ଏସ୍‌ଏଚ୍‌ଜି ଦାୟିତ୍ବରେ କଠିନ ବର୍ଜ୍ୟ ପରିଚାଳନା : ଘରୋଇ ସଂସ୍ଥାକୁ ଘରୁ ଆବର୍ଜନା ସଂଗ୍ରହ ମନା

ଭୁବନେଶ୍ବର : ଦୀର୍ଘବର୍ଷ ହେଲା ତିନୋଟି ଘରୋଇ ସଂସ୍ଥା ବିଏମ୍‌ସି ଅଞ୍ଚଳରେ ଆବର୍ଜନା ପରିଚାଳନା ଦାୟିତ୍ବ ସମ୍ଭାଳି ଆସୁଥିଲେ। ଟନ୍‌ ପିଛା ଆବର୍ଜନା ବାବଦକୁ ବିଏମ୍‌ସି ସେମାନଙ୍କୁ ଅର୍ଥ ଦେଉଥିଲା। ଏବେ ଏହି ତିନୋଟି ଘରୋଇ ସଂସ୍ଥା ସହିତ ବିଏମ୍‌ସିର ଚୁକ୍ତି ସରିଯାଇଛି। ସେମାନଙ୍କୁ ଆଉ ୩ ମାସ ସମୟ ଦିଆଯାଇଛି। ଆସନ୍ତା ଫେବୃଆରୀରେ କଠିନ ଆବର୍ଜନା ପରିଚାଳନା ନେଇ ଟେଣ୍ଡର( ନିଲାମ) ଡାକିବ ବିଏମ୍‌ସି। ହେଲେ ଆଉ ଠିକା ସଂସ୍ଥାକୁ ପ୍ରତି ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ ଦାୟିତ୍ବ ଦିଆଯିବ ନାହିଁ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଏମ୍‌ସିସି (କ୍ଷୁଦ୍ରବର୍ଜ୍ୟ ବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର) କାର୍ଯ୍ୟକ୍ଷମ ହେବା ପରେ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)କୁ ଘରୁ ଆବାର୍ଜନା ସଂଗ୍ରହ କାମ ଦିଆଯିବ। ନିଲାମ ପାଇବା ପରେ ଘରୋଇ ସଂସ୍ଥା କେବଳ ଡ୍ରେନ୍‌ରୁ ପଙ୍କୋଦ୍ଧାର, ରାସ୍ତା ସଫେଇ, ଅନାବନା ଘାସ କାଟିବା କାମ ଆଦି ଦିଆଯିବ। ବିଏମ୍‌ସି ଆବର୍ଜନା ଗାଡ଼ି କିଣି ଏସ୍‌ଏଚ୍‌ଜି ହେପାଜତକୁ ଦେବେ। ସେମାନେ ପ୍ରତି ଘରୁ ପୃଥକ୍‌ ଭାବେ (ଓଦା ଓ ଶୁଖିଲା) ଆବର୍ଜନା ସଂଗ୍ରହ କରିବେ ବୋଲି ବିଏମ୍‌ସି ଡେପୁଟି କମିସନର ( ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି।

ବିଏମ୍‌ସିର ୬୭ ୱାର୍ଡ ମଧ୍ୟରୁ ୫୭ଟି ୱାର୍ଡର ସଫେଇ ଦାୟିତ୍ବ ଠିକା ସଂସ୍ଥା ପିଏମ୍‌ଆର୍‌, ରାମ୍‌କୀ ଏବଂ ଜାଗୃତି ହାତରେ ରହିଛି। ବାକି ୧୦ଟି ୱାର୍ଡରେ ବିଏମ୍‌ସି ନିଜେ ସଫେଇ କାର୍ଯ୍ୟ କରୁଛି। ଏହି ତିନୋଟି ସଂସ୍ଥା ସହରର ବିଭିନ୍ନ ସ୍ଥାନରେ ଥିବା ଡଷ୍ଟବିନ୍‌ ଏବଂ ପ୍ରତି ଘରୁ ଆବର୍ଜନା ସଂଗ୍ରହ ସହିତ ଡ୍ରେନ୍‌ରୁ ପଙ୍କ ଉଦ୍ଧାର, ରାସ୍ତାରୁ ସଫେଇ, ଅନାବନା ଘାସ କାଟି ସଫା କାମ କରୁଛନ୍ତି। ସହର​‌େ​‌ର ଦିନକୁ ୭୦୦ ଟନ୍‌ରୁ ଊର୍ଦ୍ଧ୍ବ ଅଳିଆ ବାହାରୁ ଥିବାରୁ ଯେଉଁ ସଂସ୍ଥା ଯେତେ ଆବର୍ଜନା‌ ଉଠାଇ ଭିଏସ୍‌ଏସ୍‌ ନଗର ସୈନିକ ସ୍କୁଲରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡରେ ପକାଉଛନ୍ତି ସେହି ଅନୁସାରେ ସେମାନଙ୍କୁ ବିଏମ୍‌ସି ଅର୍ଥ ଦେଉଛି। ହେଲେ ଏଣିକି କୌଣସି ଠିକା‌ ସଂସ୍ଥାକୁ ଘରୁ ଆବର୍ଜନା ସଂଗ୍ରହ ଦାୟିତ୍ବ ନ ଦେବାକୁ ବିଏମ୍‌ସି ନିଷ୍ପତ୍ତି ନେଇଛି।

