ପୁଅର ଫାର୍ସା ଚୋଟରେ ମାଆର ମୃତୁ ଘଟଣା : ଗିରଫ ହେଲା ହତ୍ୟାକାରୀ ପୁଅ

ଫୁଲବାଣୀ : ନାବାଳକ ଭଣଜା ଗାଡ଼ି ଚଳାଇବା ବେଳେ ଭାଙ୍ଗିଯିବା କାଳ ହୋଇଛି ଏକ ମାଆକୁ। ନିଜ ଭଉଣୀ ବୃନ୍ଦାବତୀ ଓ ଭଣଜାକୁ ଟାର୍ଗେଟ୍‍ କରି ଫର୍ସାରେ ଆକ୍ରମଣ କରିଥିବା ବେଳେ ଏଥିରେ ହସ୍ତକ୍ଷେପ କରିବାକୁ ନିଜ ମାଆ ଉର୍ମିଳା ବେହେରାଙ୍କୁ ମଧ୍ୟ ହତ୍ୟା କରିବା ପାଇଁ ପଛାଇନଥିଲା ଏହି ପୁଅ। ଗତ ୨୮ ତାରିଖରେ ଏହି ଘଟଣା ଫୁଲବାଣୀ ସଦରଥାନା ଅନ୍ତର୍ଗତ ବିଶିପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ହତ୍ୟାକାଣ୍ଡ ପରେ ଫେରାର୍‍ ଥିବା ପୁଅକୁ ରବିବାର ସଦର ପୁଲିସ୍‍ ଗିରଫ କରିଛି। ଗିରଫ ପୁଅର ନାମ ଭାଗିରଥି ବେହେରା ବୋଲି ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ସେଠୀ ସୂଚାନ ଦେଇଛନ୍ତି।

ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତ ୬ ଦିନ ହେଲା ହତ୍ୟାକାରୀ ପୁଅ ଜଣକ ଫେରାର୍‍ ଥିବା ବେଳେ ତାହାର ମୋବାଇଲ୍‍ ଟ୍ରାକିଂ କରି ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ଲୁଚିକି ଥିବା ବେଳେ ଆଜି ତାକୁ ପୁଲିସ୍‍ ଗିରଫ କରିଥିବାର ଜଣାଯାଇଛି।
ପ୍ରକାଶ ଯେ, ସଦରଥାନା ଅନ୍ତର୍ଗତ ବିଶିପଡ଼ା ପଂଚାୟତର ସୁଧସାହିର ଗିରଫ ଭାଗିରଥି ବେହେରାର ଏକ ଳୁନା ଗାଡ଼ିକୁ ନେଇ ତାର ନାବାଳକ ଭଣଜା ଚଳାଇବା ବେଳେ ଭାଙ୍ଗି ଯାଇଥିଲା। ଗାଡ଼ିକୁ ଠିକ କରି ଦେବାକୁ ଭାଗିରଥି ତାଭଉଣୀ ବୃନ୍ଦାବତୀକୁ କହିଥିଲେ। ବୃନ୍ଦାବତୀ ଭାଗିରଥିକୁ ଗାଡ଼ି ସଜାଡ଼ିବା ପାଇଁ ୨ ହଜାର ଟଙ୍କା ଦେଇଥିଲେ ମଧ୍ୟ ଯାହାକୁ ଭାଗିରଥି ନନେଇ ଗାଡ଼ିଟିକୁ ସଂପୂର୍ଣ୍ଣଭାବେ ସଜାଡ଼ି ଦେବାକୁ ଦାବିକରିଥିଲେ। ସେହି ସମୟରେ ସମଗ୍ର ଜିଲା ସଟ୍‍ଡ଼ାଉନ୍‍ ଯୋଗୁଁ ଗାଡ଼ି ସଜାଇବା ସମ୍ଭବ ହୋଇନଥିଲା। ଭଉଣୀ ଯେତେ ନେହୁରା ହୋଇଥିଲେ ମଧ୍ୟ ଭାଇ ଭାଗିରଥି କୌଣସି କଥାକୁ ଶୁଣିନଥିଲା। ଏ ନେଇ ଭଉଣୀ ସହିତ ଭାଗିରଥିର ଝଗଡ଼ା ହୋଇଥିଲା। ଘଟଣା ଦିନ ଅର୍ଥାତ ରବିବାର ସନ୍ଧ୍ୟାରେ ଭାଗିରଥି ଅତ୍ୟଧିକ ମଦ୍ୟପାନ କରି ଭଉଣୀ ବୃନ୍ଦାବତୀଙ୍କ ବେହେରାପଦର ଘରକୁ ଯାଇ ପାଟିତୁଣ୍ଡ କରିଥିଲେ। ଯାହାକୁ ନେଇ ଭଉଣୀ ବିରୋଧ କରିବାରୁ ଭାଗିରଥି ନେଇଥିବା ଏକ ଫାର୍ସାରେ ୧୨ ବର୍ଷର ଭଣଜାକୁ ଆକ୍ରମଣ କରିବାରେ ବୃନ୍ଦାବତି ଅଟକାଇବାକୁ ଯାଇ ନିଜେ ଆହତ ହୋଇଥିଲେ। ଝିଅ ଘରେ ରହୁଥିବା ମା ଉର୍ମିଳା ଝିଅ ଓ ନାତିକୁ ବଂଚାଇବାକୁ ପୁଅକୁ ଅଟକାଇ ଥିଲେ। ନିସାଗ୍ରସ୍ଥ ପୁଅ ରାଗିଯାଇ ମାଙ୍କୁ ଫାର୍ସାରେ ଆଘାତ ପରେ ଅଘାତ କରିଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ମା ଉର୍ମିଳାର ମୃତୁ ହୋଇଥିଲା। ପୁଲିସ୍‍ କେସ ନଂ ୬୭/୨୦ରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଆରମ୍ଭ କରିଥିଲା।

Comments are closed.