ଆଜି ଦାରୁବ୍ରହ୍ମଙ୍କ ସ୍ନାନଯାତ୍ରା

ମଧ୍ୟାହ୍ନରେ ହେବ ହାତୀବେଶ, ଛେରାପହଁରା କରିବେନି ଗଜପତି

ପୁରୀ : ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ଗୁରୁବାର ଅନୁଷ୍ଠିତ ହେବ ଦାରୁବ୍ରହ୍ମଙ୍କ ପ୍ରସିଦ୍ଧ ସ୍ନାନଯାତ୍ରା। କରୋନା ସଂକ୍ରମଣ ଯୋଗୁଁ ବିନା ଭକ୍ତରେ ସ୍ନାନ ଯାତ୍ରା କରାଯାଉଥିବାବେଳେ କୋଭିଡ କଟକଣା ଭିତରେ ନୀତିକାନ୍ତି କରାଯିବ। ଭୋର ୪ଟା ସୁଦ୍ଧା ରତ୍ନ ସିଂହାସନ ଛାଡ଼ି ସ୍ନାନମଣ୍ଡପକୁ ବିଜେ କରିବେ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା, ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହ କାଳିଆଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁ। ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ୧୦୮ଗଡୁ ଜଳରେ ପ୍ରଭୁଙ୍କୁ ସ୍ନାନ କରାଯିବ। ଗଜପତି ମହାରାଜାଙ୍କ ତରଫରୁ ଛେରାପହଁରା କରିବେ ମୁଦିରସ୍ତ ସେବକ। ଦିନ ୧୧ ଟାରୁ ୧୨ଟା ମଧ୍ୟରେ ପ୍ରଭୁଙ୍କୁ ଗଜାନନ ବେଶ(ହାତୀବେଶ) କରାଯିବ।
ଶ୍ରୀଜୀଉଙ୍କ ପହଣ୍ଡି ପାଇଁ ରତ୍ନ ସିଂହାସନରେ ଚାରମାଳ ବନ୍ଧାଯାଇଛି। ଦଇତାପତିଙ୍କ ଦ୍ବାରା ସେନାପଟା ଲାଗି କରାଯାଇଛି। ରାତି ୧ଟାରେ ରତ୍ନସିଂହାସନରେ ପ୍ରଭୁଙ୍କୁ ଡୋରଲାଗି କରାଯିବା ସହ ପୁଷ୍ପାଞ୍ଜଳି ପ୍ରଦାନ କରାଯିବ। ଶ୍ରୀମସ୍ତକରେ ଆକର୍ଷଣୀୟ ଟାହିଆ ପିନ୍ଧି ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ବୀରକାହାଳୀ ବାଦ୍ୟସହ ଝୁଲି ଝୁଲି ସ୍ନାନମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ରାତି ୧ଟାରୁ ପହଣ୍ଡି ଆରମ୍ଭ ହୋଇ ଭୋର ୪ଟା ସୁଦ୍ଧା ଶେଷହେବ। ଅପରାହ୍ଣ ୫ଟାରେ ଦାରୁବ୍ରହ୍ମ ବାହୁଡ଼ା ପହଣ୍ଡି କରିବେ। ସ୍ନାନବେଦୀରୁ ଅଣସର ପିଣ୍ଡିକୁ ବିଜେ କରିବେ ପରଂବ୍ରହ୍ମ। ସେଠାରେ ଅନବସର ନୀତି ଅନୁଷ୍ଠିତ ହେବ।
ବିନା ଭକ୍ତରେ ଚଳିତବର୍ଷ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା। କରୋନାରେ ସଂକ୍ରମିତ ହୋଇ ନଥିବା ସେବାୟତଙ୍କୁ ଶ୍ରୀଜୀଉଙ୍କ ଏହି ଯାତ୍ରାରେ ସାମିଲ ହେବାପାଇଁ ଅନୁମତି ଦିଆଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରିଛି ଜିଲା ପ୍ରଶାସନ। ସୁରକ୍ଷା ବ୍ୟବସ୍ଥା ନିମନ୍ତେ ୩୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ବଡ଼ଦାଣ୍ଡର ମାର୍କେଟ ଛକଠାରୁ ଶ୍ରୀମନ୍ଦିର ଅଭିମୁଖେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପୁରୀ ସହରର ତିନୋଟି ପ୍ରବେଶପଥ ପୁରୀ-ଭୁବନେଶ୍ବର ରାଜପଥର ବୀରହରେକୃଷ୍ଣପୁର ଏବଂ ବାଟଗଁା, ପୁରୀ-ସାତପଡ଼ା ରାଜପଥର ମଙ୍ଗଳାଘାଟ ଏବଂ ପୁରୀ-କୋଣାର୍କ ରାଜପଥର ଗ୍ରିଡ୍‌ ଷ୍ଟେସନ ଛକରେ ବ୍ୟାରିକେଡ୍‌ କରାଯାଇଛି। ଶ୍ରୀଜୀଉଙ୍କ ସ୍ନାନଯାତ୍ରାକୁ ଶୃଙ୍ଖଳିତ ଏବଂ ସମୟାନୁବର୍ତ୍ତୀ କରିବା ପାଇଁ ଉଦ୍ୟମ ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Comments are closed.