ଦକ୍ଷିଣ ଆଫ୍ରିକା-ବାଂଲାଦେଶ ମୁକାବିଲା ଆଜି

ଲଣ୍ଡନ୍‌ : ପ୍ରଥମ ମ୍ୟାଚ୍‌ରେ ବଡ଼ ବ୍ୟବଧାନରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ରବିବାର ଚଳିତ ବିଶ୍ବକପ୍‌ରେ ତା’ର ୨ୟ ମ୍ୟାଚ୍‌ ବାଂଲାଦେଶ ବିପକ୍ଷ​ରେ ଖେଳିବ। ବାଂଲାଦେଶ ଦଳ ସେପରି ଶକ୍ତିଶାଳୀ ନଥିବା ବେଳେ ଏହାକୁ ହରାଇ ବିଜୟଧାରାକୁ ଫେରିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ରହିଛି। ଚଳିତ ବିଶ୍ବକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ଦକ୍ଷିଣ ଆଫ୍ରିକା ୧୦୪ ରନ୍‌ରେ ପରାସ୍ତ ହୋଇଥିଲା। ସେହି ଗ୍ରାଉଣ୍ଡରେ ବାଂଲାଦେଶକୁ ପରାସ୍ତ କରିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିଫଳ ହେବା ପରିପ୍ରେକ୍ଷୀରେ ଏହାର ଫାଇଦା ଉଠାଇବାକୁ ବାଂଲାଦେଶ ପ୍ରୟାସ କରିବ।
ଅଭ୍ୟାସ ମ୍ୟାଚ୍‌ରେ ଭାରତ ବିପକ୍ଷ‌ରେ ବାଂଲାଦେଶର ବୋଲର ବିଫଳ ହୋଇଥିଲେ ହେଁ ବ୍ୟାଟ୍‌ସମ୍ୟାନ୍ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲେ। ଏହା ଦଳକୁ ଉତ୍ସାହିତ କରିଥିବା ବେଳେ ବୋଲରଙ୍କୁ ଉନ୍ନତ ପ୍ରଦର୍ଶନ କରିବା ଲାଗି ଅଧିନାୟକ ମସ୍ରଫି ମୋର୍ତାଜା ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ବ୍ୟାଟ୍‌ସମ୍ୟାନଙ୍କୁ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍ ଡୁ ପ୍ଲେସି ଆହ୍ବାନ ଦେଇଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲର ଭଲ ପ୍ରଦର୍ଶନ କରି ଇଂଲଣ୍ଡ ଇନିଂସକୁ ୮/୩୧୧ ରନ୍‌ରେ ସୀମିତ ରଖିଥିବା ବେଳେ ଏହି ବ୍ୟାଟିଂ ପିଚ୍‌ରେ ମଧ୍ୟ ଇଂଲଣ୍ଡର ଜୋଫ୍ରା ଆର୍ଚର ତାଙ୍କ ଗତି ବାଉନ୍‌ସ ଦ୍ବାରା ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମଥର ବିଶ୍ବକପ୍‌ର ଫାଇନାଲ ଖେଳିବା ସହ ଟାଇଟଲ ଜିତିବା ଲାଗି ଦକ୍ଷିଣ ଆଫ୍ରିକା ଲକ୍ଷ୍ୟ ରଖିଥିବା ବେଳେ ଏପରି ପରାଜୟ ତା’ର ମନୋବଳକୁ ଶକ୍ତ ଧକ୍କା ଦେଇଛି। ଅବଶ୍ୟ ଅଧିନାୟକ ଡୁ ପ୍ଲେସି କହିଛନ୍ତି ଯେ ଛାନିଆ ହେବାର