ସାଉଦୀ ଆରବରେ କାର୍ଯ୍ୟରତ ୨୬ ଲକ୍ଷ ଭାରତୀୟଙ୍କ ଦାନାପାଣି ସଙ୍କଟରେ

ଘରୋଇ ଉଦ୍ୟୋଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଦରମା ୪୦% ପର୍ଯ୍ୟନ୍ତ ହ୍ରାସ ନିଷ୍ପତ୍ତି

ଦୁବାଇ: ସାଉଦୀ ଆରବରେ ଭାରତୀୟଙ୍କ ସଂଖ୍ୟା ଢ଼େର ବେଶୀ । ଅନ୍ୟ ଏସୀୟ ଦେଶ ତୁଳନାରେ ସାଉଦୀ ଆରବରେ ଢ଼େର ଅଧିକ ଭାରତୀୟ ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି । ଛୋଟମୋଟ କାମଠାରୁ ଆରମ୍ଭ କରି ବଡ଼ବଡ଼ ସଂସ୍ଥାରେ ବି ଭାରତୀୟଙ୍କ ଯୋଗଦାନ ବେଶୀ । ଏହି ଦୃଷ୍ଟିରୁ ଭାରତକୁ ବିପୁଳ ପରିମାଣର ବୈଦେଶିକ ମୁଦ୍ରା ଆସିଥାଏ । ମାତ୍ର କରୋନା ସଙ୍କଟ ପରେ ସାଉଦୀ ଆରବ ସରକାର ଯେଉଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସେଥିରେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବ ଭାରତ । ବିଶ୍ବର ଅନ୍ୟତମ ସମୃଦ୍ଧ ଦେଶ ସାଉଦୀ ଆରବ ବି କରୋନା ଛାୟାରୁ ମୁକୁଳି ପାରିନାହିଁ । ଦେଶର ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡ଼ିଛି । ଏହି ସ୍ଥିତିରେ ସାଉଦୀ ଆରବରେ ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କର କର୍ମଚାରୀଙ୍କ ଦରମା ୪୦% ପର୍ଯ୍ୟନ୍ତ କମ୍ କରିବାକୁ ଅନୁମତି ଦେବାକୁ ଯାଉଛନ୍ତି ସାଉଦୀ ସରକାର ।

ଆରବର ପ୍ରମୁଖ ସମ୍ବାଦପତ୍ର ଅଶରାକ ଅଲ୍ ଅବସାତ ରିପୋର୍ଟ ଅନୁସାରେ ଆର୍ଥିକ ସ୍ଥିତିକୁ ଦେଖି ସରକାର ସମସ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖି ପାରନ୍ତି । ଫଳରେ ସାଉଦୀରେ ବସବାସ କରୁଥିବା ଓ ଚାକିରି କରୁଥିବା ୨୬ ଲକ୍ଷ ଭାରତୀୟଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମ୍ବାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁସାରେ ସାଉଦୀ ଆରବ ମାନବ ସଂସାଧନ ଓ ସାମାଜିକ ବିକାଶ ମନ୍ତ୍ରଣାଳୟ ଶ୍ରମ ଆଇନରେ ପରିବର୍ତନ କରିବା ନିମନ୍ତେ ସ୍ବୀକୃତି ଦେଇଛି । ଏହା ଫଳରେ ଏହି ସଂସ୍ଥାଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବେତନ ଆସନ୍ତା ୬ ମାସ ପର୍ଯ୍ୟନ୍ତ ୪୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

