ଘରକୁ ଫେରିବ ସୋହାନି, ଓଡ଼ିଶା ଫେରିବା ବାଟ ଖୋଲିଲା

ନୂଆଦିଲ୍ଲୀ: ତିନିବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉତ୍ତରପ୍ରଦେଶ ନୋଇଡ଼ାର ଏକ ଅନାଥଶ୍ରମରେ ରହୁଥିବା ଓଡ଼ିଆ ଝିଅ ସୋହାନି ଜେନା ପାଇଁ ଓଡ଼ିଶା ଫେରିବା ବାଟ ଖୋଲିଛି। ଆଠ ବର୍ଷୀୟ ବାଳିକା ସୋହାନିକୁ ତା’ର ଗୃହଜିଲା କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର ଲାଗି କେନ୍ଦ୍ରାପଡ଼ା ଚାଇଲଡ଼ ଲାଇନର ଏକ ଟିମ୍‌ ଖୁବ୍‍ଶିଘ୍ର ଦିଲ୍ଲୀରେ ଆସି ପହଞ୍ଚିବେ ବୋଲି ସୂଚନା ମିଳିଛି। ସୋହାନିର ସ୍ଥାନାନ୍ତର ଲାଗି ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଚାଇଲଡ ଲାଇନ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ଗତ ଡିସେମ୍ବର ୨୩ରେ ଗୌତମବୁଦ୍ଧ ନଗର ଜିଲା ବାଳ କଲ୍ୟାଣ ସମିତ ଅଧ୍ୟକ୍ଷଙ୍କ ଆଦେଶନାମାରେ ଜିଲା ପ୍ରୋବେସନ ଅଧିକାରୀ ଅଥବା ବାଳ ସଂରକ୍ଷଣ ଅଧିକାରୀ ଏକ ଟିମ୍‌ ଗଠନ କରି ବାଳିକାର ସ୍ଥାନାନ୍ତର ସୁନିଶ୍ଚିତ କରିବା ବିଷୟରେ ଉଲ୍ଲେଖ ରହିଥିଲା।

‘ମାଇ ହୋମ୍‌ ଇଣ୍ଡିଆ’ ନାମକ ସଂସ୍ଥା ମାଧ୍ୟମରେ ନୋଇଡ଼ାରୁ କେନ୍ଦ୍ରାପଡ଼ାକୁ ପହଞ୍ଚାଇବା ଲାଗି ପ୍ରଶାସନିକସ୍ତରରେ ପ୍ରସ୍ତୁତି ହୋଇଥିଲା। ଓଡ଼ିଶା ସରକାର ନିଜ ଖର୍ଚ୍ଚରେ ସୋହାନିକୁ ଫେରାଇନେବା ଲାଗି ଦିଲ୍ଲୀସ୍ଥିତ ଆବାସିକ ଆୟୁକ୍ତଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ମହାମଞ୍ଚ ତରଫରୁ ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓଡ଼ିଆ ମହାମଞ୍ଚର ପ୍ରସ୍ତାବକୁ ଗ୍ରହଣ କରି କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦେଶ ଦେଇଛନ୍ତି।

Comments
Loading...