ଖବରକାଗଜ ବିତରକଙ୍କୁ ଶୀଘ୍ର ସାମାଜିକ ସ୍ବୀକୃତି : ମିଳିବ ସ୍ୱାସ୍ଥ୍ୟବୀମା, ବାସଗୃହ, ଋତୁ ଅନୁକୂଳ ସହାୟତା

ଗଠନ ହେବ ଖବରକାଗଜ ବିତରକ କଲ୍ୟାଣ ପରିଷଦ, ଲୋକସେବକ ମଣ୍ଡଳ ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ୫-ଟି ସଚିବଙ୍କ ଆଲୋଚନା

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟ ସରକାର ଖବରକାଗଜ ବିତରକଙ୍କ ଦୁଃଖ ଦୂର ହେବାକୁ ଯାଉଛି। ସେମାନଙ୍କୁ ସରକାର ସାମାଜିକ ସୁରକ୍ଷା ବଳୟକୁ ଆଣିବା ସହ ବାସଗୃହ, ସ୍ୱାସ୍ଥ୍ୟ ବୀମା ଆଦି ଯୋଜନାରେ ଅନ୍ତର୍ଭୁକ୍ତ କରିବେ। ଖୁବ୍‍ଶୀଘ୍ର ଏ ସମ୍ପର୍କରେ ବିଧିବଦ୍ଧ ଘୋଷଣା କରାଯିବ। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ୫-ଟି ସଚିବ ଭି. କେ ପାଣ୍ଡିଆନ ଓ ରାଜ୍ୟ ସରକାରଙ୍କ ଗଣମାଧମ ଉପଦେଷ୍ଟା ମାନସ କୁମାର ମଙ୍ଗରାଜ ଏବଂ ଖବର କାଗଜ ବିତରକ ସଂଘର ଆଲୋଚନାରୁ ଜଣାଯାଇଛି। ସୋମବାର ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଆଲୋଚନା ବେଳେ ବିତରକ ସଂଘ ପକ୍ଷରୁ ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦରେ ଅନ୍ତର୍ଭୁକ୍ତ ସହ ପରିଚୟପତ୍ର ପ୍ରଦାନ, ଗୃହହୀନ ବିତରକଙ୍କୁ ‘ଆବାସ’ ଯୋଜନାରେ ସାମିଲ, ସ୍ୱାସ୍ଥ୍ୟବୀମା ଯୋଗାଇଦେବା, ବିଭିନ୍ନ ସ୍ଥାନରେ ଖବରକାଗଜ ବିତରଣସ୍ଥଳରେ ଆବାସ ନିର୍ମାଣ, ଜିଲା ମୁଖ୍ୟାଳୟ ଓ ରାଜ୍ୟ ରାଜଧାନୀରେ ସଂଘର କାର୍ଯ୍ୟାଳୟ ଲାଗି ଦାବି କରାଯାଇଥିଲା। ୫-ଟି ସଚିବ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିତରକଙ୍କ ପ୍ରତି ସରକାରଙ୍କ ସହାନୁଭୂତି ରହିଛି ଏବଂ ସଂଘର ଦାବି ସରକାର ଗ୍ରହଣ କରିଛନ୍ତି ବୋଲି ସୂଚନା ଦେଇଥିଲେ। ଦିନେ ଦୁଇଦିନ ମଧ୍ୟରେ ଏ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅନୁରୂପ ଖବରକାଗଜ ବିତରକ କଲ୍ୟାଣ ପରିଷଦ ଗଠନ କରାଯାଇ ସେମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟ ସେବା, ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯିବ। ସବୁ ଜିଲା ଓ ରାଜଧାନୀରେ କାର୍ଯ୍ୟାଳୟ ନିମନ୍ତେ ଜମି, ଖବରକାଗଜ ବିତରଣ ସ୍ଥଳରେ ଛାତ ନିର୍ମାଣ ସହ କରୋନାରେ ମୃତ ବିତରକଙ୍କ ପରିବାରକୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମଙ୍ଗରାଜଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି.ଏସ.କୁଟ୍ଟେ ସାମିଲ ଥିଲେ।
ହକର ସଂଘର ରାଜ୍ୟ ଉପସଭାପତି ସତ୍ୟ ମହାନ୍ତି କହିଛନ୍ତି, ଆଜି ଆମ ପାଇଁ ଏକ ଐତିହାସିକ ଦିବସ। ହଜାର ହଜାର ହକରଙ୍କର ମୌଳିକ ସମସ୍ୟା ଦୂର ସହିତ ଆମର ଜୀବନ ଜୀବିକାକୁ ସୁରକ୍ଷା ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଗଣମାଧ୍ୟମ ଉପଦେଷ୍ଟା ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ରାଜ୍ୟର ହକରଙ୍କ ଦୀର୍ଘ ଦିନର ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନା ହୋଇଛି। ସେମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ପୂର ପାଇଁ ମୁଖ୍ୟମନ୍ତ୍ରୀ ସ୍ୱୀକୃତି ପ୍ରଦାନ କରିଛନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସୁଦୃଢ଼ କରିବାରେ ହକରଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଉପେକ୍ଷା କରାଯାଇ ପାରିବ ନାହିଁ। ବିତରକଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଛନ୍ତି।
ସୂଚନାଯୋଗ୍ୟ, ‘ଲୋକସେବକ ମଣ୍ଡଳ’ ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଏକ ଅନୁରୋଧପତ୍ର ପ୍ରଦାନ କରାଯାଇ ଖବରକାଗଜ ବିତରକଙ୍କୁ ନିର୍ମାଣ ଶ୍ରମିକଙ୍କ ଭଳି ସୁବିଧା ସୁଯୋଗ ଯୋଗାଇ ଦେବା ଲାଗି ଦାବି କରାଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଏନେଇ ଏକ ଚିଠି ୧୨ ମେ ୨୦୨୧ ମସିହାରେ ଲେଖି ଏହି ଅସଂଗଠିତ ବର୍ଗକୁ ଶ୍ରମିକ ଆଇନ ପରିସରଭୁକ୍ତ କରି ‘କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ନିଯୁକ୍ତି ସ୍ଥିତି ସେବା ନିୟନ୍ତ୍ରଣ ଆଇନ ୧୯୯୬’ ଅଧୀନକୁ ଆଣି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ସରକାର ଏହାକୁ ଗ୍ରହଣ କରି ନିଷ୍ପତ୍ତି ନେବାକୁ ଯାଉଥିବାରୁ ଡ. ଆଚାର୍ଯ୍ୟ ଏଥିନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଲୋକସେବକ ମଣ୍ଡଳ ତରଫରୁ ସାଧୁବାଦ ଜଣାଇଛନ୍ତି।

Comments are closed.