ଜାଡ଼ରେ ଥରୁଛି କନ୍ଧମାଳ

ଫୁଲବାଣୀ/ଦାରିଙ୍ଗବାଡି : ଜାଡ଼ରେ ଥରୁଛି ସମଗ୍ର କନ୍ଧମାଳ। ଶୀତ ଲହରୀ ଯୋଗୁ ଜିଲାରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୫ ଦିନ ହେଲା ଶୀତର ପ୍ରକୋପ କମ୍‍ ରହିଥିବା ବେଳେ ଶନିବାର ଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ି ଓ ଫୁଲବାଣୀର ସମେତ ଅନ୍ୟ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ପ୍ରବଳ ଜାଡ଼ ସହ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ରବିବାର ଫୁଲବାଣୀରେ ତାପମାତ୍ରା ୫ ଡ଼ିଗ୍ରୀ ସେଲସିୟସ ଥିବା ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଗତ ୮ ତାରିଖରେ ଫୁଲବାଣୀର ତାପମାତ୍ରା ୧୦.୫ ଡ଼ିଗ୍ରୀ ଥିବା ବେଳେ ଏହ ହ୍ରାସ ପାଇ ୧୧ ତାରିଖରେ ୮.୫ ଡିଗ୍ରୀରେ ପହଞ୍ଚିଥିଲା। ୧୨ ତାରିଖ ତାପମାତ୍ରା ହ୍ରାସ ପାଇ ସର୍ବନିମ୍ନ ୫ ଡିଗ୍ରୀରେ ପହଞ୍ଚିଥିବାରୁ ପ୍ରବଳ ଜାଡ଼ ଅନୁଭୁତ ହୋଇଥିଲା। ଘନ କୁହୁଡ଼ି ଯୋଗୁଁ ସକାଳୁ ଘରୁ ବାହାରିବା କଷ୍ଟସାଧ୍ୟ ହୋଇ ପଡ଼ିଥିଲା। ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଞ୍ଚଳରେ ରବିବାର ସକାଳୁ ପୁଣି ଥରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ୫ମ ଥର ପାଇଁ ଏହି ତୁଷାରପାତ ହୋଇଛି। କିଛି ଦିନ ହେଲା ପାଗ ମେଘୁଆ ଥିବା

ଯୋଗୁ ଥଣ୍ଡା କମିଥିବା ବେଳେ ଶନିବାରଠାରୁ ଥଣ୍ଡା ବୃଦ୍ଧି ପାଇଥିଲା। ଶନିବାର ରାତିରେ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ଥିବା ବେଳେ ରବିବାର ତାପମାତ୍ରା ୭.୨ ଡିଗ୍ରୀ ସେଲସିୟସ ରହିବା ସହ ଅଞ୍ଚଳରେ ତୁଷାରପାତ ହୋଇଥିଲା। ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ରବିବାର ଦାରିଙ୍ଗବାଡି ସମେତ ପର୍ତ୍ତମାହା, ଗୁମିକିଆ, ସିତାପାଙ୍ଗା, ସିଆଙ୍ଗବାଲି, ମ୍ଲୁକଚେରୀ, ପାଙ୍ଗାଲି, ଗାନ୍ଦାରଗୁଡି, ଗଡପାକାଲି, ସିମନବାଡି, ତିଲୋରି, କିରିକୁଟି, ବାଡାବାଙ୍ଗା, ଶ୍ରାନିକେତା, ଗଦଡି, ପାଙ୍ଗାଲି ଆଦି ଅଞ୍ଚଳର ପାଳଗଦା, ଶୁଖିଲା କାଠ, ହଲଦୀ ପତ୍ର ଭଳି ସ୍ଥାନରେ ତୁଷାରପାତ ପଡିଥିଲା। ତୁଷାରପାତ ସହ ଥଣ୍ଡା ଓ କୋହଲା ପବନ ବହୁଥିବାରୁ ଜାଡ଼ ଦ୍ୱିଗୁଣିତ ହୋଇଛି। ଥଣ୍ଡା ଯୋଗୁ ଲୋକେ ବହୁ ବିଳମ୍ବରେ ଘର ବାହାରକୁ ବାହାରୁଥିବା ବେଳେ କାମଧନ୍ଦା ପାଇଁ ଠିକ୍‍ ସମୟରେ ଯାଇପାରୁନାହାନ୍ତି।ତୁଷାରପାତ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି। ବିଶେଷ କରି ଉପାନ୍ତ ଅଞ୍ଚଳରେ ତାପମାତ୍ରା ଆହୁରି କମ୍‍ଥିବା ଅନୁମାନ କରାଯାଉଛି। ଥଣ୍ଡା ବୃଦ୍ଧି ଯୋଗୁଁ ଲୋକେ ଥଣ୍ଡାଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଜାଡ଼ରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେବା ସହ ଗରମ ପାନୀୟ ଦ୍ରବ୍ୟ ଅଧିକ ବ୍ୟବହାର କରୁଛନ୍ତି। ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଦିନ ତମାମ ଶୀତ ବସ୍ତ୍ର ପିନ୍ଧି ରହୁଛନ୍ତି।
ଅନ୍ୟପକ୍ଷରେ ତୁଷାରପାତର ମଜା ନେବା ନିମନ୍ତେ ଦାରିଙ୍ଗବାଡ଼ିରେ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ଼ ଜମିବାରେ ଲାଗିଛି। ଭିଡ ଜମିବା ସହ ଠାଏଁ ଠାଏଁ ବଣଭୋଜିର ଆସର ମଧ୍ୟ ଦେଖିବାକୁ ମିଳିଛି। ଦାରିଙ୍ଗବାଡିର ଡୁଲୁରୀ ପାଇନବଣ,କିରିକୁଟିର ଲଭର୍ସ ପଏଣ୍ଟ ଓ ଦାସିଙ୍ଗବାଡିର ମିଡିୟୁବାନ୍ଦା ଜଳ ପ୍ରପାତରେ ହଜାର ହଜାର ପର୍ଯ୍ୟଟକ ବଣ ଭୋଜି କରୁଥିବା ବେଳେ ନେଚର ପାର୍କ,ହିଲଭିୟୁ ପାର୍କ,ଏମୋପକ୍ଷୀ ପାର୍କ,ଗ୍ରୀନବାଡି ସ୍ଥିିତ ସାଇଲେଣ୍ଟ ଭ୍ୟାଲି ଓ ବୋଟିଂ ସ୍ଥଳ,କଫି ବଗିଚା ଆଦି ପର୍ଯ୍ୟଟନସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି।

Comments are closed.