କରୋନା ମୁକାବିଲା ପାଇଁ ସୋଆ କମ୍ୟୁନିଟି ରେଡିଓର ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : କୋଭିଡ-୧୯ ମହାମାରୀର ଭୟାବହ ପରିସ୍ଥିତି ମଧ୍ୟରେ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ୟୁନିସେଫ୍‍ର ସହଭାଗିତାରେ ଭଏସ୍‍ ଅଫ୍‍ ସୋଆ କମ୍ୟୁନିଟି ରେଡିଓ ୯୦.୪ ନିୟମିତ ଭାବରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା କାର୍ୟ୍ୟକ୍ରମ ରେଡିଓ ମାଧ୍ୟମରେ ପରିବେଷଣ କରିଆସୁଛି।
ସ୍ୱତନ୍ତ୍ର କାର୍ୟ୍ୟକ୍ରମ “ସର୍ବେ ଭବନ୍ତୁ ସୁଖିନଃ” ଜରିଆରେ ଏହି କମ୍ୟୁନିଟି ରେଡିଓ ପକ୍ଷରୁ ସୋଆ ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ ଆଣ୍ଡ ସମ୍‍ ହସ୍ପିଟାଲ୍‍ ର ବିଶେଷଜ୍ଞ ଓ ଡାକ୍ତରମାନଙ୍କୁ ନେଇ ଆଲୋଚନା କାର୍ୟ୍ୟକ୍ରମ ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ଓ ଏଥିରୁ କିଭଳି ଦୂରେଇ ରହିବାକୁ ହେବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ସୋଆର ଅନେକ ଗବେଷକ ମଧ୍ୟ ଶ୍ରୋତାମାନଙ୍କୁ ଏହି ମାରାତ୍ମକ ଭାଇରସ୍‍ ସମ୍ପର୍କରେ ଅଧିକ ସୂଚନା ପ୍ରଦାନ କରୁଛନ୍ତି।

ଏହି ମହାମାରୀ ସମୟରେ ମନସ୍ତତ୍ୱବିତ୍‍ମାନେ ସୋଆ କମ୍ୟୁନିଟି ରେଡିଓ ଜରିଆରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଆଲୋଚନା କରୁଥିବା ବେଳେ ଆଶାକର୍ମୀ ଓ ଏଏନ୍‍ଏମ୍‍ ମାନେ ଶ୍ରୋତାମାନଙ୍କୁ ସୁରକ୍ଷା, ଉପଯୁକ୍ତ ବ୍ୟାୟାମ ଓ ପୁଷ୍ଟିକର ଖାଦ୍ୟ ସଂଗ୍ରହ ସମ୍ପର୍କରେ ସୂଚନା ଦେଉଛନ୍ତି। ଘରେ ଏକାନ୍ତବାସ, ରୋଗୀଙ୍କର ଘରୋଇ ଚିକିତ୍ସା ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ, ଅନ୍ଧବିଶ୍ୱାସ ଓ ଅସମାନତା ପ୍ରଭୃତି ବିଷୟବସ୍ତୁକୁ ନେଇ କମ୍ୟୁନିଟି ରେଡିଓ ପକ୍ଷରୁ ପଥପ୍ରାନ୍ତ ନାଟକ ଓ ଜିଙ୍ଗଲ୍‍ ପରିବେଷଣ କରାଯାଉଛି। ଆଂଟିଜେନ୍‍, ଆର୍‍ଟି-ପିସିଆର୍‍ ଟେଷ୍ଟ, ପ୍ଲାଜ୍‍ମା ଥେରାପି, ପ୍ଲାଜମା ପ୍ରଦାନ ଏବଂ କ୍ୟାନ୍ସର, ମଧୁମେହ ଓ ଉଚ୍ଚ ରକ୍ତଚାପ ଥିବା ରୋଗୀମାନଙ୍କର କିଭଳି ଏହି ମହାମାରୀ ସମୟରେ ଯତ୍ନ ଓ ଚିକିତ୍ସା କରାଯିବ ସେ ନେଇ ଓଡ଼ିଆ, ହିନ୍ଦୀ, ଓ ଇଂରାଜୀରେ ମଧ୍ୟ ସଚେତନତା କାର୍ୟ୍ୟକ୍ରମ ପରିବେଷଣ କରାଯାଉଛି।

