ସୋନୁ ସୁଦଙ୍କ ନାମ ନେଇ ଠକାମୀ : ସତର୍କ ରହିବାକୁ ପରାମର୍ଶ ଦେଲେ ଅଭିନେତା

ମୁମ୍ବଇ : କରୋନା ଜନିତ ଲକଡାଉନ ଯୋଗୁ ବିଭିନ୍ନ ସ୍ଥାନରେ ଫସିରହିଥିବା ପ୍ରାବାସୀ ଶ୍ରମିକ, ଛାତ୍ର ତଥା ଅନ୍ୟାନ୍ୟ ଲୋକଙ୍କୁ ସେମାନଙ୍କ ଘରେ ନିଜ ଖର୍ଚରେ ପହଞ୍ଚାଇବା କ୍ଷେତ୍ରରେ ଅନନ୍ୟ ଭୂମିକା ଗ୍ରହଣ କରିଥିବା ଅଭିନେତା ସୋନୁ ସୁଦ ଏବେ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ତାଙ୍କ ନାମରେ କିଛି ଅସାଧୁ ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଥିବା ସେ ଜାଣିବା ପରେ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି। ସୋନୁ ସୁଦ ସାମାଜିକ ଗଣମାଧ୍ୟମରେ ନିଜ ଟ୍ବିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ କିଛି ଲୋକ ତାଙ୍କ ନାମରେ ଠକାମୀ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କ ଫଟୋ ବ୍ୟବହାର କରିବା ସହ ଶ୍ରମିକ ହେଲ୍ପ ଫଣ୍ଡ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଯାହାର ନାମ ସୋନୁ ସୁଦ : ହେଲ୍ପ ଫଣ୍ଡ ଆକାଉଣ୍ଟ ଅଫ ଗ୍ରୁପ ସୋନୁ ସୁଦ ରଖାଯାଇଥିବା ଜଣାପଡିଛି। ଏଭଳି କୌଣସି ଠକାମୀର ଶିକାର ନହେବାକୁ ଶ୍ରୀ ସୁଦ ଲୋକଙ୍କୁ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏଭଳି କେହି ଠକାମୀ କରିବାକୁ ଚେଷ୍ଟା କରୁଥିଲେ ନିକଟସ୍ଥ ପୁଲିସ ଷ୍ଟେସନରେ ଅଭିଯୋଗ କରନ୍ତୁ। ସେ କହିଛନ୍ତି ଯେ, ତାଙ୍କ ସେବା ନିଶୁଳ୍କ ଓ ଏଥିପାଇଁ କାହାରିକୁ ଅର୍ଥ ଦେବାର ଆବଶ୍ୟକ ନାହିଁ।

Comments are closed.