କନ୍ଧମାଳରେ ତୁଷାରପାତ ଜାରି

ଫୁଲବାଣୀ ୪, ଦାରିଙ୍ଗବାଡି ୫.୫ ଡିଗ୍ରୀ

ଫୁଲବାଣୀ: ଅସମ୍ଭାଳ ଜାଡ଼ରେ ଥରୁଛି କନ୍ଧମାଳ। ଜିଲାରେ ଆଜି ଦ୍ବିତୀୟ ଦିନରେ ମଧ୍ୟ ତୁଷାରପାତ ହୋଇଛି। ଜିଲାର ସଦରମହକୁମା ଫୁଲବାଣୀରେ ଆଜି ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୫.୫ ଡିଗ୍ରୀ ରହିଛି। ଗତକାଲିଠାରୁ ଆଜି ଦାରିଙ୍ଗବାଡିରେ ପାରଦ ହ୍ରାସ ପାଇଛି। ଦାରିଙ୍ଗବାଡିରେ ଶନିବାର ଠାରୁ ଲଗାତାର ତାପମାତ୍ରା ହ୍ରାସ ପାଉଥିବା ବେଳେ ଗତକାଲି ଠାରୁ ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିଲା।

ଆଜି ମଧ୍ୟ ଦାରିଙ୍ଗବାଡି ସମେତ ଏହାର ଆଖପାଖ ଅଞ୍ଚଳରେ ତୁଷରପାତ ଜାରି ରହିଛି। ଆଜି ଭୋରରୁ କିଲାବାଡ଼ି, ତିଲୋରୀ, ସଦପାଙ୍ଗା , ବାଡାବାଙ୍ଗା, ପ୍ଲୀହେରୀ, ସିମନବାଡ଼.ସୁଲୁମାହା , ଡାବୁଲମାହା , ତେରାବାଡ଼ି, ଶ୍ରାନିକେତା ଗ୍ରାମ ସମେତ ବିଭିନ୍ନ ଦୁର୍ଗମ ଓ ଆଭ୍ୟନ୍ତରୀଣ ଇଲାକାରେ ତୁଷାରପାତ ହୋଇଛି। ତୁଷାରପାତ ଦେଖିବାକୁ ପର୍ୟ୍ୟଟକଙ୍କ ସୁଅ କନ୍ଧମାଳକୁ ଛୁଟିଛି। ଅସମ୍ଭାଳ ଜାଡ଼ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମଙ୍ଗଳବାର ଦାରିଙ୍ଗବାଡ଼ିର ତାପମାତ୍ରା ୫.୫ଡିଗ୍ରୀରେ ରହିଥିବା ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି। କିନ୍ତୁ ବାସ୍ତବ ପକ୍ଷେ ତାପମାତ୍ରା ଆହୁରି ୨ଡିଗ୍ରୀ ତଳେ ରହୁଥିବା ଜଣାପଡ଼ିଛି। ଦିନ ୨ଟା ପରେ ଶୀତ ଲହରି ଆରମ୍ଭ ହୋଇଯାଉଛି। ସନ୍ଧ୍ୟା ହେବା ମାତ୍ରେ ଲୋକେ ସ୍ଥାନେସ୍ଥାନେ ନିଆଁ ଲଗାଇ ଶୀତ ଦାଉରୁ ରକ୍ଷା ପାଇବାକୁ ଚେଷ୍ଟା କରୁଛନ୍ତି। ଦୁର୍ଗମ ଅଞ୍ଚଳରେ ବୃଦ୍ଧ ଓ ବୃଦ୍ଧା ଘରେଘରେ ନିଆଁ ଲଗାଇ ରାତିରେ ଶୋଉଛନ୍ତି। ଫୁଲବାଣୀରେ ଗତ ୨ ଦିନ ହେଲା ତାପମାତ୍ରା ୪ ଡ଼ିଗ୍ରି ରହୁଥିବା ବେଳେ ମଧ୍ୟ ରାତ୍ରରେ ତାପମାତ୍ରା ୨ ରୁ ୩ ଡ଼ିଗ୍ରି ରହୁଥିବାର ଅନୁମାନ କରାଯାଇଛି। ପ୍ରବଳ ଶୀତରେ ଥରହର ହେଉଛି ସହରଠାରୁ ଗ୍ରାମାଞ୍ଚଳ ପର୍ୟ୍ୟନ୍ତ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଶୀତର ପ୍ରକୋପ ଅଧିକ ହୋଇଛି। ଚଳିତ ବର୍ଷ ଏହି ସମୟରେ ଦାରିଙ୍ଗବାଡ଼ିର ତାପମାତ୍ରା ୪ ରୁ ୫ ଡ଼ିଗ୍ରୀ ରହୁଥିବା ବେଳେ ଚଳିତ ବର୍ଷ ଦାରିଙ୍ଗବାଡ଼ି ଅପେକ୍ଷା ଫୁଲବାଣୀରେ ତାପମାତ୍ରା ୪ ଡ଼ିଗ୍ରୀକୁ ଖସି ଆସିଛି।

Comments are closed.