ସାପ ସହ ଭ୍ରମଣ

କୁହାଯାଏ, ବୟସ୍କ ଲୋକ କେତୋଟି ପରିସ୍ଥିତିରେ ଚପଳାମି କରିଥାନ୍ତି। ତେବେ ସେମାନଙ୍କ ଏଭଳି କାମ ପାଇଁ ଯେ ଅନ୍ୟମାନେ ହଇରାଣ ହୋଇଥାନ୍ତି, ସେଥିପ୍ରତି ଏଇ ବୟସ୍କ ପିଢ଼ିଙ୍କର ଦୃଷ୍ଟିନଥାଏ। ଗତ ସପ୍ତାହରେ ବ୍ରିଟେନ୍‌ ମାଞ୍ଚେଷ୍ଟରର ଘଟଣାକୁ ନେଇ ଚର୍ଚ୍ଚା ଏଯାଏଁ ଥମିନାହିଁ। ସେଠାରେ ଏବେ ଲକ୍-ଡାଉନ କୋହଳ ହେବା ସହ ବସ୍, ଟ୍ରାମ୍, ଟ୍ୟାକ୍ସି ଆଦି ରାସ୍ତାରେ ଯା-ଆସ କଲାଣି। ମାଞ୍ଚେଷ୍ଟରରୁ ଗୋଟିଏ ଛକରୁ ଜନୈକ ବୃଦ୍ଧ ବସ୍‌ରେ ଉଠିଲେ। ବସ୍‌ରେ ମାତ୍ର ୬-୭ ଜଣ ଯାତ୍ରୀ ବସିଥାନ୍ତି। ସମସ୍ତଙ୍କ ଦୃଷ୍ଟି ବୃଦ୍ଧଙ୍କ ଆଡ଼କୁ ଗଲା; କାରଣ ବୃଦ୍ଧଜଣକ ନିଜ ମୁହଁରେ ମାସ୍କ ପରିବର୍ତ୍ତେ ବଡ଼ ଅଜଗର ସାପକୁ ଗୁଡ଼ାଇଥିଲେ। ପ୍ରଥମେ ସମସ୍ତେ ଭାବିଲେ, ବୋଧହୁଏ ଏହା ଏକ ପ୍ଲାଷ୍ଟିକ୍ ସାପ। ବୃଦ୍ଧଜଣକ ସିଟ୍‌ରେ ବସିବା ପରେ ଅନ୍ୟ ଜଣେ ମହିଳା ଲକ୍ଷ୍ୟ କଲେ ସାପର ଲାଞ୍ଜ ହଲୁଛି। ଭୟରେ ମହିଳା ଚିତ୍କାର କରିବା ସହ ବସ୍‌କୁ ମଧ୍ୟ ତୁରନ୍ତ ଅଟକାଇ ବୃଦ୍ଧଙ୍କୁ ପଚରାଗଲା। ବୃଦ୍ଧ କହିଥିଲେ, ଏହା ତାଙ୍କ ପୋଷା ସାପ ଓ ସେ ଦୀର୍ଘ ୪ମାସ ପରେ ସାପ ସହ ବାହାରକୁ ବୁଲିବାକୁ ଆସିଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ବୁଝାଇବା ସହ ସାପ ସହ ବାହାରକୁ ନ ଆସିବାକୁ ପରାମର୍ଶ ଦେଇଥିଲେ। ବୃଦ୍ଧଜଣକ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହି ବରଂ ସେ ଠିକ୍ କରିଥିବାର ଯୁକ୍ତି ବାଢ଼ିଥିଲେ।

Comments are closed.