ଅନ୍ତରୀକ୍ଷ କେନ୍ଦ୍ରରେ ମହିଳାଙ୍କ ରେକର୍ଡ ରହଣି ମହାକାଶରେ ଦୀର୍ଘଜୀବନ ଆଶା ଉଜ୍ଜୀବିତ

# ୩୨୮ଦିନ ପରେ ଫେରିଲେ ‘ନାସା’ ମହାକାଶଚାରୀ
# ୫୨୪୮ଥର ପୃଥିବୀକୁ ପ୍ରଦକ୍ଷିଣ କଲେ ଖ୍ରୀଷ୍ଟିନା କୋଚ୍‌
#  ବହୁ ମହାକାଶଯାନ ଆତଯାତର ସାକ୍ଷୀ ପାଲଟିଛନ୍ତି
#  ବିକଶିତ ହେବ ଆଲ୍‌ଫା ମ୍ୟାଗ୍‌ନେଟିକ୍‌ ସ୍ପେକ୍ଟୋମିଟର
#  ମଣିଷର କ୍ଷୁଦ୍ରାତିତମ ତନ୍ତୁର ଚିତ୍ର ଉତ୍ତୋଳନ ସମ୍ଭବ

କାଜାକସ୍ଥାନ : ମହାକାଶରେ ରେକର୍ଡ ୩୨୮ ଦିନ ଅତିବାହିତ କରିବା ପରେ ପୃଥିବୀପୃଷ୍ଠକୁ ଫେରିଛନ୍ତି ନାସା ମହାକାଶଚାରୀ ଖ୍ରୀଷ୍ଟିନା କୋଚ୍‌। ମହିଳା ମହାକାଶଚାରୀ ଭାବେ ସେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍‌ (ଆଇଏସ୍‌ଏସ୍‌)ରେ ସର୍ବାଧିକ ସମୟ ଅବସ୍ଥାନ କରିବାର ରେକର୍ଡ ସ୍ଥାପନ କରିଛନ୍ତି। ଗୁରୁବାର ଅପରାହ୍ଣ ୨ଟା ୪୧ରେ କାଜାକସ୍ଥାନର ଦକ୍ଷିଣ-ପୂର୍ବାଞ୍ଚଳ ସହର ଝେଜକାଜଗାନ୍‌ଠାରେ ଖ୍ରୀଷ୍ଟିନା ଆକାଶଛତା ସାହାଯ୍ୟରେ ସୁରକ୍ଷିତ ଅବତରଣ କରିଥିଲେ। ରାତି ୧୨ଟା ୨୦ରେ ସେ ଆଇଏସ୍‌ଏସ୍‌ରୁ ମହାକାଶ ଯାନ ସୋୟୁଜ ଏମ୍‌ଏସ୍‌-୧୩ରେ ପୃଥିବୀ ଅଭିମୁଖେ ବାହାରିଥିଲେ। ରୁଷିଆ ମହାକାଶ ସଂସ୍ଥା ରସ୍‌କସ୍‌ମସ୍‌ର ମହାକାଶ ବିଜ୍ଞାନୀ ତଥା ସୋୟୁଜର କମାଣ୍ଡର ଆଲେକ୍‌ଜାଣ୍ଡାର ସୋଭୋରତ୍ସବ ଓ ୟୁରୋପୀୟ ମହାକାଶ ସଂସ୍ଥାର ଲୁକା ପର୍ମିଟାନୋଙ୍କ ସହିତ ସେ ମହାକାଶରୁ ଫେରିଛନ୍ତି।

