୮ ସହକର୍ମୀଙ୍କୁ ଗୁଳିକରି ହତ୍ୟା କଲେ ଯବାନ, ୨ ଗୁରୁତର

ମସ୍କୋ: ରୁଷର ସାଇବେରିଆରେ ଅବସ୍ଥିତ ସେନାର ଏକ ଶିବିରରେ ଜଣେ ଯବାନ ନିଜର ୮ ସହକର୍ମୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଗୁଳିକାଣ୍ଡରେ ଅନ୍ୟ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ଅଭିଯୁକ୍ତ ଯବାନଙ୍କ ମାନସିକ ସ୍ଥିତି ଠିକ୍‌ ନ ଥିବାରୁ ସେ ଏଭଳି କାର୍ଯ୍ୟ କରିଛନ୍ତି ବୋଲି ରୁଷ ସେନାର ଜଣେ ଅଧିକାରୀ କହିଛନ୍ତି। ଅଭିଯୁକ୍ତ ଯବାନଙ୍କ ନାମ ରାମିଲ ସାମ୍‌ସୁତଦିନୋଭ ଏବଂ ତାଙ୍କ ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି।

ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତି ଜାରି କରି କହିଛି ଯେ, ଅଭିଯୁକ୍ତ ଯବାନଙ୍କୁ ଗିରଫ କରାଯାଇଛି। ସେନାରେ କାର୍ଯ୍ୟ କରିବାକୁ ନେଇ ସେ ସନ୍ତୁଷ୍ଟ ନ ଥିଲେ। ତେଣୁ ମାନସିକ ସନ୍ତୁଳନ ହରାଇ ସେ ଏପରି ଘଟଣା ଘଟାଇଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ଏହି ଘଟଣା ଘଟିଛି। ଯବାନ ଯଣକ ନିଜ ବନ୍ଧୁକରୁ ସହକର୍ମୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାରୁ ଘଟଣାସ୍ଥଳରେ ହିଁ ୮ଜଣଙ୍କ ମୃତ୍ୟୁ ଘଟିଥିଲା।

Comments are closed.