ପୃଥିବୀରେ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ ‘ସୂର୍ଯ୍ୟ ପରାଗ’

ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ପ୍ରାୟ ସକାଳ ୧୦.୨୦ରେ ଆରମ୍ଭ ହୋଇ ଅପରାହ୍ଣ ୦୨.୨୦ ସମୟରେ ଶେଷ ହେବ

ସମାଜ ପୋର୍ଟାଲ୍‌ ଡେସ୍କ:ସୂର୍ଯ୍ୟ ଚାରିପଟେ ପୃଥିବୀ ଓ ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଟ କକ୍ଷ ପଥରେ ଘୂରିବୁଲୁଛନ୍ତି। ମହାକାଶରେ ବୁଲୁଥିବା ଏହି ପିଣ୍ଡ ଦୁଇଟି ବେଳେବେଳେ ସୂର୍ଯ୍ୟ ସହ ଏକ ସରଳ ରେଖାରେ ରହିଥାନ୍ତି। ସେହି ସମୟରେ ସୂର୍ଯ୍ୟ ପରାଗ ଓ ଚନ୍ଦ୍ରଗ୍ରହଣ ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ‘ପୃଥିବୀ ଓ ସୂର୍ଯ୍ୟ’ ମଝିରେ ଚନ୍ଦ୍ର ଏକ ସରଳ ରେଖାରେ ରହିଥାଏ। ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼େ ଓ ଛାଇ ପଡୁଥିବା ଅଞ୍ଚଳର ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖିପାରନ୍ତି ନାହିଁ। ପରାଗ କେବଳ ଅମାବାସ୍ୟା ଦିନହିଁ ଘଟିବା ସମ୍ଭବ ହୋଇଥାଏ।


ଆକାଶରେ ସୂର୍ଯ୍ୟ ଓ ଚନ୍ଦ୍ର ଆମକୁ ସମାନ ଆକାରର ଦେଖାଯାଇଥାନ୍ତି। ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମଝିରେ ଏକ ସରଳ ରେଖାରେ ରହିଥାଏ ଓ ସେତେବେଳେ ଚନ୍ଦ୍ର ସୂର୍ଯ୍ୟକୁ ପୂରା ଗୋଡ଼ାଇ ଦେବାରେ ସକ୍ଷମ ହୋଇଥାଏ। ଚନ୍ଦ୍ର ପୃଥିବୀ ଚାରିପଟେ ଏକ ଉପବୃତ୍ତାକର ପଥରେ ଘୁରିବୁଲୁଛି, ଫଳରେ ପୃଥିବୀର ନିକଟରେ ଥିବା ସମୟରେ ଏହା ଆମଠାରୁ ୩ଲକ୍ଷ ୬୨ହଜାର ୫୭୦ କିଲୋମିଟର ଦୂରରେ ରହୁଛି। ଦୂରରେ ଥିବା ସମୟରେ ଏହା ୪ଲକ୍ଷ ୫ହଜାର ୪୧୦ କିଲୋମିଟର ଦୂରରେ ରୁହେ। ଫଳରେ ନିକଟରେ ଥିବା ସମୟରେ ଚନ୍ଦ୍ର ଆମକୁ ପ୍ରାୟ ୧୨% ବଡ଼ ଦେଖାଯାଏ। ଏହି ସମୟରେ ସୂର୍ଯ୍ୟ ପରାଗ ଘଟିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟ ଆଡ଼କୁ ଘୋଡ଼ାଇ ଦେଇଥାଏ, ଏହାଦ୍ବାରା ପୂର୍ଣ୍ଣ ସୂର୍ଯ୍ୟ ପରାଗ ହୁଏ। କିନ୍ତୁ ଆମଠାରୁ ଦୂରରେ ଥିବା ସମୟରେ ଚନ୍ଦ୍ର ଆମକୁ ଛୋଟ ଦେଖାଯାଏ ଓ ସେହି ଅବସ୍ଥାରେ ପରାଗ ଘଟିଲେ ଛୋଟ ଦେଖାଯାଉଥିବା ଚନ୍ଦ୍ରଟି ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ପାରେନାହିଁ ଓ ସୂର୍ଯ୍ୟ ଚାରିପାଖରେ ଏକ ବଳୟ ଦେଖାଯାଏ। ଏଥି ସହିତ ପୃଥିବୀ ମଧ୍ୟ ସୂର୍ଯ୍ୟ ଚାରିପଟେ ଏକ ଉପବୃତ୍ତାକାର ପଥରେ ଘୂରିବୁଲୁଛି। ଫଳରେ ଆମ ନିକଟରେ ଥିବା ସମୟରେ ଆମକୁ କିଛିଟା ବଡ଼ ଦେଖାଯାଏ ଓ ଏହି ସମୟରେ ଆମକୁ କିଛିଟା ବଡ଼ ଦେଖାଯାଏ ଓ ଏହି ସମୟରେ ସୂର୍ଯ୍ୟ ପରାଗ ଘଟିଲେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟକୁ ଘୋଡ଼ାଇ ପାରେ ନାହିଁ। ପରାଗ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତି ଅନୁସାରେ ତିନି ପ୍ରକାରର ସୂର୍ଯ୍ୟ ପରାଗ ଘଟିଥାଏ: ଆଂଶିକ, ପୂର୍ଣ୍ଣ ଓ ବଳୟ। ପ୍ରତ୍ୟେକ ପୂର୍ଣ୍ଣ ସୂର୍ଯ୍ୟ ପରାଗ ପୂର୍ବରୁ ଓ ପରେ ଆଂଶିକ ପରାଗ ଦେଖାଯାଏ। କଦବକ୍ୱଚିତ୍‍ ମିଶିତ ଅର୍ଥାତ୍‍ ଏକା ପରାଗରେ ସମ୍ପୂର୍ଣ୍ଣ ଓ ବଳୟ ପରାଗ ମିଶିକରି ଦେଖାଯାଏ। ଆସନ୍ତାକାଲି ପୃଥିବୀରେ ଦେଖାଦେବ ବିରଳ ମହାଜାଗତିକ ଦୃଶ୍ୟ ‘ସୂର୍ଯ୍ୟ ପରାଗ’। ଏହା ଓଡ଼ିଶା ସମେତ ଭାରତର ବିଭିନ୍ନ ଅଞ୍ଚଳ ଏବଂ ପୃଥିବୀର ଅନେକ ଦେଶରେ ଦେଖାଯିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଏହା ଖାଲି ଆଖିରେ ଦେଖାଯାଇପାରିବ। ତେବେ ସତର୍କତାମୂଳକ ବୈଜ୍ଞାନିକ ପଦ୍ଧତିରେ ସୂର୍ଯ୍ୟ ପରାଗ ଦେଖିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।