ମହାକାଶରେ ୩୨୮ ଦିନ ରହଣି ମଧ୍ୟରେ ଖ୍ରୀଷ୍ଟିନା ପୃଥିବୀର କକ୍ଷପଥରେ ୫୨୪୮ଥର ପ୍ରଦକ୍ଷିଣ କରିଛନ୍ତି; ଯାହାକି ୧୩୯ନିୟୁତ ମାଇଲ। ଏହା ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ୨୯୧ ଥର ଯା’ଆସ ସହିତ ସମାନ ବୋଲି ନାସା ପକ୍ଷରୁ କୁହାଯାଇଛି। ପ୍ରାୟ ୧୧ମାସ ଅବସ୍ଥାନ କାଳରେ କୋଚ୍‌ ମହାକାଶ ଯାନରୁ ବାହାରି ମହାଶୂନ୍ୟରେ ସେ ୬ଥର ପଦପାତ (ସ୍ପେସ୍‌ୱାକ୍‌) କରିଛନ୍ତି। ଏହାର ଅବଧି ୪୨ଘଣ୍ଟା ୧୫ମିନିଟ। କୋଚ୍‌ଙ୍କର ଏହା ତୃତୀୟ ମହାକାଶ ଅଭିଯାନ। ମହାକାଶରେ ରହଣି ସମୟରେ କୋଚ୍‌ ବହୁ ମହାକାଶ ଯାନ ଆତଯାତର ସାକ୍ଷୀ ପାଲଟିଛନ୍ତି। କୋଚ୍‌ ୨୦୧୯ ମାର୍ଚ୍ଚ ୧୪ରେ ମହାକାଶକୁ ଯାଇଥିଲେ। ତାଙ୍କ ସହିତ ନାସାର ନିକ୍‌ ହଗ୍‌ ଓ ରୁଷିଆର ଆଲେକ୍ସି ଓଭ୍‌ଚିନିନ୍‌ ଯାଇଥିଲେ ମଧ୍ୟ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମହିଳା ଭାବେ ମହାକାଶ ରହଣିରେ ରେକର୍ଡ କରିଥିବା କୋଚ୍‌ ଆମେରିକୀୟ ମହାକାଶଚାରୀଙ୍କ ମଧ୍ୟରେ ଅବଧିର ଦୀର୍ଘତା ଦୃଷ୍ଟିରୁ ଦ୍ବିତୀୟ ଓ ସାମଗ୍ରିକ ଭାବେ ସପ୍ତମ। କୋଚ୍‌ଙ୍କ ଏହି ସଫଳତା ଭବିଷ୍ୟତରେ ମହାକାଶରେ ମହିଳାଙ୍କ ଏକକ ସୁଦୀର୍ଘ ରହଣି ପାଇଁ ପ୍ରେରଣା ଯୋଗାଇଛି। ଏହାଦ୍ବାରା ଚନ୍ଦ୍ରରେ ମଣିଷଙ୍କ ଅବସ୍ଥାନ ଓ ମଙ୍ଗଳକୁ ମଣିଷ ପଠାଇବାର ସମ୍ଭାବନା ସୃଷ୍ଟି ହୋଇଛି। ନାସାର ଆମେରିକୀୟ ମହାକାଶଚାରୀ ସ୍କଟ୍‌ କେଲି ୨୦୧୫-୧୬ରେ ସର୍ବାଧିକ ୩୪୦ଦିନ ମହାକାଶରେ ଅବସ୍ଥାନ କରିଛନ୍ତି।

