ଅନନ୍ୟ ସମାଜସେବୀ-କୃଷ୍ଣା ମହାନ୍ତି

0

ସମାଜ ସେବା ହେଉଛି ତାଙ୍କର ନିଶା। ଅସହାୟଙ୍କୁ ସହାୟତା କରିବା ଏବଂ ଶିକ୍ଷାର ପ୍ରସାରରେ ମଧ୍ୟ ତାଙ୍କର ରହିଛି ଅନେକ ଅବଦାନ। ସ୍ବାଧୀନତା ସଂଗ୍ରାମୀ ପରିବାରରୁ ଆସିଥିବା ଏହି ମହିଳା ଜଣକ ହେଉଛନ୍ତି ଅନନ୍ୟ ସମାଜସେବୀ କୃଷ୍ଣା ମହାନ୍ତି। କେବଳ ସମାଜ ସେବା ନୁହେଁ ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ଅନେକ କୃତୀ ରହିଛି।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଔରସରୁ ଏବଂ ମାଳତୀ ଚୌଧୁରୀଙ୍କ ଗର୍ଭରୁ ଜନ୍ମିତ ଶ୍ରୀମତୀ କୃଷ୍ଣା ମହାନ୍ତିଙ୍କ ଜୀବନର ଅଧିକାଂଶ ସମୟ କଟିଛି ଅନୁଗୁଳରେ। ଅନୁଗୁଳର ବାଜି ରାଉଜ ଛାତ୍ରାବାସରେ ରହି ସେ ଶିକ୍ଷା ଗ୍ରହଣ କରିବାଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ସେ ଛାତ୍ରାବାସର ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହୋଇ ଏହାର ପରିଚାଳନା ଦାୟିତ୍ଵ ତୁଲାଇଛନ୍ତି।

୧୯୩୯ ଜାନୁୟାରୀ ୨୯ ତାରିଖରେ କୃଷ୍ଣା ମହାନ୍ତି ଜନ୍ମଗ୍ରହଣ କରିଥିଲେ। ପିତା ନବକୃଷ୍ଣ ଚୌଧୁରୀ ଏବଂ ମା’ ମାଳତୀ ଚୌଧୁରୀ ଗଡ଼ଜାତ ଆନ୍ଦୋଳନରେ ଭାଗନେଇଥିବାରୁ ତାଙ୍କର ଶୈଶବର ଅଧିକାଂଶ ସମୟ ଢେଙ୍କାନାଳ ଏବଂ ଅନୁଗୁଳରେ କଟିଥିଲା। ୧୯୪୨ ଭାରତଛାଡ଼ ଆନ୍ଦୋଳନ ସମୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟ କାରାବରଣ କରିଥିଲେ। ଏହି ସମୟରେ ସେ ବଡ଼ ମାମୁ ପ୍ରଦ୍ୟୋତ କୁମାର ସେନଗୁପ୍ତଙ୍କ ପରିବାର ସହ ପାଟନାରେ ରହିଥିଲେ। ପରେ ସେ ଭାଇ ଏବଂ ଜେଜେମା’ଙ୍କ ସହିତ କଟକରେ ରହିଥିଲେ।

ବଡ଼ ଭଉଣୀ ଶ୍ରୀମତୀ ଉତ୍ତରା ଦେଶାଇ ଜେଲରୁ ବାହାରିବା ପରେ ତାଙ୍କ ସହ ସେ ସେବାଗ୍ରାମ ଯାତ୍ରା କରିଥିଲେ। ସେଠାରେ ବାପୁଙ୍କ କୁଟୀର ନିକଟରେ ବାଲ୍ୟକାଳ କଟିଥିଲା। ୧୯୪୫ରେ ମା’ ଜେଲରୁ ମୁକୁଳିବା ପରେ ତାଙ୍କ ସହ କଲିକତା ଓ ଶାନ୍ତି ନିକେତନ ଯାତ୍ରା କରିଥିଲେ।

