ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ପରୀକ୍ଷା ହାର କମ୍: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକଡାଉନ୍ ଏକ ସାମୟିକ ପଦକ୍ଷେପ । ମାତ୍ର ବ୍ୟାପକ ପରୀକ୍ଷା କରିବା ଓ ଚିହ୍ନିତ ସଂକ୍ରମିତଙ୍କୁ ସଂକ୍ରମଣର ବାହକ ନ ହେବା ନିମନ୍ତେ ସଙ୍ଗରୋଧରେ ରଖିବା ସବୁଠାରୁ ବଡ଼ କାର୍ଯ୍ୟ । ମାତ୍ର କରୋନା ରୋକିବା କ୍ଷେତ୍ରରେ ସଫଳତା ହାସଲ କରିଥିବା ତାଇୱାନ, ଜର୍ମାନ, ଦକ୍ଷିଣ କୋରିଆ ଓ ଜାପାନ ଆଦି ଦେଶ ତୁଳନାରେ ଭାରତରେ ପରୀକ୍ଷା ହାର ଯଥେଷ୍ଟ କମ୍ ବୋଲି କହିଛନ୍ତି ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଡ଼ା.ସୌମ୍ୟା ସ୍ବାମୀନାଥନ୍ ।

ମଙ୍ଗଳବାର ସୌମ୍ୟା ଗଣମାଧ୍ୟମକୁ କହିଛନ୍ତି ଯେ ବର୍ତମାନ ସୁଦ୍ଧା କୋଭିଡ଼-୧୯ ଟୀକା ଉଦ୍ଭାବନ ନିମନ୍ତେ ୨୮ଟି କମ୍ପାନୀ ଯଥେଷ୍ଟ ଅଗ୍ରଗତି କରିଛନ୍ତି ଓ ତାହା ମଧ୍ୟରୁ ୫ଟି କମ୍ପାନୀ ପ୍ରଥମ ପର୍ଯ୍ୟାୟ ଅତିକ୍ରମ କରି ଦ୍ବିତୀୟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି ।

ଡ଼ା. ସୌମ୍ୟା କହିଛନ୍ତି ଯେ ପର୍ଯ୍ୟାପ୍ତ ପରୀକ୍ଷଣ ବିନା କରୋନା ପରି ଏକ ଅଦୃଶ୍ୟ ଶତ୍ରୁ ସହ ଲଢ଼ିବା ସମ୍ଭବ ନୁହେଁ ।  ଆଖି ବୁଜି ବାଡ଼ିବୁଲାଇବା ଦ୍ବାରା ଶତ୍ରୁକୁ ବିନାଶ କରିହୁଏ ନାହିଁ । ତେଣୁ କେତେ ପରୀକ୍ଷା କରାଯିବ ଓ ଏହାର ମାନଦଣ୍ଡ କ’ଣ ରହିବ ତାହା ପ୍ରଥମେ ସ୍ଥିର ହେବା ଆବଶ୍ୟକ । ଜନସ୍ବାସ୍ଥ୍ୟ ବିଭାଗ ପ୍ରତି ଲକ୍ଷ କିମ୍ବା ନିୟୁତ ଅନୁସାରେ ପରୀକ୍ଷା କରି ଏହାର ସଂକ୍ରମିତ ହାର ଉପରେ ଅନୁଧ୍ୟାନ କରିବା ଦରକାର ।

ଜର୍ମାନୀ, ତାଇୱାନ, ଦକ୍ଷିଣ କୋରିଆ, ଜାପାନ ସେ ଦେଶର ନାଗରିକମାନଙ୍କର ପରୀକ୍ଷା ନିୟମିତ କରୁଛି । ଏପରିକି ଆମେରିକା ବିପୁଳ ସଂଖ୍ୟକ ଲୋକଙ୍କୁ ପରୀକ୍ଷା କରୁଛି। କୋବିଡ଼ ୧୯ ପଜିଟିଭ୍ ଅଧିକ ଆସୁଛି ଅର୍ଥ ନୁହେଁ ଯେ ଅଧିକ ପରୀକ୍ଷା କରାଯାଉଛି । ଏହାବ୍ୟତୀତ ଜିଲ୍ଲା ଡାକ୍ତରଖାନାଗୁଡ଼ିକରେ ଶଯ୍ୟା, କ୍ୟାଣ୍ଟିନ ସୁବିଧା, ଆଇସିୟୁ ଏବଂ ଅମ୍ଳଜାନ ଯୋଗାଣର ଉପଲବ୍ଧତା ଉପରେ ସରକାର ନିରନ୍ତର ନଜର ରଖିବା ଆବଶ୍ୟକ।

Comments are closed.