କୋଚ୍‌ଙ୍କ ସହ ଦୁଇ ମହାକାଶଚାରୀ ପର୍ମିଟାନୋ ଓ ସୋଭୋରତ୍ସବ ମହାକାଶରେ ମୋଟ ୨୦୧ଦିନ ଅବସ୍ଥାନ ସହ ପୃଥିବୀର କକ୍ଷପଥକୁ ୩୨୧୬ଥର ପ୍ରଦକ୍ଷିଣ କରିଛନ୍ତି। ସେମାନଙ୍କ ଯାତ୍ରାପଥ ୮୫.୨ନିୟୁତ ମାଇଲ। ପର୍ମିଟାନୋ ଦ୍ବିତୀୟ ଥର ମହାକାଶକୁ ଯାଇଛନ୍ତି। ଚଳିତ ଥରକୁ ମିଶାଇ ସେ ମୋଟ ୩୬୭ ଦିନ ମହାକାଶରେ ଅବସ୍ଥାନ କଲେଣି। ଏଥିମଧ୍ୟରେ ସେ ୨୫ଘଣ୍ଟା ୩୦ମିନିଟ ସ୍ପେସ୍‌ୱାକ୍‌ କରିବା ପରେ ଏବେ ଷଷ୍ଠ ​ସ୍ପେସ୍‌ୱାକ୍‌ କରୁଛନ୍ତି। ଏହାକୁ ମିଶାଇଲେ ତାଙ୍କର ଏହି ଅବଧି ମୋଟ ୩୩ଘଣ୍ଟା ୯ମିନିଟ ହେବ। ସେ ୬୧ ମହାକାଶ ଅଭିଯାନର କମାଣ୍ଡର ଅଛନ୍ତି। ସେହିପରି ସୋଭୋରତ୍ସବ ତାଙ୍କର ତୃତୀୟ ମହାକାଶ ଅଭିଯାନରେ ମୋଟ ୫୪୬ଦିନ ବିତାଇଲେଣି।ଭୂପୃଷ୍ଠରେ ଅବତରଣ କରିବା ପରେ ତିନି ମହାକାଶଚାରୀଙ୍କୁ କାଜାକସ୍ଥାନର କାରାଗାଣ୍ଡାସ୍ଥିତ ସୁସ୍ଥତା କେନ୍ଦ୍ରକୁ ଅଣାଯାଇଥିଲା। ପରେ କୋଚ୍‌ ଓ ପର୍ମିଟାନୋଙ୍କୁ ନାସାର ସ୍ବତନ୍ତ୍ର ବିମାନ ଯୋଗେ ଜର୍ମାନୀର କୋଲୋନ୍‌କୁ ଅଣାଯାଇଛି। ସେଠାରେ ପର୍ମିଟାନୋଙ୍କ ପାଇଁ ସମ୍ବର୍ଦ୍ଧନାର ଆୟୋଜନକରାଯାଇଛି। କୋଚ୍‌ଙ୍କୁ ଆମେରିକାର ତାଙ୍କ ନିଜ ସହର ହଷ୍ଟନକୁ ଅଣାଯାଇଛି। ଅପରପକ୍ଷରେ ସୋଭୋରତ୍ସବଙ୍କୁ ରୁଷିଆର ନିଜ ସହର ଷ୍ଟାର ସିଟିରେ ପହଞ୍ଚାଯାଇଛି।ଏହି ଅଭିଯାନ ଫଳରେ ଭୂ-ବିଜ୍ଞାନ, ଜୈବବିଜ୍ଞାନ, ମାନବୀୟ ଗବେଷଣା, ଶରୀର ବିଜ୍ଞାନ ଓ ବୈଷୟିକ ଗବେଷଣା କ୍ଷେତ୍ରରେ ବହୁ ଉପାଦେୟ ତଥ୍ୟ ହାସଲ ହୋଇଛି। ବିଶେଷକରି ‘ଆଲ୍‌ଫା ମ୍ୟାଗ୍‌ନେଟିକ୍‌ ସ୍ପେକ୍ଟୋମିଟର’ର ବିକାଶ କ୍ଷେତ୍ରରେ ଅଗ୍ରଗତିର ସମ୍ଭାବନା ସୃଷ୍ଟି ହୋଇଛି। ଏହାଦ୍ବାରା ୩-ଡି ଜୈବ ମୁଦ୍ରଣ, ମାନବ ଶରୀରର ତନ୍ତୁର କ୍ଷୁଦ୍ରାତିକ୍ଷୁଦ୍ର ଚିତ୍ରଗ୍ରହଣ, ମହାଶୂନ୍ୟରେ ଦୀର୍ଘ ଜୀବନ ଇତ୍ୟାଦି ସମ୍ପର୍କରେ ସଫଳତା ହାସଲ ହୋଇଛି। କୋଚ୍‌ ମହାକାଶ ଅଭିଯାନରେ ୨୧୦ ବିଷୟ ଉପରେ ଗବେଷଣା କରିଛନ୍ତି। ଏଥିସହିତ ୬୨ତମ ମହାକାଶ ଅଭିଯାନ କାର୍ଯ୍ୟକ୍ଷମ ହୋଇଛି।

Comments are closed.