ସାମାଜିକ ଗଣମାଧ୍ୟମ ଓ ଏହାର ପ୍ରଭାବ

ଜଗତୀକରଣ, ଘରୋଇକରଣ ଏବଂ ଡିଜିଟାଲ ଯୁଗର ପ୍ରଭାବରେ ଲୋକଙ୍କ ପ୍ରିୟ ପାଲଟିଥିବା ଓ ଜନସୂଚନା ଆଦାନ ପ୍ରଦାନରେ ଏକ ବିପ୍ଲବ ସୃଷ୍ଟି କରିଥିବା ସାମାଜିକ ଗଣମାଧ୍ୟମ ପାରମ୍ପରିକ ଗଣମାଧ୍ୟମ ପାଇଁ ଆହ୍ୱାନ ସୃଷ୍ଟି କରିଥିବାବେଳେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଅଭିଯୋଗ ଉଠିଛି। ସ୍ୱାଧୀନ ଭାରତର ସଦ୍‌ଭାବନା, ରାଷ୍ଟ୍ରୀୟ ଏକତାକୁ ମଧ୍ୟ ଦୁର୍ବଳ କରିଦେବାର ଆଶଙ୍କା ସୃଷ୍ଟି ହୋଇଛି। ନିକଟରେ ଆମେରିକାର ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଏକ ଖବର ପ୍ରକାଶିତ ହେବା ପରେ ଭାରତରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିଜେପିର କିଛି ନେତାଙ୍କ ବିଦ୍ୱେଷମୂଳକ ପୋଷ୍ଟର ପ୍ରଚାର ପାଇଁ ଫେସବୁକ ସହାୟତା କରିଥିବା ଓ ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରଭାବିତ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାକୁ ନେଇ ଛତିଶଗଡ଼ରେ ଫେସ୍‌ବୁକର ସମ୍ପୃକ୍ତ କର୍ମକର୍ତ୍ତାଙ୍କ ନାମରେ ମାମଲା ଦାୟର କରାଯାଇଥିବା ଜଣାଯାଇଛି।

ବର୍ତ୍ତମାନ ଭାରତରେ ପ୍ରାୟ ୩୨ କୋଟିରୁ ଊର୍ଦ୍ଧ୍ବ ଲୋକ ଫେସ୍‌ବୁକ ବ୍ୟବହାର କରୁଥିବାବେଳେ ଆସନ୍ତା ଦୁଇ/ତିନି ବର୍ଷ ମଧ୍ୟରେ ଏହା ୪୫ କୋଟିରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ହ୍ୱାଟ୍‌ସଆପ୍ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ତେଣୁ ସାମାଜିକ ଗଣମାଧ୍ୟମ ଆଗାମୀ ଦିନରେ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବା ପଇଁ କେତେ ସକ୍ଷମ ତାହା ଅନୁମାନ କରାଯାଇପାରେ।