ଠିକା ସଂସ୍ଥା ଦୈନିକ ମଜୁରି ହିସାବରେ ସଫେଇ କର୍ମଚାରୀଙ୍କୁ କାମରେ ଲଗାଇ ବର୍ଜ୍ୟବସ୍ତୁ ପରିଚାଳନା ଦାୟିତ୍ବ ତୁଲାଉଛନ୍ତି। ତିନୋଟି ସଂସ୍ଥାର ପ୍ରାୟ ୨ହଜାରରୁ ଊର୍ଦ୍ଧ୍ବ ସଫେଇ କର୍ମଚାରୀ ନିୟୋଜିତ ଅଛନ୍ତି। ଠିକା ସଂସ୍ଥା ହାତରୁ ଘରୁ ଆବର୍ଜନା ସଂଗ୍ରହ ଦାୟିତ୍ବ ବିଏମ୍‌ସି କାଢ଼ି ନେବା ପରେ ଅନେକ ସଫେଇ କର୍ମଚାରୀ କାମ ନ ପାଇପାରନ୍ତି। ସଫେଇ କର୍ମଚାରୀ ଲକ୍ଷ୍ମୀ କହିଛନ୍ତି, ଆମେ ଦୀର୍ଘବର୍ଷ ହେଲା ବିଏମ୍‌ସି ଅଞ୍ଚଳରେ ସଫେଇ କାମ କରି ପରିବାର ଚଳାଉଛି। କାମ ନ ମିଳିଲେ ଆର୍ଥିକ ସଙ୍କଟରେ ପଡ଼ିବୁ। ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ନେବା ପୂର୍ବରୁ ଆମ କଥା ବିଚାର କଲେ ଭଲ ହେବ। ପୂର୍ବରୁ ବିଏମ୍‌ସି ଅଞ୍ଚଳରେ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ଠିକା ସଂସ୍ଥାଙ୍କ ଲମ୍ବା ଅଭିଜ୍ଞତା ଏବଂ ସାଧନ ଅଛି। ସେମାନଙ୍କ ହାତରୁ ଦାୟିତ୍ବ କାଢ଼ି ନେଲେ ସମସ୍ୟା ଦେଖାଦେଇ ପାରେ ବୋଲି ଅନେକ ମତପ୍ରକାଶ କରିଛନ୍ତି।

ସେହିପରି ଦୁଇଟି ଘରୋଇ ସଂସ୍ଥାର ଦୁଇଟି ଯାନ୍ତ୍ରିକ ସଫେଇ ଯନ୍ତ୍ର ସହରର ପ୍ରମୁଖ ରାସ୍ତା ସଫେଇ କାମ କରୁଥିବାବେଳେ ସ୍ମାର୍ଟସିଟି ଅଞ୍ଚଳରେ ଯାନ୍ତ୍ରିକ ସଫେଇ ନିମନ୍ତେ ଅନୁମତିକୁ ନେଇ ସମସ୍ୟା ରହିଛି। ଫଳରେ ସହରର ବିଭିନ୍ନ ରାସ୍ତାରେ ଠିକ୍‌ ଭାବେ ସଫେଇ ହେଉ ନ ଥିବା ସାଧାରଣରେ ଅଭିଯୋଗ ହୋଇଛି। ତେବେ ବିଏମ୍‌ସିର ନୂତନ ପଦକ୍ଷେପ କେତେ ଫଳପ୍ରଦ ହେବ ତାହା ପରବର୍ତ୍ତୀ ମୁହୂର୍ତ୍ତରେ ସ୍ପଷ୍ଟ ହେବ।

Comments are closed.