ପରିସ୍ଥିତି ସୁଧୁରିବା ମାତ୍ରେ ଆରମ୍ଭ ହେବ ଘରୋଇ କ୍ରିକେଟ୍‍ : ସୌରଭ ଗାଙ୍ଗୁଲି

ରାଜ୍ୟ କ୍ରିକେଟ ସଂଘଗୁଡ଼ିକୁ ଗାଙ୍ଗୁଲିଙ୍କ ଆଶ୍ୱାସନା

ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍‍-୧୯ ଭୂତାଣୁ ସଂକ୍ରମଣ ପ୍ରକୋପ ବଢ଼ି ଚାଲିଥିବା ବେଳେ ଚଳିତ (୨୦୨୦-୨୧) ସିଜିନ୍‍ରେ ଘରୋଇ କ୍ରିକେଟ୍‍ ଆୟୋଜନ ନେଇ ସନ୍ଦେହ ସୃଷ୍ଟିହୋଇଛି। ଅନ୍ୟପକ୍ଷରେ ବିସିସିଆଇର ବଡ଼ ପଣ୍ଡାମାନେ ତାଙ୍କର ସୁନା ଅଣ୍ଡାଦିଆ କୁକୁଡ଼ା ବା ଆଇପିଏଲ୍‍ର ଆୟୋଜନ ନେଇ ପୂରା ଦମ୍‍ ଲଗାଇ ଦେଇଛନ୍ତି। ତେଣୁ ଘରୋଇ କ୍ରିକେଟ୍‍ ଏବେ ଅଜଣା ପଡ଼ୋଶୀ ପାଲଟି ଯାଇଛି।

ଏହାକୁ ନେଇ କିଛି ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ ଅସନ୍ତୋଷ ବ୍ୟକ୍ତ କରିବା ପରେ ବିସିସିଆଇର ନିଦ ଭାଙ୍ଗିଛି। ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ସମସ୍ତ ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଦେଶରେ କରୋନା ପରିସ୍ଥିତି ସୁଧୁରିବା ମାତ୍ରେ ଯେତେ ଶୀଘ୍ର ସମ୍ଭବ ଘରୋଇ କ୍ରିକେଟ୍‍ ଆରମ୍ଭ ହେବ। ତେବେ ଘରୋଇ କ୍ରିକେଟ୍‍ କେବେ ଆରମ୍ଭହେବ; ତାହାର ତାରିଖ ନିର୍ଦିଷ୍ଟ ଭାବେ ଗାଙ୍ଗୁଲି କହିନାହାନ୍ତି।

ପ୍ରାୟତଃ ଦେଶରେ ଘରୋଇ କ୍ରିକେଟ୍‍ ସିଜିନ୍‍ ଅଗଷ୍ଟ-ସେପ୍ଟେମ୍ବରରୁ ଆରମ୍ଭ ହୋଇ ଯାଇଥାଏ। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଯୋଗୁଁ ଏଯାବତ୍‍ ଘରୋଇ କ୍ରିକେଟ୍‍ ଆୟୋଜନ ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ। ଏହି ସନ୍ଦର୍ଭରେ ଗୁରୁବାର ସମସ୍ତ ରାଜ୍ୟ କ୍ରିକେଟ୍‍ ଆସୋସିଏସନ୍‍ଙ୍କୁ ଗାଙ୍ଗୁଲି ଏକ ପତ୍ର ପ୍ରେରଣ କରିଛନ୍ତି। ଏଥିରେ ସେ ଘରୋଇ କ୍ରିକେଟ୍‍ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କୌଣସି ନିର୍ଦିଷ୍ଟ ତାରିଖ ଉଲ୍ଲେଖ କରିନାହାନ୍ତି।

ଏଥିରେ ଗାଙ୍ଗୁଲି ଲେଖିଛନ୍ତି, ପରିସ୍ଥିତି ଅନୁମତି ଦେଲେ ଘରୋଇ କ୍ରିକେଟ୍‍ ଆରମ୍ଭ କରିବାକୁ ବିସିସିଆଇ ସମସ୍ତ ପ୍ରୟାସ କରୁଛି। ଖେଳାଳି ଏବଂ ଘରୋଇ କ୍ରିକେଟ୍‍ ଆୟୋଜନରେ ସମ୍ପୃକ୍ତ ସମସ୍ତଙ୍କର ସ୍ୱାସ୍ଥ୍ୟ ବିସିସିଆଇ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତ ଦିଗ ଉପରେ ନିୟମିତ ଦୃଷ୍ଟିରଖିଛୁ। ଭବିଷ୍ୟତର କାର୍ଯ୍ୟପନ୍ଥା ନେଇ ସମସ୍ତ ଅନୁବନ୍ଧିତ ସଦସ୍ୟ (ରାଜ୍ୟ କ୍ରିକେଟ୍‍ ସଂଘ)ଙ୍କୁ ଜଣାଇ ଦିଆଯିବ ଏବଂ ଘରୋଇ କ୍ରିକେଟ୍‍ ଆରମ୍ଭ ପୂର୍ବରୁ ସମସ୍ତଙ୍କର ମତ ଲୋଡ଼ାଯିବ। ଆମେ ଆଶାରଖିଛୁ ଯେ ଆସନ୍ତା କିଛିମାସରେ ଦେଶରେ କୋଭିଡ୍‍ ପରିସ୍ଥିତିରେ ଉନ୍ନତି ଘଟିବ ଏବଂ ଏକ ନିରାପଦ ବାତାବରଣରେ ଆମେ ଘରୋଇ କ୍ରିକେଟ୍‍ ଆରମ୍ଭ କରିପାରିବୁ। ମାର୍ଚ୍ଚ ୧୩ ପରଠାରୁ ଘରୋଇ କ୍ରିକେଟ୍‍ ଖେଳା ଯାଇନାହିଁ। ଚଳିତବର୍ଷ ମାର୍ଚ୍ଚ ୧୩ରେ ରଣଜୀ ଟ୍ରଫି ଫାଇନାଲର ଶେଷଦିନ ଥିଲା।

ଚଳିତମାସ ପ୍ରାରମ୍ଭରେ ବିସିସିଆଇ ଏକ ସମ୍ଭାବ୍ୟ ଘରୋଇ କ୍ରିକେଟ୍‍ କ୍ୟାଲେଣ୍ଡର ପ୍ରସ୍ତୁତ କରିଛି। ଯଦି ୨ ମାସ ମଧ୍ୟରେ କରୋନା ପରିସ୍ଥିତିରେ ଉନ୍ନତି ଆସେ; ତେବେ ଏହି କ୍ୟାଲେଣ୍ଡର ଅନୁସାରେ ଘରୋଇ ମ୍ୟାଚ୍‍ ଖେଳାଯିବ। ସିନିୟର ଆନ୍ତଃରାଜ୍ୟ ଟ୍ୱେଣ୍ଟି୨୦ କ୍ରିକେଟ୍‍ ଟୁର୍ଣ୍ଣାମେଣ୍ଟ ସୟଦ୍‍ ମୁସ୍ତାକ୍‍ ଅଲ୍ଲୀ ଟ୍ରଫି ନଭେମ୍ବର ୧୯ରୁ ଆରମ୍ଭହୋଇ ଡିସେମ୍ବର ୭ରେ ସରିବ। ଡିସେମ୍ବର ୧୩ରୁ ରଣଜୀ ଟ୍ରଫି ଆରମ୍ଭହୋଇ ମାର୍ଚ୍ଚ ୧୦ରେ ସମାପ୍ତ ହେବ।

Comments are closed.