ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ – କହିଲେ ଲୋକମତକୁ ଭୃକ୍ଷେପ କରୁନି କେନ୍ଦ୍ର

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ମଙ୍ଗଳବାର ସନ୍ଧ୍ୟାରେ ୧୨ଟି ବିରୋଧୀ ଦଳର ନେତା ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନାଗରିକ ସଂଶୋଧନ ଆଇନ୍‍କୁ ପ୍ରତ୍ୟାହାର କରିନେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି।

ଏହି ରାଜନୈତିକ ଦଳଗୁଡ଼ିକର ଏକ ପ୍ରତିନିଧି ମଣ୍ଡଳ ରାଷ୍ଟ୍ରପତିଙ୍କୁ ଏକ ସ୍ମାରକପତ୍ର ଦେଇଥିବା ଜଣାପଡିଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ସୋନିଆ କହିଛନ୍ତି, ପରିସ୍ଥିତି ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି ଓ ଜାମିଆ ମିଲିଆ ଇସଲାମିଆଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରେ ପୁଲିସ୍‍ ଯେଭଳି ଅତ୍ୟାଚାର କରିଛି ତାହା ଅତ୍ୟନ୍ତ ଦୁଃଖଦାୟକ। କେନ୍ଦ୍ର ସରକାର ଲୋକମାନଙ୍କର ମତାମତକୁ ଦବାଇବାକୁ ପ୍ରଚେଷ୍ଟା କରୁଛନ୍ତି ବୋଲି ସେ ଦୋଷାରୋପ କରିଛନ୍ତି।

ସିପିଏମ୍‍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ଟିଏମ୍‍ସି ର ଡେରେକ୍‍ ଓ’ବ୍ରିଏନ୍‍, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଡିଏମ୍‍କେର ଟି. ଆର୍‍ ବାଲ୍ଲୁ, ଆର୍‍ଜେଡିର ମନୋଜ ଝା, ଓ ସିପିଆଇ. ସାଧାରଣ ସମ୍ପାଦକ ଡି. ରାଜା ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ।

Comments are closed.