ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ତ୍ବରିତ ପଦକ୍ଷେପ : ଲକ୍ଷାଧିକ ଟଙ୍କାର ଠକେଇ ସାମଗ୍ରୀ ଜବତ, ୨ ଗିରଫ

ସୁନ୍ଦରଗଡ଼ : ବିଭିନ୍ନ ଉପାୟରେ ହେଉଥିବା ଠକେଇ ଘଟଣା ପୁଲିସର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ସହରର ଏକ ଅତ୍ୟାଧୁନିକ ସୋ ରୁମରୁ ଲକ୍ଷାଧିକ ଟଙ୍କାର ଠକେଇ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଠକେଇ ଘଟଣାକୁ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ଗୁରୁତ୍ୱତାର ସହ ନେଇ ଏତଲା ଦେବାର ୨୪ଘଣ୍ଟା ମଧ୍ୟରେ ଠକି କରି ନେଇଥିବା ଦାମି ସାମଗ୍ରୀ ଗୁଡ଼ିକୁ ଜବତ କରିବା ଓ ଦୁଇଜଣଙ୍କୁ ଗିରଫ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ଏ ସଂପର୍କରେ ସତ୍ୟମ ସୋ ରୁମର ମାଲିକ ନିରଜ ଅଗ୍ରୱାଲ ପୁଲିସକୁ ଘଟଣା ଘଟିବାର କିଛି ଦିନ ପରେ ମୌଖିକ ଆକାରରେ କହିଥିଲେ ହିଁ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଟାଉନ ପୁଲିସ ଲାଗିପଡ଼ି ଅତି ଚତୁରତାର ସହ ଦୁଇ ଯୁବକଙ୍କୁ ଗିରଫ କରିବା ସହ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଠକି ନେଇଥିବା ରେଫ୍ରିଜେରେଟର, ଦୁଇ ଏଲଇଡି ଟିଭି, ଦୁଇ ସିଲିଙ୍ଗ ଫେନ, ଇନଭେଟର, ବ୍ୟାଟେରି, ମୋବାଇଲ ଫୋନ, ଦାମିକିଆ ଚୌକି ଆଦି ଜବତ କରିଛନ୍ତି।

ସୂଚନା ଯୋଗ୍ୟ, ଗିରଫ ଦୁଇ ଯୁବକ ଆର୍ଯ୍ୟନ ଟାୟର ସପ୍ଲାୟାରଙ୍କ ଠାରୁ ଅନୁରୂପ ଢଙ୍ଗରେ ୪ନୂଆ ଟାୟର ଠକେଇ କରି ନେଇଯାଇଥିଲେ। ଗିରଫ ଦୁଇ ଯୁବକ ଲକ୍ଷ୍ମୀକାନ୍ତ ପଟ୍ଟନାୟକ(୩୦) ଓ ଶ୍ରୀକାନ୍ତ ତନ୍ତୀ(୨୬) ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଏମାନେ ଜେସିସି ପ୍ରାଇଭେଟ ଲିମିଟେଡର ଅଧିକାରୀ ବୋଲି କହି ଏ ସାମଗ୍ରୀ ଗୁଡ଼ିକ ଠକି ନେଇ ଚେକ ପ୍ରଦାନ କରିଥିଲେ ମାତ୍ର ଚେକ ଗୁଡ଼ିକ କୁଆଡ଼େ ବାଉନ୍ସ ହେବା ଓ ପରବର୍ତ୍ତୀ ସମୟରେ ସେମାନଙ୍କ କଥାବାର୍ତ୍ତାରେ ସନ୍ଦେହ ହେବାରୁ ସୋ ରୁମ ମାଲିକ ପୁଲିସ ସହାୟତା ନେଇଥିଲେ। ଅପରାହ୍ନରେ ସଦର ଏସ.ଡି.ପି.ଓ ମଧୁଶିକ୍ତା ମିଶ୍ର ଟାଉନ ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏ ସଂପର୍କରେ ବିସ୍ତୃତ ସୂଚନା ଦେଇଥିବା ବେଳେ ଟାଉନ ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ ପୁଲିସ କିପରି ଏମାନଙ୍କୁ ନିଜ ପଞ୍ଝାକୁ ଆଣିଥିଲା ସେକଥା ସୂଚନା ଦେଇଥିଲେ।

Comments are closed.