ୟେସ ବ୍ୟାଙ୍କ ସଙ୍କଟର ସମାଧାନ ଖୁବ୍ଶୀଘ୍ର ହେବ: ଆରବିଆଇ ଗଭର୍ଣ୍ଣର

ମୁମ୍ବଇ: ୟେସ ବ୍ୟାଙ୍କରେ ଆର୍ଥିକ ସଙ୍କଟ ଦେଖାଦେଇଥିବାବେଳେ ଏହା ଖୁବ୍ଶୀଘ୍ର ସମାଧାନ ହୋଇଯିବ ବୋଲି କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି, ୟେସ୍ ବ୍ୟାଙ୍କ ସମ୍ପର୍କରେ ବ୍ୟାପକ ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆର୍ଥିକ ବ୍ୟବସ୍ଥାର ସୁରକ୍ଷା ନିଶ୍ଚିତ କରିବା ଏହାର ଲକ୍ଷ୍ୟ। ରିଜର୍ଭ ବ୍ୟାଙ୍କ ଖୁବ୍ଶୀଘ୍ର ୟେସ୍ ବ୍ୟାଙ୍କର ପୁନରୁଦ୍ଧାର ପାଇଁ ଏକ ଯୋଜନା କରିବ।
ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କର ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ଆରବିଆଇ ଏହା ଉପରେ କଟକଣା ଲାଗୁ କରିଛି। ଆରବିଆଇ ପକ୍ଷରୁ ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କୁ ନିଲମ୍ବନ କରାଯିବା ସହିତ ଏସବିଆଇର ପୂର୍ବତନ ଡିଏମଡି ତଥା ସିଏଫଓ ପ୍ରଶାନ୍ତ କୁମାରଙ୍କୁ ପ୍ରଶାସକ ରୂପେ ନିଯୁକ୍ତ କରାଯାଇଛି। ଏହା ସହିତ ବ୍ୟାଙ୍କରୁ ଟଙ୍କା ଉଠାଣ ପରିମାଣ ୫୦ ହଜାରକୁ ସୀମିତ କରାଯାଇଛି।