ଶ୍ରୀଜୀଉଙ୍କ ହାତୀ ବେଶ – ପୁରୀରେ ଧାରା ୧୪୪, ମନ୍ଦିର ଜଗିଛି ୩୦ ସିସିଟିଭି

ସମାଜ ପୋର୍ଟାଲ ଡେସ୍କ: କରୋନା କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଓ ଚାରିପାଖରେ ୧୪୪ ଧାରା ଜାରି କରାଯାଇ ଶ୍ରୀଜୀଉଙ୍କ ହାତୀ ବେଶ ଆରମ୍ଭ ହୋଇଛି। ଅଳ୍ପ ସଂଖ୍ୟକ ସେବାୟତଙ୍କ ଉପସ୍ଥିତିରେ ଚତୁର୍ଦ୍ଧାମୂର୍ତିଙ୍କ ସମସ୍ତ ନୀତିକାନ୍ତି ଆଗେଇ ଚାଲିଛି। ଏଥିପାଇଁ ମନ୍ଦିର ଓ ମନ୍ଦିର ସଂଲଗ୍ନ ୯୦ଟି ସ୍ଥାନରେ ବ୍ୟାରିକେଡ ନିର୍ମାଣ ସହ ୧୪୪ ଧାରା ଜାରି କରାଯାଇଛି। ଦାୟିତ୍ୱରେ ଥିବା ସେବାୟତ, ସେବକ, ପୋଲିସ କର୍ମଚାରୀ ଓ ସରକାରୀ ଅଧିକାରୀଙ୍କୁ ସୁରକ୍ଷା ବଳୟ ମଧ୍ୟକୁ ଛଡାଯାଉଛି।

ମନ୍ଦିର ଚର୍ତୁପାର୍ଶ୍ବରେ ନଜର ରଖିବା ପାଇଁ ୩୦ଟି ସିସିଟିଭି ସ୍ଥାପନ କରାଯାଇଛି। ବିଭିନ୍ନ ସ୍ଥାନରେ ୪୦ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯାଇଛି। ୬ ତାରିଖ ସକାଳ ୨ଟା ପର୍ଯ୍ୟନ୍ତ ପ୍ରଶାସନର ଏହି କଟକଣା ବଳବତ୍ତର ରହିବ ବୋଲି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ କହିଛନ୍ତି। ସେ କହିଛନ୍ତି ଯେ ଶ୍ରୀମନ୍ଦିରକୁ ସଂଯୋଗ କରୁଥିବା ମାର୍କେଟ ଛକରୁ କାକୁଡ଼ି ଖାଇ ଛକ, ମର୍ଚ୍ଚିକୋଟ ଛକ ଠାରୁ ଲବଣୀଖିଆ ଛକ, ଲବଣୀଖିଆ ଛକ ଠାରୁ ଭାୟା ଜେନାରୀ ଗଛ ଛକ ଦେଇ କରତି ସାହି ସହ ଦୋଳମଣ୍ଡପ ସାହି ଜହ୍ନିମୁଣ୍ଡିଆ ଛକ ପର୍ଯ୍ୟନ୍ତ ୧୪୪ କଟକଣା ଜାରୀ କରାଯାଇଛି। ଏଥିସହ ଭୋଗ ଜାଗା, ଖୁଂଟିଆ ସାହି ଛକ, ସୁଦର୍ଶନ ଗେଷ୍ଟ ହାଉସ୍‍, ହରଚଣ୍ଡୀ ସାହିର ମାଛ ହାଟ ଛକ, ବରାହି ଛକ, ଲୋକନାଥ ରୋଡର ବୃଷଭ ଛକ, ମଙ୍ଗଳା ଘାଟ ମାଳିକା ଛକ, ବାଲି ସ୍କୁଲ, ମିଶ୍ର ସାହି, ପାଣ୍ଡା ଜାଗା, ଚୂଡ଼ଙ୍ଗ ସାହି ଦେଇ ବଡ଼ଦାଣ୍ଡ ଇଣ୍ଡିଆନ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି।

Comments are closed.