ମହାକାଶ ଜ୍ଞାନକୌଶଳ ଲୋକମାନଙ୍କ ଜୀବନରେ କାମରେ ଆସୁଛି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ କହିଛନ୍ତି, ମହାକାଶ ଜ୍ଞାନକୌଶଳ ଆଜି ଲୋକମାନଙ୍କ ଜୀବନରେ କାମରେ ଆସୁଛି ଓ ବହୁ କଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ଭାରତ ମହାକାଶ ଜ୍ଞାନକୌଶଳ କ୍ଷେତ୍ରରେ ଯଥେଷ୍ଟ ଅଗ୍ରଗତି ହାସଲ କରିଛି ଓ ମଙ୍ଗଳଯାନ ଓ ଚନ୍ଦ୍ରଯାନକୁ ମହାକାଶକୁ ପ୍ରେରଣ କରିଛି। ଦୁଇ ମାସ ବ୍ୟାପୀ ବିଜ୍ଞାନ ସମାଗମ ପ୍ରଦର୍ଶନୀକୁ ନୂଆଦିଲ୍ଲୀରେ ଉଦ୍‍ଘାଟନ କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଗତ ପାଞ୍ଚ ବର୍ଷର ଶାସନ କାଳରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ଦିଗରେ ଅନେକ ମହତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି।

ସେ କହିଛନ୍ତି, ଦୀର୍ଘ ୭ ଦଶନ୍ଧି ପରେ ଦେଶରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବିକାଶ ପାଇଁ କାର୍ଯ୍ୟ କରିଥିବା ମହାନ ବୈଜ୍ଞାନିକମାନଙ୍କର ସ୍ବପ୍ନ ଆଜି ସାକାର ହେବାକୁ ଯାଉଛି। ଏହି ପ୍ରଦର୍ଶନୀକୁ ବହୁସଂଖ୍ୟାରେ ଆସି ଦେଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରିଛନ୍ତି। ବିଜ୍ଞାନ ସମାଗମ ପ୍ରଦର୍ଶନୀ CERN, INO, FAIR, TMT, LIGO, ITER ଓ ଅନ୍ୟ ଅନୁଷ୍ଠାନଗୁଡ଼ିକ ବିଷୟରେ ତଥ୍ୟ ଯୋଗାଇବା ପାଇଁ ଏକ ପ୍ରକୃଷ୍ଟ କାର୍ଯ୍ୟକ୍ରମ। ଭାରତ ମଧ୍ୟ ଅନେକ ପ୍ରକଳ୍ପରେ ଅଂଶଗ୍ରହଣ କରୁଛି। ଏହି ପ୍ରଦର୍ଶନୀକୁ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ।

Comments
Loading...