 

ଆସନ୍ତାକାଲି ଅର୍ଥାତ୍‌ ଜୁନ୍‍ ମାସ ୨୧ ତାରିଖରେ ଏକ ବଳୟ ସୂର୍ଯ୍ୟ ପରାଗ ଆଫ୍ରିକା, ଉତ୍ତରପୂର୍ବ, ୟୁରୋପ ତଥା ଏସିଆ ମହାଦେଶର କିଛି ଅଞ୍ଚଳରେ ଦେଖାଯିବ। ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇଯିବ। ଭାରତର ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ ଏକ ମିନିଟ୍ ଧରି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ। ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ଚନ୍ଦ୍ର ସୂର୍ଯ୍ୟ ବ୍ୟାସକୁ ପ୍ରାୟ ୬୦%ରୁ ୭୨% ଘୋଡ଼ାଇ ଦେବ। ଫଳରେ ଓଡ଼ିଶାରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଓଡ଼ିଶା ସମେତ ଭାରତର ସବୁ ଅଞ୍ଚଳରେ ଏହା ପ୍ରାୟ ସକାଳ ୧୦.୨୦ରେ ଆରମ୍ଭ ହୋଇ ଅପରାହ୍ଣ ୦୨.୨୦ ସମୟରେ ଶେଷ ହେବ। ଏହା ସର୍ବାଧିକ ସୂର୍ଯ୍ୟ ପରାଗ ପ୍ରାୟ ୧୨.୧୫ରୁ ୧୨.୩୦ ଭିତରେ ଘଟିବ। ତେବେ ବିଭିନ୍ନ ସ୍ଥାନରେ ପରାଗର ଆରମ୍ଭ, ଶେଷ ଓ ସର୍ବାଧିକ ଘଟିବାର ସମୟ ସାମାନ୍ୟ ଅଲଗା ରହିବ। ସେହିପରି ଅଲଗା ଅଲଗା ସ୍ଥାନରେ ସୂର୍ଯ୍ୟ ପରାଗର ପରିମାଣରେ ମଧ୍ୟ ଭିନ୍ନତା ରହିବ। ଭୁବନେଶ୍ୱରରେ ଏହା ସକାଳ ୧୦.୩୮ରେ ଆରମ୍ଭ ହୋଇ ୦୨.୦୯ରେ ଶେଷ ହେବ। ସର୍ବାଧିକ ୧୨.୨୬ ରେ ଘଟିବ ସେ ସମୟରେ ଚନ୍ଦ୍ର ସୂର୍ଯ୍ୟର ବ୍ୟାସକୁ ପ୍ରାୟ ୬୫% ଘୋଡ଼ାଇ ଦେବ। ଓଡ଼ିଶାର ଅନ୍ୟ ଯେକୌଣସି ସ୍ଥାନରେ ସୂର୍ଯ୍ୟ ପରାଗର ପରିମାଣ ଓ ସଠିକ୍‍ ସମୟ ଆଦି ଇଣ୍ଟରନେଟ୍‍ମୋ ଏବଂ ମୋବାଇଲ୍‍ ଆପ୍‍ରୁ ସହଜରେ ମିଳିପାରିବ। ନିରାପଦ ଓ ସହଜ ଉପାୟଗୁଡ଼ିକ ମଧ୍ୟରେ ସୂର୍ଯ୍ୟ ପରାଗ ଦେଖି ହେବ। ତେଣୁ ଉପଯୁକ୍ତ ସାବଧାନତା ଅବଲମ୍ବନ କରି ସମସ୍ତେ ଏହି ବିରଳ ଦୃଶ୍ୟଗୁଡ଼ିକୁ ଉପଭୋଗ କରିପାରିବେ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Comments are closed.