ଆଦିବାସୀ ନାବାଳିକାକୁ ୫୦ ହଜାରରେ ବିକ୍ରି ଅଭିଯୋଗ

0

ଢେଙ୍କାନାଳ ସଦର : ଢେଙ୍କାନାଳ ଜିଲା ଗଁଦିଆ ଥାନା ଅନ୍ତର୍ଗତ ବିଧାରପୁର ଗ୍ରାମପଞ୍ଚାୟତ ଦକ୍ଷିଣାପଶି ଗାଁର ଜଣେ ଆଦିବାସୀ ନାବାଳିକାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ନାବାଳିକାଙ୍କୁ ଗୋଆରେ ବିକ୍ରି କରାଯାଇଥିବା ଅନୁମାନ କରାଯାଉଛି। ନାବାଳିକାର ଜେଜେ ଏନେଇ ଜିଲା ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ କରିବା ପରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି। ଖବର ନେବାରୁ ଜଣାଯାଇଛି ଯେ, ବିଧାରପୁର ଗ୍ରାମପଞ୍ଚାୟତ ଦକ୍ଷିଣାପଶି ଗାଁର ଜଣେ ଆଦିବାସୀ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଏବେ ଜେଲ୍‍ରେ ସଜା କାଟୁଛନ୍ତି। ପତ୍ନୀ ଆରପାରିକୁ ଚାଲିଯିବା ପରେ ସ୍ୱାମୀ ଜେଲ୍‍ରେ ରହିବା ଯୋଗୁଁ ତାଙ୍କର ନାବାଳକ ଦୁଇପୁଅ ଏବଂ ଦୁଇଝିଅ ଜେଜେଙ୍କ ପାଖରେ ପଡିରହିଥିଲେ। ତାଙ୍କ ଜେଜେ ସଦର ଥାନା ଅନ୍ତର୍ଗତ ଦାମୋଦରନାଳି ଗାଁର ଏକ ଫାର୍ମହାଉସ୍‍ରେ କାମ କରନ୍ତି। ଗତ ୨୦୧୭ ଲକ୍ଷ୍ମୀପୂଜା ସମୟରେ ବାବୁଲି ସ୍ୱାଇଁ ଓ ବୁନୁ ମହାରଣା ନାମକ ଦୁଇଜଣ ଦଲାଲ ନାବାଳିକାର ଜେଜେଙ୍କୁ ପ୍ରଲୋଭିତ କରି ଗୋଆରେ ୫୦ ହଜାର ଟଙ୍କାରେ ବିକ୍ରି କରିଦେଇଥିବା ଜଣାପଡିଥିଲା। ଏନେଇ ଜେଲ୍‍ରେ ଥିବା ନାବାଳିକାଙ୍କ ବାପା ଜାଣିବାକୁ ପାଇଥିଲେ। ବିଭିନ୍ନ ସମୟରେ ଜେଲ୍‍ ପରିଦର୍ଶନ କରୁଥିବା ଜିଲା ଆଇନ୍‍ ସେବା ପ୍ରାଧିକରଣର କର୍ମକର୍ତ୍ତାଙ୍କୁ ନାବାଳିକାଙ୍କ ବାପା ଏନେଇ ଅଭିଯୋଗ କରିଥିଲେ। ହେଲେ ତାଙ୍କ ଜେଜେ ଡିସେମ୍ବର ୨୯ ତାରିଖ ଦିନ ଶିଶୁ ମଙ୍ଗଳ କମିଟିକୁ ଲିଖିତ ଭାବେ ଜଣାଇ ତାଙ୍କର ୧୦ ବର୍ଷର ନାବାଳିକା ନାତୁଣୀକୁ ଖୋଜିବା ପାଇଁ ଅନୁରୋଧ କରିଥିଲେ। ଶିଶୁ ମଙ୍ଗଳ କମିଟି ପକ୍ଷରୁ ଏନେଇ ଢେଙ୍କାନାଳ ଜିଲାପାଳ ନିଖିଲ ପବନ କଲ୍ୟାଣ ଓ ଏସ୍‍ପି ସନ୍ତୋଷ କୁମାର ନାୟକଙ୍କୁ ଜଣାଇଥିଲେ। ଜିଲା ଆଇନ୍‍ ସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ ଏବଂ ଆଇନ୍‍ ସେବା ପ୍ରାଧିକରଣର ପାରାଲିଗାଲ ଭଲ୍ୟୁଣ୍ଟର କବିତା ବେହେରା ପ୍ରମୁଖ ଦକ୍ଷିଣାପଶି ଗାଁକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଅନୁସନ୍ଧାନରୁ ନାବାଳିକାକୁ ଗୋଆ ଚାଲାଣ କରାଯାଇଥିବା ତଥ୍ୟ ହସ୍ତଗତ ହୋଇଛି। ଏନେଇ ସିଡବ୍ଲ୍ୟୁସି ପକ୍ଷରୁ ଏସ୍‍ପିଙ୍କ ନିକଟରେ ତଦନ୍ତ ପାଇଁ ନିବେଦନ କରାଯାଇଛି। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ଆଚାର୍ଯ୍ୟ କୁହନ୍ତି, ଜଣେ ୧୦ ବର୍ଷର
ନାବାଳିକାଙ୍କୁ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ଆସିଛି। ଘଟଣା ସଂପର୍କରେ ଅନୁଧ୍ୟାନ କରାଯାଉଛି। ତଦନ୍ତ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିପାରିବ ବୋଲି କହିଛନ୍ତି।

Leave A Reply