ସାପ ପଶିଲେ ଖୋଜାପଡ଼ନ୍ତି ପ୍ରକୃତିପ୍ରେମୀ ଦେବାନନ୍ଦ

ମାନବ ଓ ସର୍ପଙ୍କ ମଧ୍ୟରେ ଯୋଡ଼ିଛନ୍ତି ବନ୍ଧୁତାର ସେତୁ

ସାରନଗରୀ : ‘ସାପ’ କଥା ଶୁଣିଲେ କାହାକୁ ବା ଡର ନଲାଗେ, ୭ରୁ ୭୦ ସଭିଁଏ ସାପକୁ ଦେଖିବା ମାତ୍ରେ ମନରେ ଭୟ ସଂଚାର ହୋଇ ହୃଦୟର ହୃଦ ସ୍ପନ୍ଦନ ନିମିଷିକ ମଧ୍ୟରେ ବଢି ଯାଇଥାଏ। ମାତ୍ର ରାଉରକେଲାରେ ଅଛନ୍ତି ଏପରି ଜଣେ ବ୍ୟକ୍ତିତ୍ୱ ଯିଏକି ସାପ ଧରିବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରି ନେଇଛନ୍ତି। ଏହି ସାମାଜିକ କର୍ମୀ ଜଣଙ୍କ ଘରେ ଅଚାନକ ଭାବେ ପ୍ରବେଶ କରୁଥିବା ବିଷହୀନ ଓ ବିଷଧର ସର୍ପଙ୍କୁ କୌଶଳ କ୍ରମେ ଉଦ୍ଧାର କରି ଲୋକଙ୍କ ଜୀବନକୁ ସାପ କବଳରୁ ସୁରକ୍ଷା ଦେଇ ପାରିଛନ୍ତି । ସୁନ୍ଦରଗଡ଼ ଜିଲାର ରାଉରକେଲା ଅନ୍ତର୍ଗତ ସେକ୍ଟର ଅଂଚଳ ସମେତ ଦକ୍ଷିଣ ରାଉରକେଲାର ସାରନଗରୀ, ଆଇଡ଼ିଏଲ, ନବକୃଷ୍ଣନଗର, ଜଲଦା, ଲାଠିକଟା ବ୍ଲକର ଗର୍ଜନ, ବଣାଇଁ, କୋଇଡ଼ା, ବୀରମିତ୍ରପୁର,ନୂଆଗାଁ, ହାତୀବାରୀ, ରାଜଗାଙ୍ଗପୁର ସମେତ ଘରେ ସାପ ପଶିଲେ ଏହି ବ୍ୟକ୍ତି ଜଣଙ୍କୁ ଖୋଜା ପଡ଼ିଥାଏ। ଏପରି ସାପ ଧରାଳୀ ଜଣଙ୍କ ସାପ ଧରିବାକୁ ନିଜର ପେଶା ନୁହେଁ ବରଂ ଏକ ନିଶା ଭାବେ ଗ୍ରହଣ କରି ନେଇଛନ୍ତି।
ସେ ହେଉଛନ୍ତି ରାଉରକେଲାର ସମ୍ଭ୍ରାନ୍ତ ଅଂଚଳ ଭାବେ ପରିଚିତ ସିଭିଲଟାଉନସିପ ଏଚଏଚଏଚ-୬ରେ ସପରିବାର ବାସ କରୁୁଥିବା ଅବସରପ୍ରାପ୍ତ ଆରଏସପି କର୍ମଚାରୀ ତଥା ପ୍ରକୃତିପ୍ରେମୀ ଦେବାନନ୍ଦ ବେହେରା। ମୟୁରଭଂଜ ଜିଲା ରାଇରଙ୍ଗପୁର ଅର୍ନ୍ତଗତ ତିଖିଆ ଗ୍ରାମର ମୂଳନିବାସୀ ସ୍ୱର୍ଗତ ହରିଶ୍ଚନ୍ଦ୍ର ବେହେରା ଓ ସ୍ୱର୍ଗତା କମଲି ବେହେରାଙ୍କ ସୁପୁତ୍ର ହେଉଛନ୍ତି ଦେବାନନ୍ଦ । ମାଟ୍ରିକ ପାଶ କଲାପରେ ୧୯୭୮ ମସିହାରେ ଚାକିରି ଅନ୍ୱେଷଣରେ ଚାଲି ଆସିଥିଲେ ରାଉରକେଲା। ମାତ୍ର ସଙ୍ଗେସଙ୍ଗେ କୌଣସି ଜାଗାରେ କାମ ନ ମିଳିବାରୁ ନିଜ ଉଦ୍ୟମରେ ଆରମ୍ଭ କରିଥିଲେ ଏକ ଛୋଟ ତେଜରାତି ଦୋକାନ। ଦୋକାନ କରି ନିଜର ଗୁଜୁରାଣ ମେଂଟାଇବା ସହିତ ବାକି ସମୟ ଚାକିରି ଖୋଜାରେ ସମୟ କାଟୁଥିଲେ ଦେବାନନ୍ଦ ବେହେରା। ଭାଗ୍ୟକୁ ୧୯୮୩ ମସିହାରେ ରାଉରକେଲା ଇସ୍ପାତ କାରଖାନା(ଆରଏସପି)ର ଅଗ୍ନିଶମ ବିଭାଗରେ ତାଙ୍କୁ ଚାକିରି ଖଣ୍ଡିଏ ମିଳିଲା। ସେ ସମୟରେ ଆରଏସପି ପକ୍ଷରୁ ସ୍ନେକ କ୍ୟାଚର ମାଧ୍ୟମରେ ସାପଧରା ଅଭିଯାନ। ଆରଏସପି କର୍ମଚାରୀଙ୍କ ବାସଭବନରେ ପ୍ରବେଶ କରୁଥିବା ସାପ ଗୁଡିକୁ ଧରି ଅଧିକାରୀ ଓ କର୍ମଚାରୀଙ୍କ ଜୀବନକୁ ସୁରକ୍ଷା ପ୍ରଦାନ କରାଯାଉଥିଲା। ଦେବାନନ୍ଦ ସ୍ୱତପ୍ରବୃତ ଭାବରେ ଏହି କାଯ୍ୟରେ ନିଜକୁ ସାମିଲ କରି ନେଇଥିଲେ।

ଗତ ୨୦୦୭ ମସିହାରେ ସ୍ୱେଚ୍ଛାକୃତ ଭାବେ ଆରଏସପି ଚାକିରୀ ଜୀବନରୁ ଦେବାନନ୍ଦ ଅବସର ଗ୍ରହଣ କରି ସାରିଥିଲେ ସୁଦ୍ଧା ଏଯାଏ ସାପ ଧରିବା ତାଙ୍କର ମନୋବୃତି ଅଟଳ ଓ ନିଶ୍ଚଳ ରହିଛି ବୋଲି ସେ ପ୍ରକାଶ କରନ୍ତି । ଚାକିରୀ କାଳରେ ଏତେଟା ସମୟ ମିଳି ପାରୁ ନଥିବା ବେଳେ ଅବସର ପରେ ସାପ ଧରିବାକୁ ତାଙ୍କୁ ଏବେ ଯଥେଷ୍ଟ ସମୟ ମିଳୁଛି। ମୋବାଇଲର ଘଂଟି ବାଜିବା ପରେ ଲୋକଙ୍କ ଘରେ ସାପ ଖୋଜିବାକୁ ବାହାରି ଯାଆନ୍ତି ଦେବାନନ୍ଦ। ଖରା ହେଉକି ବର୍ଷା, ଦିନ ହେଉ ଅବା ରାତି କାହାକୁ ନଥାଏ ତାଙ୍କର ଖାତିର। ଆଜିଯାଏ ସେ ୨୫୦୦ରୁ ଉର୍ଦ୍ଧ ସାପ ଧରି ଜଙ୍ଗଲରେ ଛାଡ଼ି ସାରିଲେଣି। ସାପ ମଧ୍ୟରେ ଅନେକ ବିଷଧର ସର୍ପ ଯେପରି ନାଗ, ଚିତି, ପାହାଡ଼ିଚିତି, ରଣା, ଗୋଖର ଥିବା ବେଳେ ଅନ୍ୟ ବିଷହୀନ ସାପ ଯେମତି ଢମଣା, ଧଣ୍ଡ ଆଦି ଅନ୍ୟତମ। ଦେବାନନ୍ଦ ୨୦୦୭ ମସିହାରେ ସେକ୍ଟର ଅଂଚଳର ଜଣେ ଆରଏସପି କର୍ମଚାରୀଙ୍କ ଘରୁ ପ୍ରଥମେ ସାପ ଧରିଥିଲେ । ପ୍ରକୃତିପ୍ରେମୀ ତଥା ପଶୁପ୍ରେମୀ ଦେବାନନ୍ଦ ସାପକୁ ଧରିବା ବେଳେ ଟିକେ ହେଲେ କ୍ଷତି ପହଂଚାଇ ନଥାନ୍ତି। ନିଜେ ଜୋତା, ହ୍ୟାଣ୍ଡ ଗ୍ଲୋବ ଆଦି ପିନ୍ଧି ସୁରକ୍ଷିତ ଭାବେ କ୍ୟାରେଷ୍ଟିକ(ସାପଧରା ବାଡ଼ି) ଦ୍ୱାରା ଘରେ ଲୁଚି ରହିଥିବା ସାପକୁ ଉଦ୍ଧାର କରନ୍ତି। ସାପ ଧରିବାକୁ ଆଜିଯାଏ କୌଣସି ପାରିଶ୍ରମିକ ଦାବି କରି ନାହାନ୍ତି ଦେବାନନ୍ଦ। ଯଦି ଖୁସିରେ କୌଣସି ଲୋକ କିଛି ଅର୍ଥ ସ୍ୱଇଚ୍ଛାରେ ତାଙ୍କୁ ପ୍ରଦାନ କରିଥାନ୍ତି, ସେଥିରେ ମଧ୍ୟ କୁ୍‌ଣ୍ଡାବୋଧ ପ୍ରକାଶ କରିଥାନ୍ତି ଦେବାନନ୍ଦ ବେହେରା।
