ଚୀନ ଛାଡ଼ି ଭାରତ ମୁହାଁ ହ୍ୟୁଣ୍ଡାଇ, ପୋସ୍କୋ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କୋରୋନା ଭାଇରସ ତାଣ୍ଡବ ରଚୁଛି। ଏହି ଅଦୃଶ୍ୟ ଶକ୍ତି ପାଇଁ ସମଗ୍ର ବିଶ୍ୱରେ ଅର୍ଥନୀତି ଏକ ପ୍ରକାର ଭୁଶୁଡ଼ିବାକୁ ବସିଛି। ଏହି ଅର୍ଥନୈତିକ ସଂକଟ ସମୟରେ କିଛି ଅର୍ଥନୈତିକ ବିଶେଷଜ୍ଞ କିନ୍ତୁ କିଛି ଭିନ୍ନ ମତ ଦେଇଛନ୍ତି। ବିଶ୍ୱର ସୁପର ପାଓ୍ୱାର ହେବା ପାଇଁ ଭାରତ ନିକଟରେ ଏବେ ପର୍ଯ୍ୟାପ୍ତ ପରିମାଣର ସୁଯୋଗ ରହିଛି ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି। ଏହି କ୍ରମରେ ଭାରତ ମୁହାଁ ହୋଇଛନ୍ତି ବିଶ୍ୱର ଦୁଇ ବୃହତ୍ତ ଶିଳ୍ପାନୁଷ୍ଠାନ। ଆଉ ଏଥିପାଇଁ ଭାରତ ସରକାରଙ୍କ ସହିତ ଆଲୋଚନା ଆରମ୍ଭ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ମୁତାବକ, ଚୀନରେ କରୋନାକୁ ନେଇ ସଙ୍କଟ ସୃଷ୍ଟି ହେବା ପରେ ଦକ୍ଷିଣ କୋରିଆର ଦୁଇ ବଡ଼ କମ୍ପାନୀ ହ୍ୟୁଣ୍ଡାଇ ଓ ପୋସ୍କୋ ଭାରତ ମୁହାଁ ହୋଇଥିବା ଜଣାପଡ଼ିଛି। ଏହି ଦୁଇ କମ୍ପାନୀ ଚୀନରେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି। ଏହି ଦୁଇ କମ୍ପାନୀ ଚୀନରେ ଶିଳ୍ପ ଗଢିବାର ମୂଳ କାରଣ ଥିଲା ସେଠାରେ ସ୍ୱଳ୍ପ ମଜୁରୀରେ ଶ୍ରମିକ ମିଳି ଯାଉଥିଲେ। ଏପରିକି ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଚୀନ ସରକାର ଶସ୍ତାରେ ଜମି ମଧ୍ୟ ପ୍ରଦାନ କରୁଥିଲେ।

ଯଦି ସବୁକିଛି ଠିକ ରୁହେ ଏବଂ ସରକାରଙ୍କ ସହିତ ଆଲୋଚନା ସଫଳ ହୁଏ, ତେବେ ଖୁବ ଶୀଘ୍ର ଏହି ଦୁଇ କମ୍ପାନୀ ଭାରତରେ ଶିଳ୍ପ ପ୍ରତିଷ୍ଠା କରିବେ। ସେପଟେ ଏହି ଦୁଇ କମ୍ପାନୀ ହଟିଗଲେ, ଚୀନ ସିଧାସଳଖ ଭାବେ ଲକ୍ଷାଧିକ କୋଟି ଟଙ୍କାର କ୍ଷତି ସହିବ। ଅନୁରୂପ ଭାବେ ଭାରତକୁ ମଧ୍ୟ କୋଟି କୋଟି ଟଙ୍କାର ଫାଇଦା ହେବ। ଏହା ସହିତ ଭାରତରେ ଶ୍ରମିକ, ମ୍ୟାନେଜମେଣ୍ଟ ଭଳି କ୍ଷେତ୍ରରେ ହଜାର ହଜାର ସଂଖ୍ୟାରେ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ। ଏହି ସୁଯୋଗକୁ ଭାରତ ହାତଛଡ଼ା କରିବ ନାହିଁ।

ଆହୁରି ମଧ୍ୟ ସୂଚନା ରହିଛି ଯେ, କମ୍ପାନୀ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସରକାର କାର୍ଯ୍ୟ କରୁଛନ୍ତି। ସେପଟେ ମୋଦୀ ସରକାର ଚାହୁଁଛନ୍ତି ଯେ, ଚୀନରୁ ଯେଉଁ ସବୁ କମ୍ପାନୀ ହଟିବେ, ସେମାନଙ୍କ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମ ପସନ୍ଦ ଭାରତ ହେଉ। ଏହା ବ୍ୟତୀତ ଆମେରିକା, ଜାପାନ, ଜର୍ମାନୀ ପ୍ରଭୃତି ରାଷ୍ଟ୍ର ମୁଖ୍ୟଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସମ୍ପର୍କ ମଧ୍ୟ ବେଶ ଉନ୍ନତ ରହିଛି। ତେବେ ଏହାର ଫାଇଦା ମୋଦୀ ଉଠାଇ ପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ସୌଜନ୍ୟ: ଜି ନ୍ୟୁଜ

Comments are closed.