ସୋଆ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ରେଡିଓ ଜକି କାର୍ୟ୍ୟକ୍ରମ ‘ସୋଆ ୟଙ୍ଗିସ୍ତାନ’ ସପ୍ତାହରେ ଦୁଇଥର ପରିବେଷଣ କରାଯାଉଥିବା ବେଳେ ଡିଜିଟାଲ୍‍ କାର୍ୟ୍ୟକ୍ରମ ଜରିଆରେ କୋଭିଡ-୧୯ ସମ୍ପର୍କିତ ସଚେତନତା କାର୍ୟ୍ୟକ୍ରମ ଛାତ୍ରଛାତ୍ରୀମାନେ ତାଙ୍କ ଘରୁ ହିଁ ଜାରି ରଖିଛନ୍ତି। ଟୁଇଟର୍‍, ୟୁଟ୍ୟୁବ୍‍, ଇନ୍‍ଷ୍ଟାଗ୍ରାମ୍‍ ଏବଂ ଫେସ୍‍ବୁକ୍‍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟ୍‍ଫର୍ମରେ ସୋଆ କମ୍ୟୁନିଟି ରେଡିଓ ବେଶ ଜଡିତ ଥିବାବେଳେ ଏନ୍‍ସିଇଆରଟିର ସହଯୋଗରେ ଅନେକ ପାଠ୍ୟକ୍ରମ ଜନିତ କାର୍ୟ୍ୟକ୍ରମ ମଧ୍ୟ ପରିବେଷଣ କରାଯାଉଛି।
ୟୁନିସେଫ୍‍ ଓ କମ୍ୟୁନିଟି ରେଡିଓ ଆସୋସିଏସନ୍‍ର ସହଯୋଗିତାରେ ଗତ ଜୁନ୍‍ ମାସରୁ ‘ମିଶନ୍‍ କରୋନା’ ନାମକ ଏକ କାର୍ୟ୍ୟକ୍ରମର ୧୦ଟି ଏପିସୋଡ୍‍ ପରିବେଷଣ କରାଯାଇଛି। ଏଥିମଧ୍ୟରୁ କୃଷିଭିତିକ ଦୁଇଟି ଏପିସୋଡ୍‍, ‘ସୋଆ ଏଗ୍ରିକଲ୍‍ଚର୍‍’ ଓ ‘ବାଡି ବଗିଚା’ ନାମରେ ପରିବେଷଣ କରାଯାଇଥିବା ବେଳେ ଏହା ଖୁବ୍‍ ଆଦୃତି ଲାଭ କରିଛି। ସୋଆ ପରିଚାଳିତ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଏଗ୍ରିକଲ୍‍ଚରାଲ୍‍ ସାଇନ୍‍ସେସ୍‍ର ବିଶେଷଜ୍ଞମାନେ ସୋଆ କମ୍ୟୁନିଟି ରେଡିଓକୁ ଆସି ମହିଳାମାନଙ୍କ ଦ୍ୱାରା ଛତୁ ଚାଷ, କୀଟ ନିୟନ୍ତ୍ରଣ, ଜୈବିକ ଚାଷ, ଛାତରେ ଉଦ୍ୟାନ, ଋତୁ ଅନୁଯାୟୀ ଫୁଲ, ଫଳ ଓ ପରିବା ଚାଷ ପ୍ରଭୃତି ସମ୍ପର୍କରେ ବିଶେଷ ଟିପ୍ପଣୀ ଦେଇଛନ୍ତି।

ରେଡିଓ ପକ୍ଷରୁ ଯୋଗ ସମ୍ପର୍କରେ ମଧ୍ୟ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ପରିବେଷଣ କରାଯାଇଛି। ସୋଆ କମ୍ୟୁନିଟି ରେଡିଓକୁ ବିଭିନ୍ନ ଶ୍ରେଣୀର ଶ୍ରୋତାମାନେ ନିୟମିତ ଶୁଣୁଛନ୍ତି ବୋଲି କହିଛନ୍ତି ରେଡିଓ ଷ୍ଟେସନ୍‍ର ଦାୟିତ୍ୱରେ ଥିବା ହନି ପଟ୍ଟନାୟକ।

Comments are closed.