କେରଳରେ ବେଲଘର ମଲ୍ଲୀ ‘ରାଜକୁମାର’: ଦାଦନରୁ ‘ଜାଲିକାଟୁ’ ଅଭିନେତା

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲାର ବଣମଲ୍ଲୀ ଏବେ ଦକ୍ଷିଣ ଭାରତରେ ବାସୁଛି। ନିଷ୍ଠା ଓ ଉଦ୍ୟମ ବଳରେ ପ୍ରମାଣ କରିଛନ୍ତି କନ୍ଧମାଳ ଭଳି ଆଦିବାସୀ ବହୁଳ ଜିଲାର ଜଣେ ଆଦିବାସୀ ଯୁବକ। ଅଖ୍ୟାତ ପଲ୍ଲୀର ଏହି ଯୁବକ ଜଣକ ଏବେ ଦକ୍ଷିଣ ଭାରତ ଚଳଚ୍ଚିତ୍ର ଜଗତରେ ଜଣେ ଚର୍ଚ୍ଚିତ ଅଭିନେତା ଭାବେ ଉଭା ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅର୍ନ୍ତଗତ କୁଟିଆକନ୍ଧ ବହୁଳ ବେଲଘର ପଞ୍ଚାୟତର ଏହି ଯୁବକ ଜଣକ ପରିବାରର ଆର୍ଥିକ ଦୁସ୍ଥିତିକୁ ଦେଖି ଦାଦନ ଖଟିବାକୁ କେରଳ ରାଜ୍ୟକୁ ଯାଇ ପରବର୍ତ୍ତୀ ସମୟରେ ସେଠାରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ନିଜକୁ ପ୍ରତିପାଦନ କରିଛନ୍ତି।
ତୁମୁଡିବନ୍ଧ ବ୍ଲକ ବେଲଘର ପଞ୍ଚାୟତ ଅନ୍ତର୍ଗତ ଝାଲିପଡା ଗ୍ରାମର ଭୀମସେନ ନାୟକ ଏବଂ ମାତା କଲମଦେଇ ନାୟକଙ୍କ ଚତୁର୍ଥ ସନ୍ତାନ ରାଜକୁମାର ନାୟକ ୧୯୯୬ ମସିହା ଫେବୃଆରି ୩ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ବାପା ଜଣେ ଦିନମଜୁରିଆ ଗରିବ ଶ୍ରେଣୀର ହୋଇଥିବାରୁ ଚାରିପୁଅକୁ ନେଇ ପରିବାର ପ୍ରତିପୋଷଣ କଷ୍ଟଦାୟକ ଥିଲା। ପିଲାଙ୍କୁ ପାଠ ପଢାଇବାର ଅକ୍ଷମ ଥିବା ବାପା ଭୀମସେନ କୌଣସିମତେ ରାଜ କୁମାରଙ୍କୁ ପ୍ରଥମେ ଝାଲିପଡା ପ୍ରାଥମିକ ବିଦ୍ୟାଳୟରେ ପଢିବାର ବ୍ୟବସ୍ଥା କରିଥିଲେ। ବେଲଘର ହାଇସ୍କୁଲରେ ହଷ୍ଟେଲ ସୁବିଧା ନପାଇବାରୁ ବାଧ୍ୟ ହୋଇ ଲଙ୍କାଗଡ ହାଇସ୍କୁଲ ହଷ୍ଟେଲରେ ରହି ପାଠ ପଢିଥିଲେ ରାଜକୁମାର। ଏହାପରେ ୨୦୧୨ ମସିହାରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟରେ ଯୁକ୍ତଦୁଇ ପ୍ରଥମ ବର୍ଷ କଳାରେ ନାମ ଲେଖାଇଥିଲେ। ତେବେ କଲେଜ ପଢାରେ ମଧ୍ୟ ଅର୍ଥ ବାଧକ ସାଜିବାରୁ ୨୦୧୨ ମସିହାରେ ଦାଦନ ଖଟିବାକୁ କେରଳ ଚାଲି ଯାଇଥିଲେ। ପ୍ରଥମେ ଆନ୍ଙ୍ଗାମାଲି ସହରର ହିଲଟପ୍ ହୋଟେଲ୍ରେ କାମ କରିବା ସମୟରେ ଜଣେ ଭଲ କୁକ ପାଲଟି ଯାଇଥିଲେ। ଛୋଟବେଳୁ ଜିମ୍ ଯାଇ ନିଜ ଚେହେରାକୁ ସୁନ୍ଦର ସ୍ବାସ୍ଥ୍ୟରେ ପରିଣତ କରିବାର ସ୍ୱପ୍ନ ରଖିଥିବା
