ଏସ୍‌ପି-ବିଏସ୍‌ପି ମେଣ୍ଟ ଜାରି ରହିବ

ଲକ୍ଷ୍ନୌ : ସାଧାରଣ ନିର୍ବାଚନରେ ଯଦିଓ ଏସ୍‌ପି-ବିଏସ୍‌ପି ମେଣ୍ଟ ସେଭଳି କିଛି ଚମତ୍କାର ଦେଖାଇପାରି ନାହିଁ ତଥାପି ଆଗାମୀ ୨୦୨୨ ବିଧାନସଭା ନିର୍ବାଚନ ପାଇଁ ଏହି ମେଣ୍ଟ କାଏମ ରଖିବାକୁ ଉଭୟ ଦଳର ମୁଖ୍ୟ ସ୍ଥିର କରିଛନ୍ତି। ଏହା ପୂର୍ବରୁ ଏହି ମେଣ୍ଟ ଆଗାମୀ ଉପନିର୍ବାଚନରେ ରାଜ୍ୟସ୍ତରରେ ପ୍ରଥମଥର ପାଇଁ ନିଜର ଭାଗ୍ୟ ପରୀକ୍ଷା କରିବାର ସୁଯୋଗ ଲାଭ କରିବ। ସଦ୍ୟ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ୧୧ ଜଣ ବିଧାୟକ ନିର୍ବାଚିତ ହୋଇଥିବାରୁ ଉକ୍ତ ବିଧାନସଭା ଆସନଗୁଡିକରେ ଉପନିର୍ବାଚନ ଅନୁଷ୍ଠିତ ହେବ। ବିଏସ୍‌ପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏସ୍‌ପି ଓ ଆରଏଲଡି ସହିତ ଆଗକୁ ମେଣ୍ଟ ଜାରି ରହିବ ବୋଲି ଶନିବାର ନୂଆଦିଲ୍ଲୀ ଯିବା ପୂର୍ବରୁ ମାୟାବତୀ ବିଏସ୍‌ପି କର୍ମୀଙ୍କୁ କହିଥିଲେ।
ଅବଶ୍ୟ ଏସ୍‌ପି-ବିଏସ୍‌ପି-ଆରଏଲଡି ମେଣ୍ଟ ଆଶାଅନୁରୂପ ସଫଳତା ଲୋକସଭା ନିର୍ବାଚନରେ ହାସଲ କରିପାରି ନାହିଁ। ତଥାପି ଏହା ବିଏସ୍‌ପି ପାଇଁ ଲାଭଦାୟକ ହୋଇପାରିଛି। କାରଣ ଦଳ ଏହାର ଲୋକସଭା ଆସନ ସଂଖ୍ୟା ଶୂନ୍ୟରୁ ୧୦କୁ ବୃଦ୍ଧି କରିପାରିଛି। ମାତ୍ର ଏସ୍‌ପି ପାଇଁ ଏହା ବିଶେଷ ଶୁଭଙ୍କର ହୋଇପାରି ନାହିଁ। ଏସ୍‌ପି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ଏବଂ ସମ୍ପର୍କୀୟ ଧର୍ମେନ୍ଦ୍ର ଯାଦବ ଓ ଅକ୍ଷୟ ଯାଦବ ବିଜେପି ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଛନ୍ତି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟର କେତେକ ବିଧାୟକ ମଧ୍ୟ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ରୀତା ବହୁଗୁଣା ଯୋଶୀ ଆହ୍ଲାବାଦରୁ ଜିତିଥିବାରୁ ତାଙ୍କ ବିଧାନସଭା ଆସନ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଖାଲିପଡିବ। ସେହିଭଳି ସତ୍ୟଦେବ ପଚୌରି କାନପୁରରୁ ଜିତିଥିବାରୁ ତାଙ୍କ ବିଧାନସଭା ଆସନ ଗୋବିନ୍ଦ ନଗରରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏସ୍‌ପି ସିଂ ବାଘେଲା ଆଗ୍ରାରୁ ଜିତିଥିବାରୁ ତୁଣ୍ଡଳାରେ ଉପନିର୍ବାଚନ କରାଇବା ଆବଶ୍ୟକ ହୋଇପଡିଛି। ଅନ୍ୟ ବିଜେପିର ଯେଉଁ ବିଧାୟକମାନଙ୍କ ଆସନ ଖାଲି ହେବାକୁ ଯାଉଛି ସେମାନେ ହେଲେ ପ୍ରତାପଗଡ଼ର ସଙ୍ଗମ ଲାଲ ଗୁପ୍ତା (ପ୍ରତାପଗଡ଼ ଲୋକସଭା ଆସନ), ସାହାରଣପୁରର ପ୍ରଦୀପ କୁମାର(କୈରାନା), ଚିତ୍ରକୂଟ ବିଧାୟକ ଆରକେ ସିଂହ ପଟେଲ(ବଣ୍ଡା), ବାରବାଙ୍କି ବିଧାୟକ ଉପେନ୍ଦ୍ର ରାୱତ(ବାରବାଙ୍କି), ବାହରୈଚ ବିଧାୟକ ଅକ୍ଷର ଲାଲ (ବାହାରୈଚ) ଏବଂ ଅଲ୍ଲିଗଡ ବିଧାୟକ ରାଜବୀର ସିଂହ(ହାଥଡା)। ଏସ୍‌ପିର ଏକମାତ୍ର ବିଧାୟକ ଭାବେ ଆଜମ ଖାନ ରାମପୁରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେହିଭଳି ବିଏସ୍‌ପିର ଜବଲପୁର ବିଧାୟକ ରିତେଶ ପାଣ୍ଡେ ଆମ୍ବେଦକର ନଗରରୁ ସାଂସଦ ନିର୍ବାଚିତ ହୋଇଛନ୍ତି।

Comments are closed.