ଏନକାଉଣ୍ଟରରେ ୨ଆତଙ୍କବାଦୀ ମୃତ: ସେନା ଛାଡ଼ି ହିଜବୁଲରେ ଯୋଗ ଦେଇଥିଲେ ଆତଙ୍କବାଦୀ

0

ଶ୍ରୀନଗର: ଦକ୍ଷିଣ କାଶ୍ମୀରର ସୋପିୟାଠାରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଯାଇଛି। ଆତଙ୍କବାଦୀଙ୍କ ଠିକଣା ଉପରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଏହି ଦୁଇ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସମ୍ପୃକ୍ତ ଅଞ୍ଚଳର ସଫାନଗରୀ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ତଲାସି ଚାଲିଥିବାବେଳେ ଏହି ଦୁଇ ଆତଙ୍କବାଦୀଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ମୃତ ୨ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଏପ୍ରିଲରେ ସେନା ଛାଡ଼ି ହିଜବୁଲ ମୁଜାହିନ୍ଦୀନରେ ସାମିଲ ହୋଇଥିଲା।
ମହମ୍ମଦ ଇଦରିସ ସୁଲତାନ ଓରଫ ଛୋଟା ଅବରାର ଓ ଅମୀର ହୁସେନ ନାମକ ଏହି ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ସୁରକ୍ଷାକର୍ମୀଙ୍କ ପାଇଁ ବଡ଼ ସଫଳତା ବୋଲି କୁହାଯାଉଛି। ଇଦରିସ ଦୀର୍ଘ ୨୦ବର୍ଷ ଧରି ସେନାରେ କାର୍ଯ୍ୟରତ ଥିଲେ। ଇଦରିସଙ୍କ ଦ୍ୱାରା ଆତଙ୍କବାଦୀ ସଂଗଠନ ସୁରକ୍ଷାକର୍ମୀଙ୍କ କାର୍ଯ୍ୟଶୈଳୀ ସମ୍ପର୍କିତ ସୂଚନା ପୂର୍ବରୁ ଜାଣି ପାରୁଥିଲେ। ଉଭୟଙ୍କଠାରୁ ବିପୁଳ ମାତ୍ରାରେ ଗୋଳାବାରୁଦ ଜବତ କରାଯାଇଛି। ସୁରକ୍ଷାକର୍ମୀଙ୍କ ଜନୈକ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସୋପିୟାଠାରେ ଆହୁରି ଅଧିକ ସଂଖ୍ୟାରେ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ ରହିଛି। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଅଞ୍ଚଳରେ ଛାନଭିନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।

Leave A Reply