ପନ୍ତ୍‌ଙ୍କ ଶତକ, ଲକ୍ଷ୍ୟ ୨୧୨: ଦକ୍ଷିଣ ଆଫ୍ରିକା ୨/୧୦୧

କେପ୍‌ ଟାଉନ୍‌: ଚଳିତ ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଜିତିବା ପାଇଁ ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ କ୍ରମାଗତ ୩ୟ ଦିନ ପାଇଁ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି। ପ୍ରଥମଥର ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ଶୃଙ୍ଖଳା ଜିତିବା ଲାଗି ଭାରତ ୧୦ଟି ୱିକେଟ ଆବଶ୍ୟକ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୨୧୨ ରନ୍‌ ଆବଶ୍ୟକ କରୁଛି। ଶୁକ୍ରବାର ୪ର୍ଥ ଦିନରେ ମ୍ୟାଚ୍‌ର ଫଇସଲା ହେବା ନିଶ୍ଚିତ। ପ୍ରଥମ ଇନିଂସରେ ୧୩ ରନ୍‌ରେ ଆଗୁଆ ଥିବା ଭାରତ ପାଇଁ ୨ୟ ଇନିଂସରେ ଋଷଭ ପନ୍ତ୍ ଆକ୍ରମଣାତ୍ମକ ଶତକ ମାରିଥିଲେ ହେଁ ଅନ୍ୟ ପଟୁ ତାଙ୍କୁ ଯଥେଷ୍ଟ ସହଯୋଗ ନ ମିଳିବାରୁ ଭାରତ ୨ ଶହ ରନ୍ ମଧ୍ୟ କରି ପାରିନଥିଲା।

ଭାରତ ୨ୟ ଇନିଂସରେ ୧୯୮ ରନ୍‌ରେ ଅଲ୍‌ଆଉଟ ହେବା ଯୋଗୁଁ ଦକ୍ଷିଣ ଆଫ୍ରିକା ୨ୟ ଇନିଂସରେ ୨୧୨ ରନ୍‌ ବିଜୟଲକ୍ଷ୍ୟର ପିଛାକରୁଛି। ପନ୍ତ୍‌ଙ୍କ ଶତକ ସତ୍ତ୍ବେ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ନିୟମିତ ଭାବେ ୱିକେଟ ନେବାରୁ କ୍ରମାଗତ ୨ୟ ଇନିଂସରେ ଭାରତ ବଡ଼ ସ୍କୋର୍‌ କରିବାରେ ବିଫଳ ହୋଇଛି। ୨୧୨ ରନ୍‌ ବିଜୟଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଗୁରୁବାର ୩ୟ ଦିନ ଶେଷ ସୁଦ୍ଧା ୨ୟ ଇନିଂସରେ ୨ ୱିକେଟ ହରାଇ ୧୦୧ ରନ୍‌ କରିପାରିଛି। ହାତରେ ୮ଟି ୱିକେଟ ବାକିଥାଇ ଦକ୍ଷିଣ ଆଫ୍ରିକା ୪ର୍ଥ ଦିନରେ ଆଉ ୧୧୧ ରନ୍‌ ଆବଶ୍ୟକ କରୁଛି।
୨୧୨ ରନ୍‌ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ୨ୟ ଇନିଂସ ଆରମ୍ଭକରି ୨୩ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲା।

କ୍ରମାଗତ ୬ଷ୍ଠ ଇନିଂସରେ ବିଫଳ ହୋଇ ଐଡେନ୍ ମାର୍କରାମ ୧୬ ରନ୍‌କରି ମହମ୍ମଦ ସାମିଙ୍କ ଶିକାର ହୋଇଥିଲେ। ପରେ ଅଧିନାୟକ ଡିନ୍ ଏଲ୍‌ଗାର ଓ ଫର୍ମରେ ଥିବା କିଗାନ୍ ପିଟରସନ୍ ଲଢ଼ୁଆ ବ୍ୟାଟିଂ କରିଥିଲେ। ଦୁହେଁ ଦର୍ଶନୀୟ ସଟ୍‌ ଖେଳି ୨ୟ ୱିକେଟ ପାଇଁ ମୂଲ୍ୟବାନ ୭୮ ରନ୍‌ ଯୋଡ଼ିଥିଲେ। ତେବେ ଦିନର ଅନ୍ତିମ ବଲ୍‌ରେ ଯଶପ୍ରୀତ ବୁମ୍‌ରା ସେଟ୍‌ ହୋଇ ଯାଇଥିବା ଏଲ୍‌ଗାରଙ୍କ ମୂଲ୍ୟବାନ ୱିକେଟ ନେଇଥିଲେ। ଏଲ୍‌ଗାର ୯୬ ବଲ୍‌ରୁ ୩ଟି ଚୌକା ସହ ୩୦ ରନ୍‌ କରିଥିଲେ। ପିଟରସନ୍ ନିୟମିତ ଷ୍ଟ୍ରୋକ୍‌ ଖେଳି ୬୧ ବଲ୍‌ରୁ ୭ଟି ଚୌକା ସହ ୪୮ ରନ୍‌କରି ଅପରାଜିତ ଅଛନ୍ତି।

