ପରଲୋକରେ ସମାଜସେବୀ କୈଳାସ ଚନ୍ଦ୍ର ବରାଳ

ଚୌଦ୍ୱାର : ବିଶିଷ୍ଟ ଶିକ୍ଷାବିତ୍, ସୁସଂଗଠକ, ରାଜନେତା, ସମାଜସେବୀ କୈଳାସ ଚନ୍ଦ୍ର ବରାଳଙ୍କ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସଦା ଚଳଚଞ୍ଚଳ କୈଳାସ ବାବୁ ରବିବାର ବିଳମ୍ବିତ ରାତିରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଜଗତପୁରସ୍ଥିତ ଏକ ଘରୋଇ ହସପିଟାଲକୁ ନିଆ ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଜଣେ ସୁଶିକ୍ଷକ ଭାବେ କୈଳାସ ବାବୁ ଅଞ୍ଚଳରେ ହଜାର ହଜାର ମେଧାବୀ ଛାତ୍ରଛାତ୍ରୀ ତିଆରି କରିପାରିଛନ୍ତି । ସେ ସେବା, ଶିକ୍ଷା, ସାହିତ୍ୟ, ରାଜନୀତି ଆଦି ଶତାଧିକ ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ବରିଷ୍ଠ କର୍ମକର୍ତ୍ତା ଭାବେ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ। କଂଗ୍ରେସ ଦଳର ଜଣେ ବରିଷ୍ଠ ସଦସ୍ୟ ଭାବେ ସେ ବହୁବାର ବିଭିନ୍ନ ନିର୍ବାଚନରେ ଅଂଶ ଗ୍ରହଣ କରିବା ସହିତ ଦଳୀୟସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରଚୟ ସୃଷ୍ଠି କରିପାରିଥିଲେ । ପୂଜ୍ୟ ପୂଜନ ପରିଷଦର ସଭାପତି ଭାବେ ଦେଶ ତଥା ରାଜ୍ୟର ମହାପୁରୁଷ ଓ ବରପୁତ୍ର ମାନଙ୍କ ଜୟନ୍ତ୍ରୀ ଓ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରି ସେମାନଙ୍କ ନାମକୁ ଉଦଜୀବିତ କରି ରଖିଥିଲେ। ତାଙ୍କ ପରଲୋକ ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ହିନ୍ଦ୍ ସେବକ ସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁ, ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଶିକ୍ଷାବିତ୍ ସୁକାନ୍ତ କୁମାର ମହାନ୍ତି, ରବୀନ୍ଦ୍ରନାଥ ନାୟକ, ବୈଷ୍ଣବ ଚରଣ ମହାରଣା, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ଭୁୟାଁ, ଉତ୍କଳ ସାହିତ୍ୟ ସମାଜର ସଂଜୀବ ପଟ୍ଟନାୟକ, ଆକାଶ ଭୁୟାଁ, ରୋଟାରୀ କଟକ ଅଭିନବ ସଭାପତି ସୁଧାଂଶୁ ଶୋଖର ଜେନା, ଜିଲା ଗଭର୍ଣ୍ଣର ସାନ୍ତନୁ କୁମାର ପାଣି, କଂଗ୍ରେସ ନେତା ମାନସ କୁମାର ଚୌଧୁରୀ, ଚୌଦ୍ୱାର ସାହିତ୍ୟ ସଂସଦର ଦିବ୍ୟଜ୍ୟୋତି ପାଣି, ଚନ୍ଦ୍ର ପ୍ରକାଶ ପଟ୍ଟନାୟକ, ବିଜେଡ଼ି ନେତା ସେକ୍ ସାହାଜାନ୍, ପ୍ରଶାନ୍ତ କୁମାର କରଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ତାଙ୍କ ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବରହମପୁରସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗ୍ରାମ ସ୍ମଶାନରେ ସତ୍କାର କରାଯାଇଥିଲା । ଜ୍ୟେଷ୍ଠ ପୁତ୍ର ଗୌରିଶ ପ୍ରସାଦ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ଚୌଦ୍ୱାର ପ୍ରେସ୍ କ୍ଲବ୍, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଓଷ୍ଟା, ସାରଳା ସାହିତ୍ୟ ସଂସଦ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି ।

Comments are closed.