ଗତ ନିର୍ବାଚନ ସମୟରେ ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି, ଯାହାକି ନିର୍ବାଚନ କମିସନଙ୍କ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରହିଥିବା ଆଇନକୁ ଉଲ୍ଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି। ମିଛ ଖବର, ବ୍ୟକ୍ତି ବିଶେଷଙ୍କ ମର୍ଯ୍ୟାଦାହାନି କରିବା ଭଳି ପୋଷ୍ଟ, ଘୃଣା ସୃଷ୍ଟିକାରୀ ଖବର ସବୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ପାରମ୍ପରିକ ଗଣମାଧ୍ୟମରେ କିନ୍ତୁ ଏହା ଏକ ଅସମ୍ଭବ ବ୍ୟାପାର। ଖବରକାଗଜ, ଟେଲିଭିଜନ ଓ ରେଡିଓରେ ବିଭିନ୍ନ ସ୍ତରରେ ଯାଞ୍ଚହେଲା ପରେ ଏକ ଖବର ପରିବେଷଣ କରାଯାଉଛି। ସାମାଜିକ ଗଣମାଧ୍ୟମରେ ଏଭଳି ଯାଞ୍ଚବ୍ୟବସ୍ଥା ନାହିଁ। ଅବଶ୍ୟ ପ୍ରାକୃତିକ ଦୁର୍ବିପାକ ଭଳି ଅନେକ କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର କାର୍ଯ୍ୟ ଫଳଦାୟୀ ରହିଛି। ଦୁର୍ଗମ ଅଞ୍ଚଳର ଓ ସ୍ୱରବିହୀନ ଲୋକଙ୍କ ନ୍ୟାୟ ଓ ସମାନତା ପାଇଁ ମଧ୍ୟ ସାମାଜିକ ଗଣମାଧ୍ୟମର ଭୂମିକା ପ୍ରଶଂସନୀୟ ବୋଲି କୁହାଯାଇପାରେ। ଅପରପକ୍ଷରେ ସାମାଜିକ ଗଣମାଧ୍ୟମରେ ସୂଚନା ଆଦାନ ପ୍ରଦାନ କରାଯାଇ ପାରୁଥିବାବେଳେ ପାରମ୍ପରିକ ଗଣମାଧ୍ୟମରେ ଏକପାଖିଆ ଭାବେ ସୂଚନା ପ୍ରଦାନ କରାଯାଉଛି। ଦେଶର ଅନେକ ରାଜନୈତିକ ନେତା ଓ ପ୍ରସିଦ୍ଧ ବ୍ୟକ୍ତି ନିଜର କାର୍ଯ୍ୟକଳାପ ଓ ଗତିବିଧିକୁ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ଜଣାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ସମସ୍ତଙ୍କୁ ଟପିଯାଇଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ଅନେକ ବାର୍ତ୍ତାକୁ ସାମାଜିକ ଗଣମାଧ୍ୟମରୁ ନେଇ ପାରମ୍ପରିକ ଗଣମାଧ୍ୟମଗୁଡ଼ିକ ପ୍ରଚାର କରୁଛନ୍ତି।

ଏବେ ଦେଶର ରାଜନୈତିକ ବ୍ୟବସ୍ଥା ସାମାଜିକ ଗଣମାଧ୍ୟମକୁ ପ୍ରାଧାନ୍ୟ ଦେଉଥିବା ସ୍ପଷ୍ଟ ହୋଇଯାଉଛି। ଏଭଳି ପରିସ୍ଥିତିରେ ସାମାଜିକ ଗଣମାଧ୍ୟମକୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ସନ୍ଦେହକୁ ଅଣଦେଖା କରାଯାଇ ପାରିବ ନାହିଁ। ରାଜନୈତିକ ଦଳ ଓ ବ୍ୟକ୍ତିବିଶେଷ କ୍ଷମତା ପାଇଁ ଅନୈତିକ ଉପାୟ ଅବଲମ୍ବନ କରିବା ନୂଆ କଥା ନୁହେଁ। ଆଗାମୀ ଦିନରେ ଏହା ସହିତ ସାମାଜିକ ଗଣମାଧ୍ୟମର ଅପପ୍ରୟୋଗ ମଧ୍ୟ ଯୋଡ଼ିହେବା ଆଶଙ୍କା ଦେଖାଦେଇଛି। ତେଣୁ ସାମାଜିକ ଗଣମାଧ୍ୟମକୁ କଟକଣା ଓ ନିୟନ୍ତ୍ରଣ ମଧ୍ୟରେ ରଖାଯିବା ଦେଶ ପାଇଁ ହିତକର ହୋଇପାରେ। ନକଲି ଫେସ୍‌ବୁକ ଆକାଉଣ୍ଟଧାରୀ, ମିଛ, ବିଦ୍ୱେଷମୂଳକ ଓ ଘୃଣାର ବାର୍ତ୍ତା ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ସମୟ ଉପନୀତ। ନହେଲେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶରେ ଏହା ଘାତକ ସାବ୍ୟସ୍ତ ହୋଇପାରେ।

ହେମନ୍ତ କୁମାର ପଣ୍ଡା (ଟିକ୍ରାପଡା, ବଲାଙ୍ଗିର)
ମୋ-୯୪୩୭୩୬୭୯୯୯

Comments are closed.