ରାଜ କୁମାରଙ୍କୁ ସେଠାରେ କିଛି ବନ୍ଧୁଙ୍କ ପ୍ରେରଣା ମିଳିଥିଲା। ଆନ୍ଙ୍ଗାମାଲି ସହରର ପ୍ରତିଷ୍ଠିତ ଗୋଲ୍ ଜିମରେ ନାମ ଲେଖାଇବା ପାଇଁ ସୁଯୋଗ ମିଳିଲା। ଜିମରେ କୋଚିଂ ନେବା ସମୟରେ ଜିମ୍ ମାଷ୍ଟର ଆନସୋନ୍ ଆଣ୍ଟୋନିଙ୍କ ଦୃଷ୍ଟିକୁ ଆସିଥିଲେ ରାଜକୁମାର। ରାଜକୁମାର ୨୦୧୬ ଏବଂ ୨୦୧୭ମସିହାରେ ଲଗାତାର ୨ବର୍ଷ ମିଷ୍ଟର ଏରନାକୁଲମ୍ ବିବେଚିତ ହୋଇଥିଲେ। ଭଲ ରୋଷୋଇ ଶିଖିଥିବା କାରଣରୁ ରାଜକୁମାରଙ୍କ ଜିମ୍ ମାଷ୍ଟର ତାଙ୍କୁ ଜଣେ ମାଲାୟାଲାମ ଫିଲ୍ମ ନିର୍ଦେଶକ ଲିଜୋ ଜୋଷ୍ ପ୍ଲାସେରିଙ୍କ ସହ ସାକ୍ଷାତ କରାଇ ରୋଷେୟା ଭାବେ ନିଯୁକ୍ତି କରାଇଦେଇଥିଲେ। ରାଜକୁମାରଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ଏବଂ ବ୍ୟବହାରରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦେଶକ ତାଙ୍କୁ ୨୦୧୭ ମସିହାରେ ପ୍ରଥମ ଫିଲ୍ମ ଇସୁ ମାରିଆ ଯୋସେଫ୍ ଫିଲ୍ମରେ ଏକ ଛୋଟ ଚରିତ୍ରରେ ଅଭିନୟ କରିବାରେ ସୁଯୋଗ ପାଇଥିଲେ। ଏହା ପରେ ଜାଲିକାଟୁ ଭଳି ଅସ୍କାର ପୁରସ୍କାର ଦୌଡରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ଚରିତ୍ରରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ ରାଜକୁମାର। ବର୍ତ୍ତମାନ ସୁଦ୍ଧା ସେ ୬ଟି ମାଲାୟାଲାମ ଫିଲ୍ମରେ ଅଭିନୟ କରି ସାରିଛନ୍ତି। ଦାଦନ ଶ୍ରମିକ ଭାବେ ଯାଇ ଦକ୍ଷିଣ ଭାରତ ସିନେମାରେ ଏକ ତାରକା ବନିଯାଇଥିବା ରାଜକୁମାରଙ୍କ ପାଇଁ ଆଜି ବେଲଘର ତଥା ତୁମୁଡ଼ବନ୍ଧ ବ୍ଲକବାସୀ ଗର୍ବ ଅନୁଭବ କରି ଖୁସି ମନାଉଛନ୍ତି। ରାଜ୍କୁମାରଙ୍କ ପିତା- ମାତା, ଆତ୍ମୀୟ ସ୍ବଜନଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ରାଜ୍କୁମାର ଓଡିଆ ସିନେମା ଜଗତରେ ସୁଯୋଗ ମିଳିଲେ ଅଭିନୟ କରି ଲୋକପ୍ରିୟ ହେବାର ଅଭିଳାଷ ରଖିଥିବା ‘ସମାଜ’କୁ ସାକ୍ଷାତକାରରେ କହିଛନ୍ତି। ଦକ୍ଷିଣ ଭାରତ ସିନେମା ଜଗତରେ ଅଭିନୟ କରି କେରଳ ବାସୀଙ୍କ ଭଲପାଇବା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଛି ବୋଲି କହିଛନ୍ତି।