ନୂତନ ନିୟମ ଅନୁସାରେ ୬ ମାସ ପରେ କମ୍ପାନୀଗୁଡ଼ିକୁ ନିଜ କର୍ମଚାରୀଙ୍କ ନିଯୁକ୍ତି ଚୁକ୍ତି ରଦ୍ଦ କରିବାର କ୍ଷମତା ଦିଆଯାଇଛି ।ତେବେ ଏଥିନିମନ୍ତେ କମ୍ପାନୀକୁ ୩ଟି ଦିଗକୁ ପ୍ରମାଣିତ କରିବାକୁ ପଡ଼ିବ । ପ୍ରଥମରେ ଦରମା ହ୍ରାସ ୬ ମାସ ପୂର୍ଣ୍ଣ ହୋଇ ସାରିଥିବ, ଦ୍ବିତୀୟରେ କମ୍ପାନୀର କର୍ମଚାରୀଙ୍କ ନିଯୁକ୍ତି ଚୁକ୍ତି ସରି ଯାଇଥିବ ଓ ତୃତୀୟରେ କରୋନା ଯୋଗୁଁ କମ୍ପାନୀର ଆର୍ଥିକ ସ୍ଥିତି ଅବନତି ଘଟିଥିବ । ଏହା ପ୍ରମାଣିତ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ଛଟେଇ କରିପାରିବ । ଅନ୍ୟପକ୍ଷରେ   ଠିକାସଂସ୍ଥା ଓ ଅନ୍ୟାନ୍ୟ ନିର୍ମାଣ ଉଦ୍ୟୋଗଗୁଡ଼ିକୁ ଆସନ୍ତା ୬ ମାସ ପାଇଁ ସରକାରଙ୍କ ପକ୍ଷରୁ ଟିକସ ଛାଡ଼ ପରି କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବା ବିଚାର ଚାଲିଥିବା ଜଣାପଡ଼ିଛି । ଏହି ନୂତନ ଆଇନ ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯାଇଛି ।  

ସାଉଦୀ ଅର୍ଥମନ୍ତ୍ରୀ ମହମ୍ମଦ ଅଲ୍ ଜଦାନ ଶନିବାର ଦିନ କହିଥିଲେ ଯେ କରୋନା ଯୋଗୁଁ ଦେଶର ଅର୍ଥବ୍ୟବସ୍ଥା ଉପରେ ଗୁରୁତର ପ୍ରଭାବ ପଡ଼ିଛି । ଏହାକୁ ମୁକାବିଲା କରିବା ନିମନ୍ତେ କିଛି କଠୋର ଓ କଷ୍ଟପ୍ରଦ ନିଷ୍ପତ୍ତି ନେବାକୁ ପଡ଼ିପାରେ । ଏହି ସଙ୍କଟରୁ ବାହାରିବା ପାଇଁ ସବୁ ବିକଳ୍ପ ଖୋଲା ଅଛି । ଅଶୋଧିତ ତୈଳ ଦର ଯଥେଷ୍ଟ ହ୍ରାସ ପାଇଥିବାରୁ ବିଶ୍ବର ସବୁଠାରୁ ରପ୍ତାନୀକାରୀ ଦେଶ ଯଥେଷ୍ଟ କ୍ଷତି ସହିଛି ଓ ଗତ ୨୦ ବର୍ଷ ମଧ୍ୟରେ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ସବୁଠାରୁ କମସ୍ତରରେ ପହଞ୍ଚିଛି ବୋଲି ସେ କହିଥିଲେ ।

ସେହିପରି ସାଉଦୀ ଆରବରେ କାର୍ଯ୍ୟରତ ଭାରତୀୟ ରାଜଦୂତ ଆସୁଫ ସୟଦ ମଧ୍ୟ ଏକ ସାକ୍ଷାତକାରରେ ଏପରି ଆଶଙ୍କାକୁ ଅସ୍ବୀକାର କରିନାହାନ୍ତି । ସେ କହିଛନ୍ତି ଯେ ଉପସାଗରୀୟ ଦେଶଗୁଡ଼ିକରେ କାମ କରୁଥିବା ଭାରତୀୟ କରୋନା ଯୋଗୁଁ ଚାକିରି ହରାଇ ପାରନ୍ତି । ଏହାଦ୍ବାରା ପ୍ରବାସୀ ଭାରତୀୟଙ୍କ ଦ୍ବାରା ଦେଶକୁ ପଠାଯାଉଥିବା ରୋଜଗାର ଯୋଗୁଁ ଭାରତ ଯେଉଁ ସମୃଦ୍ଧି ପାଉଥିଲା ତାହା ସଂକୁଚିତ ହୋଇପାରେ । ସୂଚନାଯୋଗ୍ୟ ଯେ ଗତବର୍ଷ ୮୩ ବିଲିଅନ ଡ଼ଲାର ରାଶି ସାଉଦୀ ଆରବର ଭାରତୀୟମାନେ ନିଜ ଦେଶକୁ ପଠାଇଥିଲେ ।

Comments are closed.