ଗ୍ୟାସ ସିଲିଣ୍ଡରରେ ଫସିଲା ନାଗ

କଟକ ଜିଲ୍ଲା ବାଙ୍କୀ ଢଅଁସର ପଞ୍ଚାୟତର ରତ୍ନାକର ସାହୁଙ୍କ ମା’ ଗତକାଲି ରାତି ପ୍ରାୟ ୧୦ଟା ବେଳେ ରୋଷେଇ ଘରକୁ ଖାଦ୍ୟ ଆଣିବା ପାଇଁ ଗଲା ବେଳେ, ହଠାତ ଗ୍ୟାସ ସିଲିଣ୍ଡର ଟାଙ୍କି ତଳୁ ଏକ ନାଗ ସାପ ସୁ ସୁ ଶବ୍ଦ କରି ତାଙ୍କ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରିଥିଲା। ସେ ଜୀବନ ବିକଳରେ ଚିତ୍କାର କରି ରୋଷେଇ ଘରୁ ଦୌଡ଼ି ଆସିଥିଲେ। ରତ୍ନାକର ଯାଇ ଘଟଣା କଣ ଦେଖିବା ବେଳକୁ ଏକ ନାଗ ସାପ ଫଣା ଟେକି ଠିଆ ହେଇ ସୁ ସୁ ଗର୍ଜନ କରୁଛି, ଆଉ ତା ଲାଙ୍ଗୁଳ ଉପରେ ଗ୍ୟାସ ସିଲିଣ୍ଡର ଚାପି ହୋଇ ରହିଯାଇଛି। ଏହି ଘଟଣା ପ୍ରଚାରିତ ହେବା ପରେ ଗାଁ ଏଇ ବିରଳ ଘଟଣା ଦେଖିବା ପାଇଁ ରତ୍ନାକର ବାବୁଙ୍କ ଘରକୁ ଲୋକଙ୍କର ସୁଅ ଛୁଟିଲା। ହେଲେ ଅଧିଜ ଲୋକଙ୍କର ଉପସ୍ଥିତି ନାଗ ସାପଟିକୁ ଆହୁରି ରଗେଇବାରେ ସାହାଯ୍ୟ କଲା। କୌଣସି ଲୋକ ସାପ ଉପରୁ ଗ୍ୟାସ ସିଲିଣ୍ଡରକୁ ହଟେଇବା ପାଇଁ ଚେଷ୍ଟା ମଧ୍ୟ କରି ପାରିଲେ ନାହଁ। ଏହାପରେ ରତ୍ନାକର ବାବୁ ସ୍ନେକ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଅନୁରୋଧ କଲେ।

ରାତି ପ୍ରାୟ ୧୦.୩୦ ବେଳକୁ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡା ଓ ସଦସ୍ୟ ଅମିତ ସାହୁ ସେଠାରେ ପହଞ୍ଚିବା ବେଳକୁ ଶତାଧିକ ଲୋକଙ୍କର ଭିଡ଼ ଜମିଥିବା ଦେଖିବାକୁ ପାଇଥିଲେ। ଭିଡ଼ କମେଇବା ପାଇଁ ସ୍ନେକ ହେଲ୍ପ ଲାଇନ ଟିମ୍କୁ ନାକେଦମ ହେବାକୁ ପଡିଥିଲା। ଅନେକ ବୁଝେଇବା ପରେ ରତ୍ନାକର ବାବୁଙ୍କ ଘରୁ ଦେଖଣାହାରୀ ଲୋକମାନେ ବାହାରକୁ ଯାଇଥିଲେ। ତା ପରେ ସ୍ନେକ ହେଲ୍ପ ଲାଇନ ସାପ ଉଦ୍ଧାର କାମ ଆରମ୍ଭ କରିଥିଲା। ତେବେ ସେତେବେଳକୁ ୪ ଫୁଟ ଲମ୍ବର ନାଗ ସାପଟି ଅତ୍ୟଧିକ ରାଗି ଯାଇଥିଲା ଏବଂ ଆଉ ଫଣା ତଳକୁ କରି ନଥିଲା। ସାପର ଲାଞ୍ଜ କୁ ଧରିବା ପାଇଁ କୌଣସି ସୁଯୋଗ ନପାଇ ଲଳିତ ବାଧ୍ୟ ହୋଇ ତା ମୁଣ୍ଡକୁ ସ୍ନେକ ହୁକ୍ ସାହାଯ୍ୟରେ ଚାପି ଧରି ଗ୍ୟାସ ସିଲିଣ୍ଡରଟିକୁ ଆସ୍ତେ ଆସ୍ତେ ସାପ ଉପରୁ ଟେକି ପାଖକୁ ହଟେଇବା ପରେ ସାପଟି ମୁକ୍ତ ହୋଇଥିଲା।

