ଅକ୍ସଫୋର୍ଡରେ ପଢ଼ିଲା ପୁଅ, ଚାକିରି ନ ମିଳିବାରୁ ମା-ବାପାଙ୍କ ନାଁରେ କଲା ମାମଲା

ପୁଅକୁ ଭଲ ଶିକ୍ଷା ଦେବା ଲାଗି ମା’ବାପା ବହୁ କଷ୍ଟ କରିଥାନ୍ତି। ଆଶା ଥାଏ ପୁଅର ଭବିଷ୍ୟତ ଉଜ୍ଜ୍ଵଳ ହେଲେ ପରିଣତ ବୟସରେ ସେମାନଙ୍କର ଯତ୍ନ ନେବ। କିନ୍ତୁ ଲଣ୍ଡନରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୁଅକୁ ଉଚ୍ଚଶିକ୍ଷା ଦେଇ ମା’-ବାପା ଏବେ ଅଡୁଆରେ ପଡ଼ିଛନ୍ତି। ଉଚ୍ଚ ଶିକ୍ଷା ଗ୍ରହଣ ପରେ ଚାକିରି ନ ମିଳିବାରୁ ପୁଅଟି ମା-ବାପାଙ୍କ ନାଁରେ କୋର୍ଟରେ ମାମଲା ରୁଜୁ କରିଛି। କେବଳ ଏତିକି ନୁହେଁ, ସାରା ଜୀବନ ମା-ବାପା ତା’କୁ ଭରଣପୋଷଣ ଖର୍ଚ୍ଚ ଦିଅନ୍ତୁ ବୋଲି ସେ କୋର୍ଟରେ ଦାବି କରିଛି।

ଏହି ବ୍ୟକ୍ତିଙ୍କ ନାମ ହେଲା ଫୈଜ ସିଦ୍ଦିକୀ। ତାଙ୍କ ବୟସ ୪୧ ବର୍ଷ। ତାଙ୍କ ବାପା ହେଉଛନ୍ତି ୭୧ ବର୍ଷୀୟ ଜାଭେଦ ଏବଂ ମା’ ୬୯ ବର୍ଷୀୟା ରକ୍ଷଂଦା। ଫୈଜଙ୍କୁ ତାଙ୍କ ମା’ବାପା ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟରେ ପଢ଼ାଇଥିଲେ। ଆଇନରେ ଡିଗ୍ରୀ ହାସଲ କରିବା ପରେ ସେ ଓକିଲାତି ପ୍ରଶିକ୍ଷଣ ନେଇଥିଲେ। ସେ ଜଣେ ପ୍ରଶିକ୍ଷିତ ଓକିଲ ମଧ୍ୟ। ଉଚ୍ଚ ଶିକ୍ଷିତ ହୋଇ ବି ସେ କୌଣସି ସ୍ଥାନରେ ଚାକିରି କରିପାରି ନ ଥିଲେ କି କୌଣସି କାମ ପାଇ ନ ଥିଲେ। ତେଣୁ ସେ ନିଜ ମା’ବାପାଙ୍କ ଯତ୍ନ ନେବା ବଦଳରେ ତାଙ୍କଠାରୁ ନିଜର ଭରଣପୋଷଣ ଖର୍ଚ୍ଚ ପାଇଁ ଦାବି କରିଛନ୍ତି।

ଫୈଜ କୁହନ୍ତି, ସେ ଗତ ୧୦ ବର୍ଷ ହେଲା ବେରୋଜଗାର ଅଛନ୍ତି। ସେ କୋର୍ଟରେ ପିଟିଶନ ଦାଖଲ କରି କହିଛନ୍ତି ଯେ, ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଭରଣପୋଷଣ ପାଇଁ ହକ୍‌ଦାର। ତାଙ୍କୁ ଏଥିରୁ ବଞ୍ଚିତ କରାଇଲେ ଏହା ତାଙ୍କ ମାନବାଧିକାରର ଉଲ୍ଲଂଘନ ହେବ।

ଫୈଜଙ୍କ ମା’ବାପା ଦୁବାଇରେ ରୁହନ୍ତି। ସେମାନଙ୍କ ଓକିଲ କହିଛନ୍ତି ଯେ, ଫୈଜଙ୍କ ମା-ବାପା ପୂର୍ବରୁ ତାଙ୍କୁ ଅକ୍ସଫୋର୍ଡ ଭଳି ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟରେ ପଢ଼ାଇଛନ୍ତି। ଏହା ସହିତ ସେମାନେ ତାଙ୍କ ପୁଅକୁ ସେଣ୍ଟ୍ରାଲ ଲଣ୍ଡନର ହାଇଡ୍‌ ପାର୍କରେ ୧୦ କୋଟି ଟଙ୍କା ମୂଲ୍ୟର ଏକ ଘର କିଣି ଦେଇଛନ୍ତି। କେବଳ ଏତିକି ନୁହେଁ, ପ୍ରତିମାସରେ ସେମାନେ ପୁଅର ବିଭିନ୍ନ ଖର୍ଚ୍ଚ ବାବଦରେ ମାସକୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଦେଇଆସୁଛନ୍ତି। କିନ୍ତୁ ଏବେ ପାରିବାରିକ ବିବାଦ ଯୋଗୁ ସେମାନେ ଆଉ ଟଙ୍କା ଦେବାକୁ ଚାହୁଁନାହାନ୍ତି।

ଉଲ୍ଲେଖଯୋଗ୍ୟ, ଫୈଜ ପୂର୍ବରୁ ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ବିରୋଧରେ ମଧ୍ୟ କୋର୍ଟରେ ମାମଲା ରୁଜୁ କରି ୧୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଏଠାରେ ଶିକ୍ଷାଦାନ ସ୍ତର ଭଲ ନ ଥିବା ଅଭିଯୋଗ କରି ସେ ଏହି ମାମଲା ଦାୟର କରିଥିଲେ।

Comments are closed.