ସତର୍କତା ରୋକିପାରିଛି ଗଜରାଜ ମୃତ୍ୟୁ: ବିଛା ହୋଇଛି ସୋଲାର ଫେନ୍ସିଂ, ଲାଗିଛି ୧୨ ସୂଚନା ଫଳକ

ବ୍ରହ୍ମପୁର: ନୂଆ ବର୍ଷକୁ ସ୍ବାଗତ କରିବାର ପ୍ରବଳ ଉତ୍ସାହ ଭିତରେ ୨୦୧୨ ମସିହା ଡିସେମ୍ବର ୩୦ ତାରିଖ ବିଳମ୍ବିତ ରାତିରେ ଏମିତି ଏକ ଦୁର୍ଘଟଣା ଘଟିଥିଲା, ଯାହା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଗୋଟିଏ କି ଦୁଇଟି ନୁହଁ, ଟ୍ରେନ୍‌ ଧକ୍କାରେ ଚାଲିଗଲା ୬ଟି ହାତୀର ଜୀବନ । ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ନିକଟରେ କରମଣ୍ଡଳ ଟ୍ରେନ୍‌ ଧକ୍କାରେ ଗୋଟିଏ ଦନ୍ତା, ୩ଟି ମାଈ ଏବଂ ଦୁଇଟି ଛୁଆ ହାତୀ ପ୍ରାଣ ହରାଇଥିଲେ । ଏହା ଭିତରେ ଏହି ଦୁର୍ଘଟଣାକୁ ବିତିଗଲାଣି ୮ବର୍ଷ । କିନ୍ତୁ ତା’ ପରଠୁ ଆଉ ଗୋଟିଏ ହେଲେ ଦୁର୍ଘଟଣା ଏହି ଗୁରୁତ୍ବପୂର୍ଣ୍ଣ ବ୍ରହ୍ମପୁର-ଖୋର୍ଦ୍ଧା ଟ୍ରେନ୍‌ ଲାଇନ୍‌ରେ ଘଟିନାହିଁ । ବନ , ବିଦ୍ୟୁତ୍‌ ଏବଂ ରେଳ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ଏବଂ ସତର୍କତା ମୂଳକ ପଦକ୍ଷେପ ଯୋଗୁ ଏହି ଅଞ୍ଚଳରେ ହାତୀ ଦୁର୍ଘଟଣାକୁ ରୋକାଯାଇ ପାରିଛି ।

ସୁବଳୟାରେ ହାତୀଙ୍କ ଗଣମୃତ୍ୟୁକୁ ନେଇ ସାରା ବିଶ୍ବରେ ପରିବେଶ ପ୍ରେମୀଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଥିଲା । ଘଟଣା ଘଟିଥିଲା, ଡିସେମ୍ବର ୩୦ ତାରିଖ ରାତି ୧୨ଟା ୪୫ମିନିଟ୍‌ରେ । ଟ୍ରେନ ଧକ୍କା ଏତେ ଜୋର୍‌ ଥିଲା ଯେ, ଗୋଟିଏ ଗର୍ଭିଣୀ ହାତୀର ପେଟରୁ ପୂର୍ଣ୍ଣବିକଶିତ ଶାବକଟି ବାହାରକୁ ବାହାରି ଆସି ମରିଯାଇଥିଲା । କେତେକ ମୃତ ହାତୀକୁ ଟ୍ରେନ୍‌ ଶତ୍ରୁସୋଲ ହରିଜନ ସାହି ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ସବୁଆଡ଼େ ହାତୀର ମାଂସ ଏବଂ ହାଡ଼ ବିକ୍ଷିପ୍ତ ହୋଇ ଭୂଇଁ ଉପରେ ପଡ଼ିଥିଲା। କୌଣସିି ଦୁର୍ଘଟଣାରେ ଏତେ ସଂଖ୍ୟକ ହାତୀ ମରିବା ଓଡ଼ିଶା ଇତିହାସରେ ସେହି ସମୟରେ ଥିଲା ପ୍ରଥମ ଘଟଣା ।