ଏହାପରେ ନାଗଟିର ଲାଙ୍ଗୁଳକୁ ଧରି ରୋଷେଇ ଘରୁ ବାହାରକୁ ନେଇ ଆସିଥିଲେ ଲଳିତ। କାଳେ ସାପଟିର ଲାଞ୍ଜ ପାଖରେ ଯେଉଁ ସ୍ଥାନରେ ସିଲିଣ୍ଡର ଚାପି ହୋଇଥିଲା ସେଇ ଯାଗାରେ କିଛି ଆଘାତ ହୋଇଥିବ ଭାବି ଲଳିତ ସେହି ସ୍ଥାନକୁ ପରୀକ୍ଷା କରିଥିଲେ କିନ୍ତୁ କୌଣସି ବାହ୍ୟ କ୍ଷତର ଚିହ୍ନ ନଥିଲା। ସାପଟି ତଳେ ଠିକ ଠାକ ଚଳ ପ୍ରଚଳ କରିବାରୁ ଭିତରେ ହାଡ଼ରେ କିଛି ଆଘାତ ନଥିବା ମଧ୍ୟ ସ୍ପଷ୍ଟ ହୋଇଥିଲା। ଏଣୁ ଗତକାଲି ରାତିରେ ହିଁ ନାଗ ସାପଟିକୁ ଗାଁ ଠାରୁ ଯଥେଷ୍ଟ ଦୂରରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଥିଲା।

ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଏବେ ଶୀତ ପଡିଲାଣି। ସାପ ମାନେ ଥଣ୍ଡା ରକ୍ତ ଜାତୀୟ ପ୍ରାଣୀ ହୋଇଥିବାରୁ ଶୀତ ଦିନରେ ଉଷୁମ ଯାଗା ଖୋଜିବାରେ ଲାଗନ୍ତି, ଆଉ ଏଇଭଳି ସ୍ଥାନ ଜନବସତି ଭିତରେ ସହଜରେ ମିଳିଯାଏ। ଆଉ କିଛି ଦିନ ଗଲେ ଅଧିକ ଥଣ୍ଡା ଅନୁଭୂତ ହେବ, ସେତେବେଳେ ସାପ ମାନେ ଶୀତଳ ସୁପ୍ତି ବା winter hibernationରେ କୌଣସି ସୁରକ୍ଷିତ ଓ ଉଷୁମ ଯାଗା ଦେଖି ଲୁଚି ଯିବେ। ଶୀତ ଦିନ ଶେଷ ହେବା ପର୍ଯ୍ୟନ୍ତ ସେହି ଜାଗାରେ ଲୁଚି ରହିବେ। ଆଉ ସେହି ଯାଗା ଯଦି ଆମ ଘର ଭିତର ହେଇଗଲା, ତାହେଲେ ବିପଦ। କାରଣ କେହି ବି ଲୋକ ତାଙ୍କ ଘର ଭିତରେ କୌଣସି ବିଷଧର ସାପଙ୍କୁ ଦେଢ଼ ମାସ କି ଦୁଇ ମାସ ଆଶ୍ରୟ ଦେବାକୁ ଚାହିଁବେ ନାହିଁ। ଏହା ଉଚିତ ମଧ୍ୟ ନୁହେଁ। ଏଣୁ ଏବେ ନିଜର ବାଡ଼ି ବଗିଚାକୁ ଭଲ ଭାବରେ ସଫା କରି ଦେଲେ ଯଦି ବା ସାପ ଉଷୁମ ଜାଗା ଖୋଜି ଲୁଚିବା ପାଇଁ ଚାହୁଁଥିବ, କିନ୍ତୁ ପରିଷ୍କାର ଜାଗା ଦେଖି ବାଧ୍ୟ ହୋଇ ଫେରିଯିବ ଏବଂ ଆମ ଘର ସୁରକ୍ଷିତ ହେଇଯିବ”।

Comments are closed.