କୌଣସି କାରଣ ନାହିଁ। କାରଣ ୯ଟି ଲିଗ୍ ମ୍ୟାଚ୍‌ ମଧ୍ୟରୁ ୫/୬ଟି ଜିତିପାରିଲେ କୌଣସି ଦଳ ସେମିଫାଇନାଲରେ ପହଞ୍ଚି ପାରିବ। ବିସ୍ଫୋରକ ଇଂଲଣ୍ଡ ବ୍ୟାଟିଂ ବିପକ୍ଷରେ ତାଙ୍କ ବୋଲିଂକୁ ନେଇ ଡୁ ପ୍ଲେସି ଖୁସିଅଛନ୍ତି। ବିଶେଷକରି ଲୁଙ୍ଗି ଏନ୍‌ଗିଡ଼ି ଓ କାଗିସୋ ରାବାଡା ଭଲ ବୋଲିଂ କରିଥିଲେ। ଡେଲ୍‌ ଷ୍ଟେନ୍ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିବାରୁ ଏହି ମ୍ୟାଚ୍ ଖେଳିବା ସମ୍ଭାବନା କମ୍। ଡେନ୍ ପ୍ରିଟୋରିୟସ୍‌ଙ୍କ ବୋଲିଂ ଦଳକୁ ନିରାଶ କରିଛି। ଜୁନ୍ ୫ରେ ଟୁର୍ଣ୍ଣାମେଣ୍ଟ ଫେଭରିଟ୍ ଭାରତ ବିପକ୍ଷ​‌େ​‌ର ଦକ୍ଷିଣ ଆଫ୍ରିକାକୁ ୩ୟ ଲିଗ୍ ମ୍ୟାଚ୍ ଖେଳିବାର ଥିବାରୁ ଏହା ପୂର୍ବରୁ ବାଂଲାଦେଶକୁ ହରାଇ ଦୃଢ଼ ମନୋବଳ ହାସଲ କରିବାକୁ ଦକ୍ଷିଣ ଆଫ୍ରିକା ନିଶ୍ଚୟ ଚାହିଁବ।
ଚଳିତ ବିଶ୍ବକପ୍‌ରେ ବାଂଲାଦେଶ ତା’ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ ଗତ ବିଶ୍ବକପ୍‌ର କ୍ବାର୍ଟରଫାଇନାଲ ସ୍ଥାନରେ ଉନ୍ନତି କରିବା ଲକ୍ଷ୍ୟରେ ରହିଛି। ଗତ ସଂସ୍କରଣରେ ଆୟୋଜକ ଇଂଲଣ୍ଡକୁ ହରାଇ ଟୁର୍ଣ୍ଣାମେଣ୍ଟରୁ ବିଦାୟ ଦେଇଥିଲା ବାଂଲାଦେଶ। ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଆହତ ହୋଇଥିବା ଅଧିନାୟକ ମସ୍ରଫି ମୋର୍ତାଜା ଏହି ମ୍ୟାଚ୍ ଖେଳିବାକୁ ଫିଟ୍‌ ଘୋଷିତ ହୋଇଛନ୍ତି। ପୁଣି ସଫଳ ଓପ୍‌ନର ତମିମ୍ ଇକ୍‌ବାଲ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଯାଉଛନ୍ତି। ବାଂଲାଦେଶର ବ୍ୟାଟିଂ ମୁଖ୍ୟତଃ ତମିମ୍‌ଙ୍କ ସହ ଦୁଇ ଅଭିଜ୍ଞ ସାକିବ୍ ଅଲ୍‌ ହାସନ୍ ଓ ମୁସ୍‌ଫିକୁର ରହିମ୍‌ଙ୍କ ଉପରେ ନିର୍ଭରଶୀଳ। ସୌମ୍ୟ ସରକାର ମଧ୍ୟ ଭଲ ଫର୍ମରେ ଅଛନ୍ତି। ବାମହାତି ପେସ୍ ବୋଲର ମୁସ୍ତାଫିଜୁର ରେହ୍‌ମାନଙ୍କଠାରୁ ବାଂଲାଦେଶ ବହୁତ ଆଶାରଖିଛି।
ଦକ୍ଷିଣ ଆଫ୍ରିକା-ବାଂଲାଦେଶ ରେକର୍ଡ
ଦିନିକିଆ
ମ୍ୟାଚ୍‌- ୨୦; ଦକ୍ଷିଣ ଆଫ୍ରିକା-୧୭; ବାଂଲାଦେଶ-୩।
ବିଶ୍ବକପ୍‌
ମ୍ୟାଚ୍‌- ୩; ଦକ୍ଷିଣ ଆଫ୍ରିକା-୨; ବାଂଲାଦେଶ-୧।

Comments are closed.