ସୋନିଆ, ରାହୁଲ ପତିରକ୍ଷା କାରବାରରେ ହସ୍ତ​‌କ୍ଷେପ କରନ୍ତି ନାହିଁ: ଆଣ୍ଟୋନୀ

0

ନୂଆଦିଲ୍ଲୀ,୩୧ା୧୨: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିରକ୍ଷା କାରବାରରେ କେବେବି ହସ୍ତ​‌କ୍ଷେପ କରନ୍ତି ନାହିଁ ବୋଲି ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ. କେ. ଆଣ୍ଟୋନୀ ସୋମବାର କହିଛନ୍ତି। ଅଗୁସ୍ତା ୱେଷ୍ଟଲାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ ସମ୍ବନ୍ଧୀୟ ଦୁର୍ନୀତି ମାମଲାର ମଧ୍ୟସ୍ଥ କ୍ରିଷ୍ଟିୟନା ମିସେଲ ଜେରା ବେଳେ ‘ଶ୍ରୀମତି ଗାନ୍ଧୀ’ ଏବଂ ‘ଇଟାଲୀୟ ମହିଳାଙ୍କ ପୁତ୍ର’ ସମ୍ବୋଧନ କରି ବୟାନ ଦେଇଥିବା ନେଇ ଇଡି କୋର୍ଟରେ ସୂଚନା ଦେବା ପରେ ବିଜେପି କଂଗ୍ରେସକୁ କଡ଼ା ସମାଲୋଚନା କରିବା ପରିପ୍ରେକ୍ଷୀରେ ଆଣ୍ଟୋନୀ ଏହା କହିଛନ୍ତି। ବିଜେପି ସରକାର ମିଥ୍ୟା ସମାଲୋଚନା କରୁଥିବା ଦର୍ଶାଇ ଆଣ୍ଟୋନୀ କହିଛନ୍ତି ଏହି କାରବାରରେ ଦୁର୍ନୀତି ହୋଇଥିବା ନେଇ ଇଟାଲୀରୁ ଅଭିଯୋଗ ମିଳିବା ପରେ ପ୍ରଥମ ବ୍ୟକ୍ତି ଭାବେ ସେ ସିବିଆଇକୁ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ଇଟାଲୀରେ ଏହି ମାମଲାର ଆଇନଗତ ଲଢେଇ ଲଢିବାକୁ ତାଙ୍କ ସରକାର ନିଷ୍ପତ୍ତି ନେଇଥିଲା ଏବଂ ପରେ ଜିତିଥିଲା। ପରେପରେ ଆମେରିକା, ରୁଷିଆ ଏବଂ ସିଙ୍ଗାପୁରର କେତେକ କମ୍ପାନୀ ସମେତ ମୋଟ ୫ରୁ୬ଟି କମ୍ପାନୀକୁ କଳାତାଲିକାଭୁକ୍ତ କରାଯାଇଥିଲା। ଏହା ପୂର୍ବତନ ୟୁପିଏ ସରକାରର କାର୍ଯ୍ୟ ସମ୍ବନ୍ଧୀୟ ରେକର୍ଡ; କିନ୍ତୁ ବର୍ତ୍ତମାନ ସରକାର ଦୁର୍ନୀତି ଅଭିଯୋଗ ଉପରେ କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତୃତ୍ବାଧୀନ ପୂର୍ବତନ ୟୁପିଏ ସରକାର ସମୟରେ ୨୦୧୦ରେ ୩୫୬୫ କୋଟି ଟଙ୍କାର ଭିଭିଆଇପି ହେଲିକପ୍ଟର କ୍ରୟ ଲାଗି ଅଗୁସ୍ତା ୱେଷ୍ଟଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଅଗୁସ୍ତାର ସହଯୋଗୀ କମ୍ପାନୀ ଫିନମେକାନିକାର ମୁଖ୍ୟଙ୍କୁ ଇଟାଲୀରେ ଗିରଫ କରାଯିବା ପରେ ଏହି କାରବାର ଅଟକି ଯାଇଥିଲା। ଅଗୁସ୍ତା ନାମରେ ଏହି କାରବାର କରାଇଦେବା ଲାଗି ମିସେଲ ମଧ୍ୟସ୍ଥତା ପୂର୍ବକ ଲାଞ୍ଚ କାରବାର କରିଥିଲେ ବୋଲି ଅଭିଯୋଗ ରହିଛି। ଡିସେମ୍ବର ୪ରେ ଭାରତ ପ୍ରତ୍ୟର୍ପଣ ପରେ ମିସଲେଙ୍କୁ ସିବିଆଇ ୧୫ ଦିନ ପାଇଁ ହାଜତକୁ ନେଇଥିଲା। ପରେ ଡିସେମ୍ବର ୨୨ରେ ଇଡି ତାଙ୍କୁ ଗିରଫ କରିଥିଲା।

Leave A Reply