ଅସହାୟଙ୍କ ସାହାରା ସୋନୁ ସୁଦ୍‍: ଗରିବ ଚାଷୀ ପରିବାର ପାଇଁ ତିଆରି କରିଦେବେ ଘର

ମୁମ୍ବଇ: କରୋନା ସମୟରେ ଅନେକ ଅସହାୟଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଥିବା ସୋନୁ ସୁଦ୍‍ ଏବେ ପୁଣିଥରେ ନିଜର ମହାନତା ପାଇଁ ଆଲୋଚନାର ପରିସରକୁ ଆସିଛନ୍ତି। ଉତ୍ତରପ୍ରଦେଶରେ ଜଣେ ଗରିବ ଚାଷୀଙ୍କ ପାଇଁ ଘର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସୋନୁ ସୁଦ୍‍।

ସୂଚନା ଅନୁସାରେ, ଉତ୍ତରପ୍ରଦେଶର ମହାରାଜଗଞ୍ଜ ଅଞ୍ଚଳର ଗରିବ ଚାଷୀ ସନ୍ତୋଷ ମିଶ୍ର ପାଞ୍ଚ ବର୍ଷ ହେବ ଭଙ୍ଗା ଦଦରା ଘରେ ପରିବାର ଲୋକଙ୍କୁ ନେଇ ରହୁଛନ୍ତି । ମରାମତି ପାଇଁ ସମ୍ବଳ ନାହିଁ । ସରକାରୀ ଅଧିକାରୀମାନଙ୍କୁ ଗୁହାରି କରି ମଧ୍ୟ ନିରାଶ ହୋଇଛନ୍ତି। ଶେଷରେ ସୋସିଆଲ୍ ମିଡିଆରେ ତାଙ୍କ ଦୁଃଖ କାହାଣୀ ଭାଇରାଲ୍ ହୋଇଥିଲା ।

ସନ୍ତୋଷଙ୍କ ବିଷୟରେ ଜାଣିବା ପରେ ସାହାଯ୍ୟର ହାତ ବଢ଼ାଇଛନ୍ତି ସୋନୁ ସୁଦ । ଫୋନ୍ କରି ସେ ସନ୍ତୋଷଙ୍କ ସହ କଥା ହେବା ସହ ଖୁବଶୀଘ୍ର ପୁରୁଣା ଘର ସ୍ଥାନରେ ପକ୍କା ଘର ନିର୍ମାଣ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସୋନୁ ପାଖାପାଖି ୭ ମିନିଟ ତାଙ୍କ ସହ କଥା ହୋଇଥିଲେ । ସୋନୁଙ୍କ ଏହି କାର୍ଯ୍ୟ ପାଇଁ ଲୋକେ ପୁଣି ତାଙ୍କର ଭୁରିଭୁରି ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ସନ୍ତୋଷଙ୍କ ପରିବାର ଏଯାଏଁ ସରକାରୀ ଯୋଜନାରେ ଘର ଖଣ୍ଡେ ପାଇଲେ ନାହିଁ । ସରକାରୀ ଅଫିସ ଦୌଡ଼ି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ପାଇ ନାହାନ୍ତି।

Comments are closed.