ସମାଜ ସେବାକୁ ଆଦରି ନେଇ ଅନ୍ୟ ପାଇଁ ବଞ୍ଚୁଥିବା ମଣିଷ – ଲକ୍ଷ୍ମୀପ୍ରସାଦ

ବାଙ୍କୀ/ଡମପଡ଼ା : ସମାଜସେବାକୁ ଜୀବନର ଲକ୍ଷ୍ୟ ଭାବରେ ଗ୍ରହଣ କରି ସମାଜରେ ସମ୍ମାନର ସହିତ ବଞ୍ଚିବାକୁ ଲକ୍ଷ୍ୟ ନେଇ ଅନ୍ୟ ପାଇଁ ବଞ୍ଚୁଥିବା ମଣିଷ ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ ରଗଡ଼ି ଗ୍ରାମପଞ୍ଚାୟତର ଯୁବ ସମାଜସେବୀ ଲକ୍ଷ୍ମୀପ୍ରସାଦ ରାଉତ । ପାଖରେ ଆର୍ଥିକ ସମ୍ବଳ ନଥିଲେ ମଧ୍ୟ ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର୍ ମାନିଛି ସମସ୍ତ ନକରାତ୍ମକ ଚିନ୍ତାଧାରା । ସମାଜରେ ଅବହେଳିତ ଅବସ୍ଥାରେ ରହିଯାଉଥିବା ଜନସାଧାରଣଙ୍କ ନିକଟରେ ପହଞ୍ଚି ସହଯୋଗର ହାତ ବଢ଼ାନ୍ତି ଲକ୍ଷ୍ମୀପ୍ରସାଦ । ବନ୍ୟା ହେଉକି ବାତ୍ୟା କେଉଁଥିକି ଖାତିର୍ ନ କରି ହଠାତ୍ ବାହାରି ପଡ଼ନ୍ତି ଅନ୍ୟର ଦୁଃଖ ଦୁର୍ଦ୍ଦଶା ବୁଝିବା ପାଇଁ । ପାଖରେ ସମ୍ବଳ ନଥିଲେ ବି ଅସହାୟ ସାହାଯ୍ୟ କରିବା ପାଇଁ ଅନ୍ୟକୁ ସହଯୋଗର ହାତ ବଢ଼ାଇବା ପାଇଁ କୁଣ୍ଠାବୋଧ ନ କରି ସାହାଯ୍ୟର ଆଶା ରଖନ୍ତି । ସଂଗ୍ରହ କରିଥିବା ସାହାଯ୍ୟକୁ ବାଣ୍ଟି ଅନ୍ୟ ମୁହଁରେ ଚେନ୍ନାଏ ହସ ସାଉଣ୍ଟିବାରେ ଆନନ୍ଦ ମିଳେ ବୋଲି ପ୍ରକାଶ କରନ୍ତି ଲକ୍ଷ୍ମୀପ୍ରସାଦ । ଚଳିତ ବର୍ଷ ମହାନଦୀରେ ମହାବନ୍ୟା ଆସିବା ପରେ ବାଙ୍କୀର ବିସ୍ତିର୍ଣ୍ଣ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ଜନସାଧାରଣଙ୍କଠୁ ସାହାଯ୍ୟ ସଂଗ୍ରହ କରି ନିଜେ ଖାଦ୍ୟ ପ୍ରସ୍ତୁତ କରି, ପିନ୍ଧା ଲୁଗା ଏବଂ ଜରିପାଲ ଧରି ବନ୍ୟା ପାଣିରେ ପଶି ପହଞ୍ଚୁଥିଲେ ସେ । ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ପାଠ୍ୟଉପକରଣ ବଣ୍ଟନ କରିବାରେ ବିଭିନ୍ନ ଅଞ୍ଚଳ ବୁଲି କୁନି କୁନି ପିଲାମାନଙ୍କୁ ଖଡ଼ି ସିଲଟ ବହି ଆଦି ବାଣ୍ଟୁଛନ୍ତି । ଏଥିସହିତ ଦଶହରାରେ ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ପିନ୍ଧା ଲୁଗା ଯୋଗାଇ ଦେବା ପାଇଁ ଜନସାଧାରଣଙ୍କୁ ନିସଙ୍କୋଚରେ ଅପିଲ କରନ୍ତି । ସଂଗୃହୀତ ହୋଇଥିବା ଲୁଗାପଟାକୁ ବିଭିନ୍ନ ଅଞ୍ଚଳ ବୁଲି ବାଣ୍ଟିଥାନ୍ତି । ଆଗାମୀ ଶୀତକୁ ଲକ୍ଷ୍ୟ କରି ଶୀତ ରାତିରେ ଅସହାୟ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହୁଥିବା କମଳ ଖଣ୍ଡିଏ ଯୋଗାଇଦେବା ପାଇଁ ସମାଜସେବୀ ଲକ୍ଷ୍ମୀପ୍ରସାଦ ରାଉତ ଆରମ୍ଭ କରିଛନ୍ତି ଆଉ ଏକ ଅଭିଯାନ । ଜନସାଧାରଣଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ନିଜ ସୋସିଆଲ୍ ମେଡ଼ିଆରେ ଅନୁରୋଧ କରିଥିବା ବେଳେ ଜନସାଧାରଣମାନେ ମଧ୍ୟ ତାଙ୍କର ସମାଜସେବା ପାଇଁ ସହଯୋଗର ହାତ ବଢ଼ାଉଥିବା ଦେଖାଯାଉଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ଖୋଲା ଆକାଶ ତଳେ ଶୋଉଥିବା କିଛି ବ୍ୟକ୍ତିବିଶେଷଙ୍କୁ କମଳ ଯୋଗାଇ ଦେଇ ପ୍ରଶଂସା ସାଉଣ୍ଟିଛନ୍ତି । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଥିବା ବେଳେ ସେ ତାଙ୍କ ପ୍ରତିକ୍ରିୟାରେ କୁହନ୍ତି ଯେ ଅନ୍ୟର ସୁଖ ପାଇଁ ବଞ୍ଚିବା ପ୍ରକୃତ ଜୀବନର ଅର୍ଥ । ଅନ୍ୟକୁ ସାହାଯ୍ୟ କରିବା ପାଇଁ କେବଳ ଅର୍ଥ ଏକମାତ୍ର ମାଧ୍ୟମ ନୁହେଁ, ନିଃସ୍ୱାର୍ଥପର ସେବା ମନବୃତ୍ତି ହିଁ ଅନ୍ୟକୁ ସାହାଯ୍ୟ କରିବାରେ ଆଗକୁ ବଢ଼ିବାରେ ପ୍ରେରଣା ଦେଇଥାଏ ।

Comments are closed.