ସୁବର୍ଣ୍ଣପୁର ଇଷ୍ଟଦେବୀ ମା’ ସୁରେଶ୍ୱରୀ ପୀଠରେ ନବରାତ୍ର ପୂଜା

ସୋନପୁର: ଯନ୍ତ୍ର, ମନ୍ତ୍ର ଓ ତନ୍ତ୍ରର ମହାମିଳନ ପୀଠ ସୁବର୍ଣ୍ଣପୁର ସହରର ଇଷ୍ଟଦେବୀ ମା’ସୁରେଶ୍ୱରଙ୍କ ପୀଠରେ କୋଭିଡ କଟକଣା ସହ ନବରାତ୍ର ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ କରୋନା କଟକଣା ଯୋଗୁ ମନ୍ଦିର ସଂପୂର୍ଣ୍ଣ ବନ୍ଦ ରହିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି।
ଓଡ଼ିଶାର ପ୍ରାଚୀନ ତନ୍ତ୍ରପୀଠଗୁଡ଼ିକ ମଧ୍ୟର ମା’ସୁରେଶ୍ବରୀଙ୍କ ପୀଠ ଅନ୍ୟତମ। ‌ସୁବର୍ଣ୍ଣପୁର ସହରର ସାତିବନ୍ଧ ନିକଟରେ ମା’ଙ୍କ ଆସ୍ଥାନ। ଇତିହାସ କୁହେ ସମ୍ବଳର ରାଜା ଇନ୍ଦ୍ରଭୂତିଙ୍କ ଭଗ୍ନୀ ଲକ୍ଷ୍ମୀଙ୍କରା ଏଠାରେ ସହଜଯାନ ତନ୍ତ୍ରର ପ୍ରଚଳନ କରିଥିଲେ। ଲକ୍ଷ୍ମୀଙ୍କରାଙ୍କ ତତ୍ତ୍ୱାବଧାନରେ ସପ୍ତକୁମାରୀ ଜ୍ଞାନଦେଇ ମାଳୁଣୀ, ନିତେଇ ଧୋବଣୀ, ଲୁହାକୁଟି ଲୁହୁରାଣୀ, ସୁକୁଟି ଚମାରୁଣୀ, ପତରପିନ୍ଧି ସଉରୁଣୀ, ସୁଆକୁଟି ତେଲୁଣୀ, ଗାଙ୍ଗା ଗଉଡୁଣୀ ଆଦି ତନ୍ତ୍ର ସାଧନା କରି ସିଦ୍ଧିଲାଭ କରିଥିଲେ। ଉକ୍ତ ସପ୍ତକୁମାରୀଙ୍କ ତନ୍ତ୍ରପୀଠ ହିଁ ସାତବନ୍ଧ ଥିବା ଐତିହାସିକଙ୍କ ମତ। ସେହି ସପ୍ତକୁମାରୀଙ୍କ ଆରାଧ୍ୟା ଥିଲେ ମା’ସୁରେଶ୍ୱରୀ ସେ ହିଁ ଦକ୍ଷିଣକାଳୀ। କାଳୀକା ମନ୍ତ୍ରରେ ମା’ଙ୍କ ଆରାଧାନା କରାଯାଇଥାଏ। କୁଣ୍ଡଳିନୀ ଯନ୍ତ୍ର ଉପରେ ଦେବୀ ଦଣ୍ଡାୟମାନ। ଏପରିକି ମା’ ଶବାରୁଢ଼ା, ଚର୍ତୁଭୂଜା, ଶିବଙ୍କ ଉପରେ ଗୋଡ଼ ଦେଇ ବାମକୁ ଢ଼ଳି ପଡ଼ିଛନ୍ତି।
ସୁରେଶ୍ୱରୀ ଅର୍ଥାତ କାଳୀଙ୍କ ଆରାଧନା କଲେ ଶନିଶ୍ଚର ଗ୍ରହ ପୀଡ଼ାରୁ ମଧ୍ୟ ମୁକ୍ତି ମିଳିଥାଏ ବୋଲି କାଳୀତନ୍ତ୍ର ଗ୍ରନ୍ଥରୁ ପ୍ରମାଣ ମିଳେ। ମା’ ସକଳ ବିଦ୍ୟାର ଆଦି ହୋଇଥିବାରୁ ଭକ୍ତ ଯେଉଁ ଭାବରେ ତାଙ୍କୁ ଆରାଧନା କରେ ସେଭଳି ଫଳପ୍ରାପ୍ତି ହୋଇଥାଏ। ମା’ଙ୍କ ପୀଠ ହେଉଛି ପ୍ରସିଦ୍ଧ ବଳିଯାତ୍ରାର ପ୍ରମୁଖ ପୀଠ।
ପ୍ରତି ବର୍ଷ ମା’ଙ୍କ ପୀଠରେ ନବରାତ୍ର ପୂଜା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହେବା ସହ ଏହି ନଅ ଦିନ ବ୍ୟାପୀ ମା’ କାଳୀ, ତାରା, ଷୋଡ଼ଶୀ, ବଗଳାମୁଖୀ, ଧୂମାବତୀ, ଛିନ୍ନମସ୍ତା, ଭୈରବୀ, ଭୁବନେଶ୍ୱରୀ, ମାତଙ୍ଗୀ ଆଦି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ସେହିପରି ଦଶହରା ଦିନ ମା’ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଥାନ୍ତି। ମା’ଙ୍କୁ କେବଳ ଥନାପତି ସମ୍ପ୍ରଦାୟର ସେବକମାନେ ପୂଜାର୍ଚ୍ଚନା କରିବାର ବିଧି ରହିଥିବା ବେଳେ କିଛି ନିର୍ଦିଷ୍ଟ ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଚାଲିଛି। ଏପରିକି ପ୍ରତ୍ୟେକ ଦିନ ମା’ଙ୍କ ବିଭିନ୍ନ ବେଶ ମଧ୍ୟ ନିର୍ଦିଷ୍ଟ ସେବାୟତଙ୍କ ଦ୍ୱାରା କରାଯାଉଛି। ଏପରିକି କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ମନ୍ଦିର ଓ ମନ୍ଦିର ପରିସରକୁ ଭକ୍ତଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା କାରି କରାଯାଇଛି।

Comments are closed.