କରୋନା ମୁକାବିଲାରେ ଆଗଧାଡିରେ ସୋଆ, ୨୦୦୦ ରୁ ଉର୍ଦ୍ଧ୍ବ ଶଯ୍ୟା ବିଶିଷ୍ଟ କୋଭିଡ ଚିକିତ୍ସା କେନ୍ଦ୍ରରେ ଚାଲିଛି ସଂକ୍ରମିତଙ୍କ ଚିକିତ୍ସା

ଭୁୁବନେଶ୍ୱର : ସାରା ବିଶ୍ୱ ଏବେ କରୋନା ମହାମାରୀର କବଳରେ ଆଜି ଆତଙ୍କିତ। ଅଦୃଶ୍ୟ ଶତ୍ରୁର ଭୟରେ ଭୟଭୀତ ସାରା ବିଶ୍ୱବାସୀ। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା, ଇଟାଲୀ ଓ ବ୍ରାଜିଲ୍ ଭଳି ବଡ଼ ବଡ଼ ଦେଶ ସମେତ ଭାରତ ଏପରିକି ସାରା ବିଶ୍ୱ ଏବେ କୋଭିଡ-୧୯ ମହାମାରୀ ସହ ଯୁଦ୍ଧ ଜାରି ରଖିଛି। ଏହି ଯୁଦ୍ଧରେ  ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥ ରକ୍ଷା ଲାଗି ଓଡ଼ିଶା ସରକାର ଉଦ୍ୟମ ଚଳାଇଥିବା ବେଳେ ଏହି ମହତ କାର୍ଯ୍ୟରେ ସରକାରଙ୍କ ସହ ହାତ ମିଳାଇଛି ଶିକ୍ଷା ଓ ଅନୁସନ୍ଧାନ ।

ଜନସାଧାରଣଙ୍କ ସ୍ୱାସ୍ଥ୍ୟରକ୍ଷା ସୋଆର ମୂଳମନ୍ତ୍ର ହୋଇଥିବା ବେଳେ ଏହି ମହାମାରୀର ମୁକାବିଲା ପାଇଁ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୋଭିଡ-୧୯ ହସ୍ପିଟାଲ୍ ଗୁଡିକ ମଧ୍ୟରୁ ୪ଟି କୋଭିଡ ହସ୍ପିଟାଲ୍ ଏବଂ ଦୁଇଟି କୋଭିଡ କେୟାର ସେଂଟରର ଦାୟିତ୍ୱ ନେଇଛି ସୋଆ। ଉଦ୍ଦେଶ୍ୟ ରହିଛି ସଂକ୍ରମିତ ବ୍ୟକ୍ତି କିପରି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରନ୍ତୁ।

ଗତ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ବେଳକୁ କରୋନା ମହାମାରୀର ପ୍ରଭାବ ଓଡ଼ିଶାରେ ଦେଖାଦେଇଥିବା ବେଳେ ମାତ୍ର ଦୁଇ ତିନି ଜଣ ସଂକ୍ରମିତ ହୋଇଥିଲେ। ତେବେ ସେହି ମୁହୁର୍ତ ଠାରୁ ହିଁ ଯୁଦ୍ଧକାଳୀନ ଭିତିରେ ଓଡ଼ିଶାବାସୀଙ୍କୁ ଏହି ମହାମାରୀ କବଳରୁ ରକ୍ଷା କରିବା ଏବଂ ସେମାନଙ୍କର ଚିକିତ୍ସା କରାଇବା ନେଇ ଅଣ୍ଟା ଭିଡିଥିଲେ ରାଜ୍ୟ ସରକାର ଓ କୋଭିଡ ହସ୍ପିଟାଲ୍ ଆରମ୍ଭ କରିବା ନିମନ୍ତେ ସହଯୋଗର ହାତ ବଢ଼ାଇଥିଲା ସୋଆ।  ଜୀବନ ଜୀବିକାର ଦୋ ଛକିରେ ଥିବା ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ତାଙ୍କୁ ସୁସ୍ଥ କରିବା ଲକ୍ଷ୍ୟରେ ସୋଆ ପକ୍ଷରୁ ୨୦୦୦ରୁ ଊର୍ଦ୍ଧ୍ବ ଶଯ୍ୟା ବିଶିଷ୍ଟ  କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟର ପରିଚାଳନା କରାଯାଉଛି।

ସୋଆ ପକ୍ଷରୁ ୧୫୭ ଆଇସିୟୁ ଶଯ୍ୟା ସମେତ ୨୧୧୧ ଶଯ୍ୟାର ବ୍ୟବସ୍ଥା କରାଯାଇ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି। ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ି ଚାଲିଥିବା ବେଳେ ୮୦ ରୁ ୯୦ ପ୍ରତିଶତ ଶଯ୍ୟା ପୂରଣ ହୋଇ ଚିକିତ୍ସା ଜାରି ରହିଛି। ଏହା ଏକ ଯୋଦ୍ଧା ଏବଂ ଦିନ ରାତି ଏହି ମହାମାରୀ ସହ ଯୁଦ୍ଧ କରୁଥିବା ଯୋଦ୍ଧାମାନଙ୍କ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ।

ଏହି ମହାମାରୀରୁ ଜନସମାଜକୁ ରକ୍ଷା କରିବା ନିମନ୍ତେ କୋଭିଡ-୧୯ ଭାକ୍ସିନ୍ ପରୀକ୍ଷଣରେ ମଧ୍ୟ ନିଜକୁ ନିୟୋଜିତ କରିଛି ସୋଆ। କୋଭିଡ-୧୯ ଭାକ୍ସିନ୍ ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ସମ୍ ହସ୍ପିଟାଲ୍ରେ ଆରମ୍ଭ କରାଯାଇଛି। ଆଇସିଏମ୍ଆର୍ ଏବଂ ଭାରତ ବାୟୋଟେକ୍ ମିଳିତ ସହଯୋଗରେ ଏହି ଭାକ୍ସିନ୍ ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲରେ ଏହାର ପରୀକ୍ଷଣ ଆରମ୍ଭ କରାଯାଇଛି। ଅନେକ ସ୍ୱେଚ୍ଛାସେବୀଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ ଜାରି ରହିଛି।

ସେହିପରି ସମ୍ କୋଭିଡ୍ ହସ୍ପିଟାଲ୍ରେ ପ୍ଲାଜମା ଥେରାପି ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯିବା ସହ କୋଭିଡ-୧୯ ମହାମାରୀର ସଂକ୍ରମଣର ଢ଼ାଞ୍ଚାକୁ ଅଧିକ ଗଭୀରଭାବେ ବୁଝିବା ନିମନ୍ତେ ସମ୍ ହସ୍ପିଟାଲ୍ରେ ଜେନୋମିକ୍ ଗବେଷଣା ମଧ୍ୟ ଆରମ୍ଭ କରାଯାଇଛି।  କୋଭିଡ ହସ୍ପିଟାଲ୍ ଏବଂ କୋଭିଡ କେୟାର ସେଂଟରଗୁଡ଼ିକରେ ଭର୍ତି ହେଉଥିବା ସଂକ୍ରମିତଙ୍କର ଚିକିତ୍ସା ସୁଚାରୁରୂପେ କରାଯାଉଛି। ସେମାନଙ୍କର ଖାଇବା, ପିଇବା ଏବଂ ରହିବାର ସୁବ୍ୟବସ୍ଥା କରାଯିବା ସହ ସଠିକ୍ ପରିଚାଳନା ମଧ୍ୟ କରାଯାଉଛି।

 

Comments are closed.