ଅଦ୍ଭୁତ ଗଛ; ଯାହାକୁ ହାଣିଲେ ବାହାରେ ରକ୍ତ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣନ୍ତି ଯେ, ଗଛ ଲତାଙ୍କର ଜୀବନ ଅଛି। ସେମାନେ ମଧ୍ୟ ମଣିଷଙ୍କ ଭଳି ଶ୍ୱାସକ୍ରିୟା କରନ୍ତି। କିନ୍ତୁ ଲୋକ ଗଛ କାଟିବା ସମୟରେ ଏ କଥା ଭୁଲି ଯାଆନ୍ତି। ତେବେ ଥରେ ଭାବନ୍ତୁ ତ, ଯଦି ଆପଣ ଗୋଟିଏ ଗଛ ହାଣୁଛନ୍ତି ଓ ସେଥିରୁ ମଣିଷ ଭଳି ଲାଲ ରଙ୍ଗର ରକ୍ତ ବାହାରୁଛି, ତାହେଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ? ଏଭଳି ଦୃଶ୍ୟ ଦେଖି ନିଶ୍ଚିତ ରୂପେ ଆପଣ ଭୟଭୀତ ହୋଇଯିବେ, କାରଣ ଆପଣ କେବେବି ଏହାର କଳ୍ପନା କରି ନ ଥିବେ। ହେଲେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଗଛ ବିଷୟରେ କହିବୁ, ଯାହାକୁ ହାଣିଲେ ମଣିଷ ଭଳି ଲାଲ ରକ୍ତ ବାହାରେ। ଅଧିକାଂଶ ଲୋକ ଏ ଗଛ ବିଷୟରେ ଜାଣନ୍ତି ନାହିଁ, କିନ୍ତୁ ଯେଉଁମାନେ ଜାଣନ୍ତି ସେମାନେ ଏହାକୁ ଏକ ଚମତ୍କାର ବୋଲି ଗ୍ରହଣ କରନ୍ତି।
ଦକ୍ଷିଣ ଆଫ୍ରିକାରେ ଥିବା ଏହି ଅଦ୍ଭୁତ ଗଛକୁ ଲୋକେ ‘ବ୍ଲଡ଼୍ଉଡ଼୍ ଟ୍ରୀ’ ନାଁରେ ଜାଣନ୍ତି। ଏହାର ବୈଜ୍ଞାନିକ ନାମ ହେଉଛି ‘ସେରୋକାରପସ ଏଙ୍ଗୋଲେନସିସ’। ଏହି ଖାସ୍ କିସମର ଗଛ ମୋଜାମ୍ବିକ, ନାମିବିୟା, ତଞ୍ଜାନିୟା ଓ ଜିମ୍ବାୱେ ଆଦି ଦେଶରେ ମଧ୍ୟ ଦେଖିବାକୁ ମିଳେ।ଏହି ଗଛକୁ କେବଳ କାଟିଲେ ରକ୍ତ ବାହାରେ ନାହିଁ, ଏହାର ଏକ ଡାଳ ଭାଙ୍ଗିଗଲେ ମଧ୍ୟ ସେହି ସ୍ଥାନରୁ ରକ୍ତ ବାହାରିଥାଏ।
ବାସ୍ତବରେ ଏହା ଗାଢ ଲାଲ ରଙ୍ଗର ଏକ ତରଳ ପଦାର୍ଥ, ଯାହାକି ଦେଖିବାକୁ ଠିକ୍ ରକ୍ତ ଭଳି। ଏହି ଅଦ୍ଭୁତ ଗଛର ଉଚ୍ଚତା ୧୨ରୁ ୧୮ ମିଟର ହେବ। ଏହି ଗଛରେ ଘନ ପତ୍ର ସହିତ ହଳଦିଆ ରଙ୍ଗର ଫୁଲ ଦେଖିବାକୁ ମିଳେ। ଏହାର କାଠରୁ ଅନେକ ଦାମୀ ଆସବାବପତ୍ର ତିଆରି ହୋଇଥାଏ। ଏହି କାଠର ବିଶେଷତ୍ୱ ହେଉଛି, ଏହା ସହଜରେ ମୋଡ଼ି ହୋଇଯାଏ ଓ ବେଶୀ ସଙ୍କୁଚିତ ମଧ୍ୟ ହୁଏନାହିଁ।
ଏହାକୁ ଔଷଧରେ ମଧ୍ୟ ବ୍ୟବହାର କରାଯାଏ। ଏହା ମଣିଷଙ୍କ ରକ୍ତ ସମ୍ବନ୍ଧିୟ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ଆଖି ସମସ୍ୟା, ପେଟ ରୋଗ, ମ୍ୟାଲେରିଆ ଓ ଗଭୀର ଆଘାତକୁ ମଧ୍ୟ ଭଲ କରିବାର ସାମର୍ଥ୍ୟ ଏହାର ଅଛି।