ଗରିବଙ୍କ ପାଇଁ ଦେବଦୂତ ସୋନୁ ସୁଦ : ଝିଅ କାନ୍ଦିବା ଭିଡିଓ ଦେଖି ନୂଆ ଘର ଓ ବହି ଦେବାର ପ୍ରତିଶ୍ରୁତି ଦେଲେ ସୋନୁ

ବନ୍ୟା ପାଣିରେ ନଷ୍ଟ ହୋଇଗଲା ବହି ଓ ଘର

ମାଲକାନଗିରି : ଅଭିନେତା ସୋନୁ ସୁଦ ପୁଣିଥରେ ଜଣେ ଅଭାବୀ ପରିବାରକୁ ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଗରିବଙ୍କ ପାଇଁ ଦେବଦୂତ ସାଜିଥିବା ସୋନୁ ସୁଦ ସବୁ ଅସହାୟଙ୍କ ଡାକ ଶୁଣି ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଥିବାବେଳେ ଛତିଶଗଡ଼ ବିଜାପୁର ଅଞ୍ଚଳର ଜଣେ ଗରିବ ଆଦିବାସୀ ଝିଅର କାନ୍ଦ ତାଙ୍କ ହୃଦୟକୁ ତରଳାଇ ଦେଇଛି । ପିଲାଟିର ବହି ବସ୍ତାନୀ ପାଣିରେ ନଷ୍ଟ ହୋଇଯାଇଥିବା ଓ ସେ କାନ୍ଦୁଥିବା ଦେଖି ତୁରନ୍ତ ତାଙ୍କୁ ସହାୟତା ଯୋଗାଇ ନୂଆ ଘର ଓ ନୂଆ ବହି ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


ଟୁଇଟ ମାଧ୍ୟମରେ ସେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିବା ବେଳେ ଏବେ ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓ ଦେଖି ସେ ଜଣେ ଆଦିବାସୀ ବାଳିକାକୁ ନୂଆ ବହି ସହ ନୂଆ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି। ବନ୍ୟାରେ ଘର ଭାଙ୍ଗିଯିବା ପରେ ବହି ଗୁଡିକ ନଷ୍ଟ ହୋଇଯାଇଥିବାରୁ ବାଳିକାଜଣକ କାନ୍ଦୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି । ଭିଡ଼ିଓ ଦେଖିବା ପରେ ସୋନୁ ସୁଦ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ମୁକେଶ ଚନ୍ଦ୍ରକର ନାମକ ଜଣେ ଯୁବକ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଜଣେ ବାଳିକା କାନ୍ଦୁଥିବା ଦେଖାଯାଇଛି । ସେ ଲେଖିଛନ୍ତି, ଅଗଷ୍ଟ ୧୫-୧୬ ହୋଇଥିବା ବନ୍ୟାରେ ଅଞ୍ଜଳିଙ୍କ ଘର ପ୍ରାୟ ନଷ୍ଟ ହୋଇଯାଇଥିଲା। ଭାଙ୍ଗିଯାଇଥିବା ଘର କଥା ନ ଭାବି ଅଞ୍ଜଳି ନଷ୍ଟ ହୋଇଯାଇଥିବା ନିଜ ବହିକୁ ଦେଖି ଖୁବ କାନ୍ଦିଥିଲେ । ମୁଁ ପ୍ରଥମଥର ପାଇଁ ଜଣେ ଆଦିବାସୀ ବାଳିକାର ପୁସ୍ତକ ପ୍ରତି ଏଭଳି ଭଲ ପାଇବା ଦେଖିଲି । ଏହି ଟୁଇଟକୁ ରିଟ୍ୱିଟ କରି ସୋନୁ ଲେଖିଛନ୍ତି – ଲୁହ ପୋଛିଦିଅ ଭଉଣୀ, ବହିଗୁଡ଼ିକ ମଧ୍ୟ ନୂଆ ହେବ । ଘର ମଧ୍ୟ ନୂଆ ହେବ । ସୋନୁଙ୍କ ଏଭଳି ଟୁଇଟ ପୁଣିଥରେ ଲୋକଙ୍କ ମନ କିଣି ନେଇଛି । ଏହା ପୂର୍ବରୁ ହଳ କରିବାକୁ ବଳଦ ନଥିବା ଚାଷୀକୁ ଟ୍ରାକ୍ଟର ଏବଂ ଜଣେ ଯୁବତୀଙ୍କ ଆଣ୍ଠୁ ପ୍ରତିରୋପଣ ପାଇଁ ସମସ୍ତ ପ୍ରକାରର ସାହାଯ୍ୟ କରିଥିଲେ ସୋନୁ ।

Comments are closed.