MEllora 950×100

ପୂର୍ବତନ ସରପଞ୍ଚଙ୍କ ପୁଅ-ବୋହୂଙ୍କୁ ମରଣାନ୍ତକ ଆକ୍ରମଣ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ଇଚ୍ଛାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ଓ ବୋହୂଙ୍କ ଉପରେ ବୁଧବାର ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି । ପତଣ୍ଡା ଛକରେ ସିମେଣ୍ଟ ଓ ଲୁହାଛଡ ଦୋକାନ କରିଥିବା ପୂର୍ବତନ ସରପଞ୍ଚଙ୍କ ପୁଅ ରାମଚନ୍ଦ୍ର ସାହୁ ଦୋକାନରେ ଥିବାବେଳେ ସେହି ପଞ୍ଚାୟତର ମାଟିକୋଟ ଗ୍ରାମର ବିବେକାନନ୍ଦ ନାୟକ ତାଙ୍କୁ ଦାଦାବଟି ମାଗିଥିଲେ। ବଟି ଦେବାକୁ ମନା କରିବା ପରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ରାମଚନ୍ଦ୍ରଙ୍କ ପତ୍ନୀ ସରୋଜିନୀ ସେହି ସମୟରେ ଅରଖପାଟଣାରୁ ଆସି ଦୋକାନରେ ପହଞ୍ଚିଥିଲେ। ଦାଦାବଟି ମାଗୁଥିବା ବିବେକାନନ୍ଦ ପୁଣି ଏକ ବାଇକରେ ଅନ୍ୟ ଦୁଇଜଣ ସଚ୍ଚିଦାନନ୍ଦ ଓ ଶରତ ନାୟକ ହାତରେ ଭୁଜାଲି, କଟୁରୀ ଓ ବନ୍ଧୁକ ଧରି ଆସି ପାଟିତୁଣ୍ଡ କରିବା ସହ ୨ଲକ୍ଷ ଟଙ୍କା ଦାବି କରିଥିଲେ। ରାମଚନ୍ଦ୍ର ପ୍ରତିବାଦ କରିବାରୁ ବିବେକାନନ୍ଦ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲେ। ଏହି ସମୟରେ ପତ୍ନୀ ସରୋଜିନୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଉଭୟ ରାମଚନ୍ଦ୍ର ଓ ତାଙ୍କ ପତ୍ନୀ ସରୋଜିନୀ ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାକୁ ଆସି ଚିକିତ୍ସା କରାଇବା ସହ ଥାନାରେ ଏତଲା ଦେଇଥିଲେ। ଅଭିଯୁକ୍ତ ବିବେକାନନ୍ଦଙ୍କ ନାମରେ ଆଠଗଡ ସମତେ ରାଜ୍ୟର ବିଭିନ୍ନ ଥାନାରେ ବହୁ ମାମଲା ରହିଥିବାବେଳେ ଗତ ଜାନୁଆରୀ ମାସରେ ଏଟିଏମରେ ଟଙ୍କା ବୋଝେଇ କରିବାକୁ ଯାଉଥିବା ଗାଡିରୁ ୧କୋଟି ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ପୁଲିସ ଦ୍ୱାରା ଗିରଫ ହୋଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ବାମଦେବ ସ୍ୱାଇଁ ପ୍ରକାଶ କରିଛନ୍ତି।

Comments are closed.