ସେ ଲୋକଙ୍କୁ ବାର୍ତା ଦିଅନ୍ତି ଯେ, ସାପ କାହାର କେବେ ଅନିଷ୍ଟ କରି ନଥାଏ, ଯଦି ତାକୁ କୌଣସି ବାଧା ଉତ୍ପନ ହୁଏ, ତେବେ ଯାଇ ସେ ଦଂଶନ କରିବାକୁ ଆଗଭର ହୁଏ । ଏଣୁ ସାପକୁ ନମାରି ବରଂ ଘରୁ ଘଉଡ଼ାଇ ଦେବା ଆବଶ୍ୟକ ବୋଲି ସେ ଲୋକଙ୍କୁ ନିବେଦନ କରନ୍ତି । ସାପ କବଳରୁ ବର୍ତିବାକୁ ହେଲେ, ଘର ଭିତର ଓ ବାହାର ପରିଷ୍ପାର ରଖିବାକୁ ସେ ସର୍ବଦା ପରାମର୍ଶ ଦିଅନ୍ତି। ପଶୁପ୍ରେମୀ ଦେବାନନ୍ଦ ବେହେରା ରାଉରକେଲାର ବନ୍ୟପ୍ରାଣୀ ସଂରକ୍ଷଣ ସଙ୍ଗଠନର ସଦ୍ୟସ ହୋଇ ପଶୁ ମାନଙ୍କ ସେବାରେ ନିଜ ଜୀବନ ଅତିବାହିତ କରିଥିଲେ। ଏହାପରେ ନିଜେ ସାପ ମାନଙ୍କୁ ଧରିବା ନିଶାରେ ଆଗେଇ ଯାଇ ଆଉ ପଛକୁ ଫେରି ନାହାନ୍ତି ଦେବାନନ୍ଦ। ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ତାଙ୍କୁ ଅନେକ ପୁରସ୍କାର ମିଳିଛି । ୨୦୦୩ ମସିହାରେ ନେହେରୁ ପୁରସ୍କାର, ୨୦୧୬ରେ ପ୍ରକୃତି ପ୍ରେମୀ ଭାବେ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଏହା ବ୍ୟତିତ ପ୍ରକୃତି ବନ୍ଧୁ ପୁରସ୍କାର, ଆର୍ମି ସଙ୍ଗଠନ, ଧନଜଂୟ ସ୍ମୃତି ସମିତି,ଜଗଦା ସାଂସ୍କୃତିକ ପରିଷଦ,ଆଦର୍ଶ ପରିଷଦ, ଏସିବିଆଇ ଓ ଜଙ୍ଗଲ ବିଭାଗ ପକ୍ଷରୁ ଦେବାନନ୍ଦ ବେହେରାଙ୍କୁ ସମ୍ମାନିତ କରାଯାଇଛି। ମାତ୍ର ଏଯାଏ ତାଙ୍କୁ ମିଳିନି କୌଣସି ସରକାରୀ ପ୍ରୋତ୍ସାହନ । ତଥାପି ତାଙ୍କ ମନରେ ତିଳେ ହେଲେ ଦୁଃଖ ନାହିଁ! ସାପ ଧରିବା ସମାଜସେବାର ଏକ ଅଙ୍ଗ ଭାବେ ସେ ଗ୍ରହଣ କରି ନେଇଛନ୍ତି। ଦେହରେ ବଳ ଓ ମନରେ ଉତ୍ସାହ ଥିବା ପର୍ଯ୍ୟନ୍ତ ତାଙ୍କର ଏହି ଧାରା ଜାରି ରହିବ ବୋଲି ହସହସ ମୁଖରେ ପ୍ରକାଶ କରିଛନ୍ତି। ବର୍ତମାନ ଏହି ସମାଜିକ କର୍ମୀ ସାପଧରାଳିଙ୍କ ଚର୍ଚ୍ଚା ଏଠି, ସେଠି, ସବୁଠି। ସାପ କାମୁଡ଼ାରେ ସୁନ୍ଦରଗଡ଼ ଜିଲାରେ ବହୁ ଜୀବନ ଅକାଳରେ ଝଡ଼ି ପଡ଼ୁଥିବା ବେଳେ, ଏପରି ଜଣେ ବାହୁବଳୀ ଦେବାନନ୍ଦ ସମସ୍ତଙ୍କ ପାଇଁ ଏକ ସୁରକ୍ଷା କବଚ। ଆତ୍ମ ବିଶ୍ୱାସ ବଳରେ ଦେବାନନ୍ଦ ଯୋଡ଼ିଛନ୍ତି ସର୍ପ ଓ ମାନବ ମଧ୍ୟରେ ଏକ ବନ୍ଧୁତାର ସେତୁ।

Comments are closed.