ଏହି ଦୁର୍ଘଟଣା ପରେ ଉଭୟ ବନ ଏବଂ ରେଳ ବିଭାଗ ମଧ୍ୟରେ ତୀବ୍ର ମତଭେଦ ସୃଷ୍ଟି ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଫଳରେ ବିବାଦର ସମାଧାନ ହୋଇଥିଲା । ଦୁଇଟି ସ୍ବତନ୍ତ୍ର କମିଟି ଗଠନ କରାଯାଇଥିଲା । ବନ ଏବଂ ବିଦ୍ୟୁତ୍‌ ବିଭାଗକୁ ନେଇ ଗୋଟିଏ କମିଟି ଏବଂ ବନ ଓ ରେଳ ବିଭାଗକୁ ନେଇ ଆଉ ଗୋଟିଏ କମିଟି ଗଠନ ହୋଇଥିଲା । ପ୍ରାରମ୍ଭରେ ପ୍ରତି ୪ମାସରେ ଥରେ କମିଟିଗୁଡ଼ିକର ବୈଠକ ବସୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ଆବଶ୍ୟକ ହେଉଛି ବୈଠକ ବସୁଛି । ଏଥିରେ ତିନି ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିଛନ୍ତି । ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ କହିବାନୁଯାୟୀ, ଏହି ଦୁର୍ଘଟଣା ପରେ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇଛି । ବନ ବିଭାଗର ତରଫରୁ କର୍ମଚାରୀଙ୍କୁ ଖୋର୍ଦ୍ଧା ରେଳ ଡିଭିଜନ୍‌ର ମୁଖ୍ୟ କାର୍ଯ୍ୟାଳୟରେ ନିୟୋଜିତ ରଖାଯାଇଛି। ବ୍ରହ୍ମପୁର ଠାରୁ ରମ୍ଭା ପର୍ଯ୍ୟନ୍ତ ଟ୍ରେନ ଲାଇନ ଆଖାପାଖରେ କୌଣସି ପ୍ରକାର ହାତୀ ଗତିବିଧି ଦେଖାଦେଲେ ବନ ବିଭାଗର କର୍ମଚାରୀମାନେ ଖୋର୍ଦ୍ଧା ରେଳ ଡିଭିଜନ୍‌କୁ ଅବଗତ କରୁଛନ୍ତି । ତଦନୁଯାୟୀ, ଟ୍ରେନ୍‌ର ବେଗ କମାଇବା ସହ ଆବଶ୍ୟକ ପଡ଼ିଲେ ରୋକା ଯାଉଛି । ଏକ ହଟ୍‌ଲାଇନ ଟେଲିଫୋନିକ୍‌ ବ୍ୟବସ୍ଥା କରାଯାଇଛି । ସେହିଭଳି ଟ୍ରେନ ଲାଇନର ୧୨ଟି ସ୍ଥାନରେ ସୂଚନା ଫଳକ ମରାଯାଇଛି । ହାତୀ ଚଲାପଥ ଯୋଗୁ ଟ୍ରେନ୍‌ର ବେଗ ହ୍ରାସ କରିବା ପାଇଁ ଏହି ଫଳକଗୁଡ଼ିକରେ ସତର୍କ କରାଯାଉଛି । ଟ୍ରେନ୍‌ର ଗତି ସୀମିତ ରଖିବାକୁ ନିର୍ଦେଶ ରହିଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଲା, ସୋଲାର ଫେନ୍ସିଂ । ପ୍ରାୟ ୩କିମି ଲମ୍ବରେ ସୋଲାର ଫେନ୍ସିଂ ତାର ଲଗାଯାଇଛି । ହାତୀଙ୍କୁ ଟ୍ରେନ୍‌ ଲାଇନଠାରୁ ଦୂରରେ ରଖିବା ପାଇଁ ଏହି ଫେନ୍ସି ଖଞ୍ଜା ଯାଇଛି । ଏଥିସହ ୱାଚ୍‌ ଟାୱାର୍‌ ନିର୍ମାଣ ସହ ବନ ବିଭାଗର କର୍ମଚାରୀମାନେ ନିୟମିତ ପାଟ୍ରୋଲିଂ କରୁଛନ୍ତି । ନିୟମିତ ଅନ୍ତଃ ବିଭାଗୀୟ ବୈଠକ ବସୁଛି । ବିଦ୍ୟୁତ୍‌ ଏବଂ ରେଳ ବିଭାଗର ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି । ବିଭାଗର ତ୍ବରିତ ଓ ସତର୍କତା ପଦକ୍ଷେପ ଯୋଗୁ ସେହି ଦୁର୍ଘଟଣା ପରେ ଉକ୍ତ ଅଞ୍ଚଳରେ ଆଉ କୌଣସି ଦୁର୍ଘଟଣା ନାହିଁ ବୋଲି ଡିଏଫ୍‌ଓ ନାୟକ ପ୍ରକାଶ କରିଛନ୍ତି ।

Comments are closed.