ଜଳକନ୍ୟା ସୋନୀର ବାଜିଲା ସାହାନାଇ, କନ୍ୟାଦାନ କଲେ ବିଧାୟକ

ଲଖନପୁର/କନକତୋରା/ବେଲପାହାଡ଼: ଛତିଶଗଡ଼ ଚନ୍ଦରପୁରରୁ ମହାନଦୀର ପ୍ରବଳ ପାଣି ସୁଅରେ ଦୀର୍ଘ ୧୨ଘଣ୍ଟା ଧରି ଭାସି ଆସିଥିବା ସୋନୀ ଯାଦବ ଆଜି ଛତିଶଗଡ଼କୁ ଲେଉଟି ଯାଇଛି କନିଆ ସାଜି। ବ୍ରଜରାଜନଗର ବିଧାୟକ କିଶୋର କୁମାର ମହାନ୍ତି ଏବଂ ତାଙ୍କ ପତ୍ନୀ ଅଳକା ମହାନ୍ତି ବୈଦିକ ରୀତିନୀତି ଅନୁସାରେ କନ୍ୟାଦାନ କରିଛନ୍ତି। ସୋନିର ବାହାଘର ପାଇଁ ବୁଧବାର କୁଶମେଲ ଗ୍ରାମ ଉତ୍ସବମୁଖର ହୋଇ ପଡିଥିଲା। ତେବେ କନ୍ୟା ବିଦାୟ ସମୟରେ ଗ୍ରାମବାସୀଙ୍କ ଛଳଛଳ ଆଖି ଏକ ଭାବବିହ୍ବଳ ପରିସ୍ଥିତି ସୃଷ୍ଟି କରିଥିଲା।

ସୋନୀର ବାହାଘର ଛତିଶଗଡ଼ ରାୟଗଡ଼ ଜିଲା ଧରମଜୟଗଡ଼ ଗାଁର ପ୍ରେମ ସିଂହ ଯାଦବଙ୍କ ପୁଅ ପୁରୁଷୋତ୍ତମ ଯାଦବଙ୍କ ସହିତ ସମ୍ପନ୍ନ ହୋଇଛି। ସୋନୀଙ୍କୁ କନ୍ୟା ରୂପେ ପାଳନ କରିଥିବା ଗରିବ ଧୀବର ଦମ୍ପତି ସନ୍ନ୍ୟାସୀ ଓ ଅହଲ୍ୟା କାଲୋଙ୍କ ଆର୍ଥିକ ଅବସ୍ଥା ବେଶ୍ ସ୍ବଚ୍ଛଳ ନ ଥିବାରୁ ବାହାଘର ସମସ୍ତ ଖର୍ଚ୍ଚ କୁଶମେଲ ଗ୍ରାମବାସୀ ଓ ବିଧାୟକ ଶ୍ରୀ ମହାନ୍ତି ବହନ କରିଥିଲେ। ଝିଅକୁ ଯଥାରୀତି ଓ ଯଥାସମ୍ଭବ ଯାନିଯୌତୁକ ଦେଇ ବିଦା କରିବା ବେଳେ କୁଶମେଲ ଗାଁର ଆବାଳବୃଦ୍ଧବନିତା ସମସ୍ତଙ୍କ ଆଖି ଭରି ଆସିଥିଲା ଲୁହରେ। ମଙ୍ଗଳବାର ଚୁରୁକା, ଦେବପୂଜନ, ଗଣସନ ସହିତ ହୋଇଥିଲାବେଳେ ଆଜି ଛତିଶଗଡ଼ରୁ ବରଯାତ୍ରୀ ଆସିଥିଲେ। ବରଯାତ୍ରୀରେ ବର ସମେତ ମାତ୍ର ୭ଜଣ କୋଭିଡ ପରୀକ୍ଷାର ସମସ୍ତ ରିପୋର୍ଟ ନେଇ ଆସିଥିଲେ। ବିବାହ ସମାପ୍ତ ହେବା ପରେ ସନ୍ଧ୍ୟା ପ୍ରାୟ ୫ଟାରେ ସୋନୀକୁ ବିଦାୟ କରାଯାଇଥିଲା।

ବାପା, ମା’ ଛେଉଣ୍ଡ ସୋନୀ ଗତ ୫ ବର୍ଷ ହେଲା କୁସମେଲଠାରେ ଭରପୂର ପରିବାର ପାଇଥିବାବେଳେ ଆଜି ବିଦାୟ ବେଳାରେ ତାହାର ମଧ୍ୟ ଗଳା ଭରି ଆସିଥିଲା। ପବିତ୍ର ରାମନବମୀ କନ୍ୟାଦାନର ମହତ୍ ପୁଣ୍ୟ ଅର୍ଜନର ସୁଯୋଗ ମିଳିଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ବିଧାୟକ କିଶୋର ମହାନ୍ତି କହିଥିେଲ । ଏହାସହ ସୋନୀର ସୁନ୍ଦର ଭବିଷ୍ୟତ କାମନା କରିଥିଲେ। ସେ ଆହୁରି କହିଛନ୍ତି ଯେ, ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ ମଧ୍ୟରେ ଯେଉଁ ଜଳ ବିବାଦ ରହିଛି ତାହା ସୋନୀ ଯାଦବ ମାଧ୍ୟମରେ ଶୀଘ୍ର ସମାଧାନ ହେଉ ବୋଲି ମୋର ଭଗବାନଙ୍କ ପାଖରେ ବିଶ୍ୱାସ ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୩ତାରିଖ ଛତିଶଗଡ଼ର ଚନ୍ଦ୍ରପୁରେର ଚନ୍ଦ୍ରହାସିନୀ ଦର୍ଶନ ପାଇଁ ଆସିଥିବା ସୋନୀ କୌଣସି ପ୍ରକାରେ ମହାନଦୀ ପାଣିରେ ଖସି ଯାଇଥିଲେ । ୧୨ଘଣ୍ଟା ଧରି ୮୦କିଲୋମିଟର ବାଟ ପାଣିରେ ଭାସି ଭାସି ଝାରାସୁଗୁଡ଼ା ଜିଲା କୁସମେଲଠାରେ ମହାନଦୀ ଓ କେଲୋ ନଦୀର ସଂଗମ ସ୍ଥଳରେ ଭାସୁଥିବାବେଳେ ଧୀବର ସନ୍ନ୍ୟାସୀ କାଲୋ ତାଙ୍କୁ ଉଦ୍ଧାର କରିଥିଲେ । ତା’ପରେ ସମସ୍ତ ବିଧିବ୍ୟବସ୍ଥା ଅନ୍ତର୍ଗତ ସୋନୀକୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ଲାଳନ ପାଳନ କରିବା ସହ ବରପାତ୍ର ଠିକ୍ କରିଥିଲେ।

Comments are closed.