ଦଳୀୟ ପଦ ବଜାୟ ରଖିଲେ ସୋନିଆ

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ପଦ ବଜାୟ ରଖିଛନ୍ତି। ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ‘ଆବଶ୍ୟକ ପ୍ରକ୍ରିୟା’ ଅନୁମୋଦନ ହେବା ପର୍ଯ୍ୟନ୍ତ ସୋନିଆ ତାଙ୍କ ପଦ ବଜାୟ ରଖିବେ ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଭି ରବିବାର ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅଗଷ୍ଟ ୧୦ରେ ସୋନିଆଙ୍କ ୧ବର୍ଷୀୟା ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ପଦ ଅବଧି ଶେଷ ହେଉଥିବାବେଳେ ଆଜି ଏପରି ଘୋଷଣା କରାଯାଇଛି। ଏହି ଘୋଷଣା ଦ୍ବାରା କଂଗ୍ରେସର ଅଧ୍ୟକ୍ଷ ପଦ ଖାଲିପଡିବ ନାହିଁ। କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନୂଆ ପ୍ରକ୍ରିୟା ନିକଟ ଭବିଷ୍ୟତରେ ଘୋଷଣା କରାଯିବ। ଏଥିପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ରେ ବିଚାରବିମର୍ଶ ଚାଲିଛି। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ୨୦୧୯ ଅଗଷ୍ଟ ୧୦ରେ ସୋନିଆ ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଥିଲେ।

Comments are closed.