ସଂକଟରେ ଗ୍ରାମୀଣ ହସ୍ତତନ୍ତ ଶିଳ୍ପ, ଦାଦନ ମୁହାଁ ବୁଣାକାର

ସୋରଡ଼ା: ଭାରତୀୟ ବୟନ ଶିଳ୍ପର ଚାହିଦା ଏବେ ବି ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୟନ ଶିଳ୍ପ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ପାଟ, ବ୍ରହ୍ମପୁରର ରେଶମ ପାଟ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବୟନ ଶିଳ୍ପର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ଅନେକ ଯୋଜନା କରାଯାଉଛି। କୋଟି କୋଟି ଟଙ୍କା ବ୍ୟୟ କରି ନିଗମ ଗଠନ କରାଯିବା ସହିତ କୁଟୀର ଶିଳ୍ପ ପ୍ରତି ଆଗ୍ରହ ବଢାଇବା ପାଇଁ ବଡ଼ ବଡ଼ ସିନେତାରକାଙ୍କ ଦ୍ୱାରା ବିଜ୍ଞାପନ ମଧ୍ୟ କରାଯାଉଛି। କିନ୍ତୁ ଏହାରି ମଧ୍ୟରେ ଅନେକ ଅଞ୍ଚଳରେ ଥିବା ଗ୍ରାମୀଣ ହସ୍ତତନ୍ତ ଶିଳ୍ପ ଲୋପ ପାଇବାକୁ ବସିଲାଣି। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ସୋରଡ଼ା ବ୍ଳକ୍‍ ଜୟସିଙ୍ଗି ଗ୍ରାମର। ଏକଦା ଗ୍ରାମରେ ଶତାଧିକ ବୁଣାକାର ପରିବାର ତନ୍ତ ସାହାଯ୍ୟରେ ଲୁଗା ବୁଣି ଜୀବିକା ନିର୍ବାହ କରୁଥିଲେ। ବର୍ତ୍ତମାନ ତାହା ଲୋପ ପାଇବାକୁ ବସିଲାଣି। ପୂର୍ବରୁ ପ୍ରାୟ ୧୫୦ ପରିବାର ଏହାରି ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଆଉ ହାତ ଗଣତି କିଛି ପରିବାର ତନ୍ତ ସାହାଯ୍ୟରେ ଲୁଗା ବୁଣୁଛନ୍ତି। ଆଧୁନିକ କଳକାରଖାନାରୁ ଉତ୍ପାଦିତ ରଙ୍ଗବେରଙ୍ଗର ଶାଢୀର ରଙ୍ଗରେ ନିଜର ଅସ୍ତିତ୍ୱ ହରାଇ ସାରିଛି ହାତବୁଣା ଶାଢୀ। ଫଳରେ ବୁଣାକାର ପରିବାର ବର୍ତ୍ତମାନ ଦାଦନ ମୁହାଁ।