୨ୟ ଦିନରେ ଭାରତ ୨ୟ ଇନିଂସରେ ୨ ୱିକେଟ ହରାଇ ୫୭ ରନ୍‌ କରିଥିଲା। ବିପର୍ଯ୍ୟୟ ସହ ଭାରତ ୩ୟ ଦିନ ଆରମ୍ଭ କରିଥିଲା। ଦିନର ପ୍ରଥମ ୨ ଓଭରରେ ୨ଟି ୱିକେଟ ପଡ଼ିଥିଲା। ଏହି ୨ଟି ୱିକେଟ ଥିଲା ଫର୍ମ ଏବଂ ଆଗକୁ ଭାରତୀୟ ଦଳରେ ସ୍ଥାନ ପାଇଁ ସଂଘର୍ଷ କରୁଥିବା ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କର। ସର୍ଟ ପିଚ୍‌ ବଲ୍‌ରେ ଉଭୟେ କ୍ୟାଚ୍‌ ଦେଇଥିଲେ। ଦିନର ୨ୟ ବଲ୍‌ରେ ପୂଜାରା ୯ ରନ୍‌କରି ଲେଗ୍‌ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ପରବର୍ତ୍ତୀ ଓଭରରେ ରାହାଣେ ୧ ରନ୍‌କରି ସ୍ଲିପ୍‌ରେ କ୍ୟାଚ୍‌ ଦେଇଥିଲେ। ୫୮ ରନ୍‌ରେ ୪ଟି ୱିକେଟ ହରାଇ ଭାରତ ଚିନ୍ତାଜନକ ସ୍ଥିତିରେ ଥିଲା। ହେଲେ କ୍ରମାଗତ ୨ୟ ଇନିଂସରେ ଅଧିନାୟକ ବିରାଟ କୋହଲି ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଖେଳିଥିଲେ ଏବଂ ଋଷଭ ପନ୍ତ୍ ସ୍ବାଭାବିକ ଭାବେ ସଟ୍‌ ଖେଳିଥିଲେ। ଦୁହିଁଙ୍କ ମଧ୍ୟରେ ୫ମ ୱିକେଟ ପାଇଁ ୯୪ ରନ୍‌ର ଭାଗିଦାରୀ ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ୨ ଶହ ରନ୍‌ରୁ ଅଧିକ ସ୍କୋର୍‌ର ପିଛା କରିବାକୁ ପଡ଼ିଛି।

ତେବେ କୋହଲି ଆଉଟ ହେବା ସହ ଭାରତ ପୁଣି ବିପର୍ଯ୍ୟୟ ଭୋଗି ୪୬ ରନ୍‌ରେ ଶେଷ ୬ଟି ୱିକେଟ ହରାଇଥିଲା। କ୍ରମାଗତ ୨ୟ ଇନିଂସରେ ଶହେରୁ ଅଧିକ ବଲ୍‌ର ମୁକାବିଲା କରିଥିବା କୋହଲି ୪ଟି ଚୌକା ସହ ୨୯ ରନ୍‌କରି ଆଉଟ ହୋଇଥିଲେ। ଏହାପରେ ଇନିଂସ ଶେଷ ପର୍ଯ୍ୟନ୍ତ ଋଷଭ ପନ୍ତ୍ ଏକା ଲଢ଼ିଥିଲେ। ଅଲ୍‌ରାଉଣ୍ଡର ଭାବେ ପରିଗଣିତ ରବି ଅଶ୍ବିନ ଓ ସାର୍ଦୁଳ ଠାକୁର ଯଥାକ୍ରମେ ୭ ଓ ୫ ରନ୍‌ କରିଥିଲେ। ବାମହାତି ପନ୍ତ୍ ଆକ୍ରମଣାତ୍ମକ ବ୍ୟାଟିଂକରି ୪ର୍ଥ ଟେଷ୍ଟ ଶତକ ହାସଲ କରିଥିଲେ। ଏହା ବିଦେଶରେ ପନ୍ତ୍‌ଙ୍କର ୩ୟ ଏବଂ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଶତକ। ପନ୍ତ୍ ୧୩୯ ବଲ୍‌ରୁ ୪ଟି ଛକା ଓ ୬ଟି ଚୌକା ସହ ୧୦୦ ରନ୍‌କରି ଅପରାଜିତ ଥିଲେ। ମାର୍କୋ ୟାନ୍‌ସେନ୍ ୪ଟି ଏବଂ କାଗିସୋ ରାବାଡା ଓ ଲୁଙ୍ଗି ଏନ୍‌ଗିଡ଼ି ୩ଟି ଲେଖାଏଁ ୱିକେଟ ନେଇଥିଲେ।

Comments are closed.