ପରେ ୧୯୪୬ରେ ଅନୁଗୁଳରେ ବାଜି ରାଉତ ଛାତ୍ରାବାସ ପ୍ରତିଷ୍ଠା ହେବା ପରେ ସେଠାରେ ରହି ଖଲାରୀ ଉଚ୍ଚ ମୌଳିକ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ।୧୯୫୪ରେ ସନ୍ଥ ବିନୋବାଙ୍କ ଭୂଦାନ ଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୧୯୫୮ରେ ଅବିଭକ୍ତ କଟକ ଜିଲାର କେଶୋଳ ଗ୍ରାମର ଉଚ୍ଚ ଶିକ୍ଷିତ ବିଭୂତି ଭୂଷଣ ମହାନ୍ତିଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ସହ ସେ ଦେଶ ଗସ୍ତ କରିଥି​‌ଲେ। ୧୯୭୦ରେ ତାଙ୍କ ସ୍ବାମୀ ୟୁନେସ୍କୋର ପରାମର୍ଶଦାତା ଭାବେ ନିଯୁକ୍ତ ହେବାରୁ ଇଣ୍ଡୋନେସିଆ ଯାତ୍ରା କରିଥିଲେ। ଇଣ୍ଡୋନେସିଆରେ ୩ବର୍ଷ ରହିବା ଅବସରରେ ସେଠାକାର ଅନ୍ତର୍ଜାତୀୟ ମହିଳା କ୍ଲବର ସଭାପତି ଭାବେ ୨ଥର ନିର୍ବାଚିତ ହୋଇଥିଲେ।

୧୯୮୪ରେ ଶ୍ରୀଯୁକ୍ତ ମହାନ୍ତି ଭାରତୀୟ ଜନ ସଂଚାର ସଂସ୍ଥାନରେ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ଏହି ସମୟରେ ଦିଲ୍ଲୀରେ ରହିବା ବେଳେ ସେ ଘରୋଇ ସହାୟକମାନଙ୍କୁ ଏକାଠି କରି ଶିକ୍ଷାଦାନ କରୁଥିଲେ। ୧୯୯୫ରେ ଅୁନୁଗୁଳ ବାଜି ରାଉତ ଛାତ୍ରାବାସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୯୬ରେ ସ୍ବାମୀ ଅବସର ନେବା ପରଠାରୁ ଛାତ୍ରାବାସରେ ସ୍ଥାୟୀ ଭାବେ ରହିଥିଲେ। ୨୦୦୪ ଠାରୁ ସେ ଛାତ୍ରାବାସର ସମ୍ପାଦକ ଭାବେ ନିର୍ବାଚିତ ହୋଇ ଅଦ୍ୟାବଧି କାର୍ଯ୍ୟରତ ଅଛନ୍ତି। ଛାତ୍ରଛାତ୍ରୀମାନେ କିପରି ଆତ୍ମନିର୍ଭରଶୀଳ ହୋଇ ସମାଜରେ ମର୍ଯ୍ୟାଦାର ସହ ଜୀବନ ଜୀଇଁବେ ଏବଂ ଏକ ଶୋଷଣମୁକ୍ତ, ବିଭେଦହୀନ ସମାଜ ଗଠନରେ ବ୍ରତୀ ହେବେ ସେ ଦିଗରେ ସେ କାର୍ଯ୍ୟ କରୁଛନ୍ତି।

ପ୍ରଖ୍ୟାତ ଗୁଜରାଟୀ ଲେଖକ ଶ୍ରୀଯୁକ୍ତ ନାରାୟଣ ଦେଶାଇଙ୍କ ‘ସନ୍ଥ ସେୱତାଁ ସୁକୃତ ୱାଧେ’ ପୁସ୍ତକର ଓଡ଼ିଆ ଅନୁବାଦ କରିଥିଲେ, ଯାହାର ନାଁ ଥିଲା ‘ଅମୃତ ପରଶ’। ଏହାବ୍ୟତୀତ ସେ ଇଂରାଜୀ, ହିନ୍ଦୀ ଓ ବଙ୍ଗଳାରୁ କେତେକ ପ୍ରବନ୍ଧ, ଗଳ୍ପ ଓଡ଼ିଆରେ ଅନୁବାଦ କରିଛନ୍ତି।

Leave A Reply