ସୋରଡ଼ା ବ୍ଳକ୍‍ ଗୋପାଳପୁର ଶାସନ ଗ୍ରାମପଞ୍ଚାୟତର ଜୟସିଙ୍ଗି ଗ୍ରାମରେ ପ୍ରାୟ ୧୦୦ ବର୍ଷ ତଳୁ ଶତାଧିକ ପରିବାର ହସ୍ତତନ୍ତ ସାହାଯ୍ୟରେ ଲୁଗା ବୁଣି ଜୀବିକା ନିର୍ବାହ କରି ଆସୁଥିଲେ। ୧୯୫୭ ମସିହାରେ ସୋରଡ଼ା ବୁଣାକାର ସେବା ସମବାୟ ସମିତି ନାମରେ ଏକ ସମିତି ଗଠନ କରାଯାଇଥିଲା। ସେହି ସମୟରେ ସମବାୟ ସମିତି ଜରିଆରେ ଆବଶ୍ୟକୀୟ କଞ୍ଚାମାଲ ସୂତା, ରଙ୍ଗ ଆଦି ମିଳୁଥିଲା। ବିକ୍ରି ପାଇଁ ମଧ୍ୟ ସମବାୟ ସମିତି ଏକ ମାଧ୍ୟମ ପାଲଟିଥିଲା। ବୁଣାକାରମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ସୂତା କଳରୁ ସୂତା ଆଣିବା ସହିତ ବୟନିକା ମାଧ୍ୟମରେ ମଧ୍ୟ ସୂତା କିଣି ଆଣି ବିଭିନ୍ନ ପ୍ରକାର ଗାମୁଛା, ଲୁଙ୍ଗି ଓ ଶାଢୀ ପ୍ରସ୍ତୁତ କରୁଥିଲେ। ୨୬ କାଉଣ୍ଟ ଜାତୀୟ ମୋଟା ସୂତାରେ ବୁଣାଯାଇଥିବା ଲୁଗାର ଚାହିଦା ଗ୍ରାମାଞ୍ଚଳରେ ଦିନକୁ ଦିନ ବଢିବାକୁ ଲାଗିଥିଲା। ଫଳରେ ବୁଣାକାରମାନେ ଉତ୍ସାହ ସହ ଏହି କାମ କରୁଥିଲେ। ସୂତା କିଣି ଆଣି ପ୍ରଥମେ ବବନି, ଟାଣି ଓ ସୂତାକୁ ରଙ୍ଗ କରିସାରି ବିଭିନ୍ନ ପ୍ରକାରର ଶାଢୀ, ଲୁଙ୍ଗି, ଗାମୁଛା ବୁଣୁଥିଲେ। ଧିରେ ଧିରେ କମ୍ପାନୀ ପ୍ରସ୍ତୁତ ଶାଢୀର ଆଦୃତ ବଢିବା ପରେ ଏହାର ଚାହିଦା କମିବାରେ ଲାଗିଥିଲା । ଆଗ ଭଳି ଆଉ ହାତ ବୁଣା ଲୁଗାର ବ୍ୟବସାୟ ହୋଇନଥିଲା। ୧୯୫୭ ମସିହା ପରେ ୧୯୮୦ ମସିହାରେ ସେବା ସମବାୟ ସମିତିର ନବକଳେବର କରାଯାଇ ବୁଣାକାରଙ୍କ ଉନ୍ନତି ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ବର୍ତ୍ତମାନ ୫ ବର୍ଷ ହେଲା ସମବାୟ ସମିତି ମଧ୍ୟ ବନ୍ଦ ରହିଛି। ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ଯୁଗୋଯୋଗୀ ଉତ୍ପାଦ ଉତ୍ପାଦିତ ନହେବା ଯୋଗୁଁ ସଙ୍କଟରେ ହସ୍ତତନ୍ତ ଶିଳ୍ପ। ବୁଣାକାରମାନେ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ପାଇଁ ଚାଲି ଯାଇଛନ୍ତି। ଅନେକ ଯୁବକ କେରଳ, ସୁରତ ଓ ତାମିଲନାଡ଼ୁରେ କାମ କରୁଥିବା ବେଳେ ବୟସାଧିକ ବ୍ୟକ୍ତିମାନେ ସ୍ଥାନୀୟ ଅଂଚଳରେ ଅନ୍ୟ ବ୍ୟବସାୟ କରି ଜୀବିକା ନିର୍ବାହ କରୁଛନ୍ତି। କିଛିବର୍ଷ ତଳେ ରାଜ୍ୟ ଖଦୀ ବୋର୍ଡ଼ର ଅଧ୍ୟକ୍ଷ ଜୟସିଙ୍ଗି ଗ୍ରାମକୁ ପରିଦର୍ଶନ କରିଥିଲେ। ୧୯୭୭ରୁ ୧୯୮୦ ମସିହା ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜି ଦେଶାଇଙ୍କ ଦ୍ୱାରା ହୋଇଥିବା ଜନତା ଯୋଜନାରେ ବୁଣାକାରମାନେ ବେଶ୍‍ ଲାଭବାନ ହୋଇପାରିଥିଲେ। ସରକାରଙ୍କ ତରଫରୁ ରିଆତି ପାଇଁ କମ୍‍ ଦରରେ ହାତବୁଣା ଲୁଗା ବିକ୍ରି କରିପାରି ସ୍ୱାବଲମ୍ବୀ ହୋଇ ପାରିଥିଲେ। ସେହିପରି କିଛି ଯୋଜନା କରିଥିଲେ ପ୍ରାଚୀନ ହସ୍ତତନ୍ତ ଶିଳ୍ପ ବଜାୟ ରହିପାରିଥାନ୍ତା ବୋଲି କିଛି ବରିଷ୍ଠ ବୁଣାକାର କହିଛନ୍ତି। ଠିକ୍‍ ସମୟରେ ସରକାରଙ୍କ ତରଫରୁ ପ୍ରଶିକ୍ଷଣ, କଞ୍ଚାମାଲ୍‍ କିଣିବା ପାଇଁ ଏବଂ ବିକ୍ରି ପାଇଁ ଉପଯୁକ୍ତ ମାଧ୍ୟମ କରାଗଲେ ଏହାର ପୁନରୁଦ୍ଧାର ହୋଇପାରିବ ବୋଲି ଆଶା ରଖିଛନ୍ତି ବୁଣାକାର ସେବା ସମବାୟ ସମିତିର ପୂର୍ବତନ ସଭାପତି ସୋମନାଥ ସାହୁ।

Comments are closed.