍ତାର ମିଳିବ, ତାହା କେହି ଜାଣିନାହାନ୍ତି। ସେଥିପାଇଁ ଆଗରୁ ସଜାଗ ରହିବା ସହ ମୁଖ୍ୟମନ୍ତ୍ରୀ ଲୋକଙ୍କ ଉପକାର ପାଇଁ ଏତେ ସଂଖ୍ୟକ କୋଭିଡ୍‍ ହସ୍‍ପିଟାଲ୍‍ ସ୍ଥାପନ କରାଇଛନ୍ତି। ଯଦି ଭବିଷ୍ୟତରେ କରୋନା ସଂକ୍ରମଣ ବୃଦ୍ଧି ପାଏ, ତେବେ ଲୋକମାନେ ସ୍ୱାସ୍ଥ୍ୟସେବାରୁ ଯେପରି ବଞ୍ଚିତ ନ ହୁଅନ୍ତି, ତାହା ହେଉଛି ଏହି ୩୬ଟି ସ୍ୱତନ୍ତ୍ର କୋଭିଡ୍‍ ହସ୍‍ପିଟାଲ୍‍ କରିବାର ମୁଖ୍ୟ ଉଦ୍ଦେଶ୍ୟ।
ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ହୋଇ ରହି ଆସିଛି। ପ୍ରାକୃତିକ ବିପର୍ଯ୍ୟୟକୁ ସଫଳତାର ସହ ପରିଚାଳନା ଓ ମୁକାବିଲା କରିବାରେ ଓଡ଼ିଶା ସିଦ୍ଧହସ୍ତ। ଏଥିପାଇଁ ଓଡ଼ିଶା ଜାତୀୟ ଓ ଅାନ୍ତର୍ଜାତିକ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଛି ଓ ନବୀନ ପଟ୍ଟନାୟକ ମଧ୍ୟ ବହୁ ପ୍ରଶଂସିତ ହୋଇଛନ୍ତି। ସେହିପରି ସଂପ୍ରତି ଏହି ମହାମାରୀ ବିପର୍ଯ୍ୟୟର ମୁକାବିଲା କରିବାକୁ ଯାଇ ସେ ଯେଉଁ ଐତିହାସିକ ପଦକ୍ଷେପ ନେଇଛନ୍ତି, ସେଥିପାଇଁ ଓଡ଼ିଶା ଆଜି ସାରା ଭାରତ ତଥା ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଏହି ତିନୋଟି ଐତିହାସିକ ସିଦ୍ଧାନ୍ତ ସବୁଦିନ ପାଇଁ ଓଡ଼ିଶା ଇତିହାସରେ ଲିପିବଦ୍ଧ ହୋଇ ରହିବ।

 

ଅଚ୍ୟୁତ ସାମନ୍ତ
କନ୍ଧମାଳ ସାଂସଦ ତଥା ପ୍ରତିଷ୍ଠାତା କିଟ୍‍ ଓ କିସ୍‍

Comments are closed.